ଫେସ୍‌ବୁକ୍ ଗଣିବ ୩୫ ହଜାର କୋଟି ଜରିମାନା!

ନୂଆଦିଲ୍ଲୀ: ବିଶ୍ବର ପ୍ରମୁଖ ସୋସିଆଲ ମିଡିଆ ସେବା ପ୍ରଦାନକାରୀ କମ୍ପାନି ଫେସବୁକ୍ ଉପରେ ଆମେରିକାର ଫେଡେରାଲ ଟ୍ରେଡ କମିସନ (ଏଫଟିସି) ୫ ବିଲିଅନ ଡଲାର ବା ୩୫ ହଜାର କୋଟି ଟଙ୍କାର ଜରିମାନା ଲାଗୁ କରିବା ସମ୍ଭାବନା ରହିଛି। ଗୋପନିୟତା ଉଲ୍ଲଂଘନ ଏବଂ ଡାଟାର ଭୁଲ ବ୍ୟବହାର ପାଇଁ ଫେସ୍‌ବୁକ୍ ଉପରେ ଏହି ଜରିମାନା ଲାଗିବାକୁ ଯାଉଛି। ଯେକୌଣସି ପ୍ରଯୁକ୍ତି କମ୍ପାନି ଉପରେ ଏହା ଆମେରିକା ଟ୍ରେଡ କମିସନର ଏହା ସବୁଠାରୁ ବଡ଼ ଜରିମାନା ବୋଲି କୁହାଯାଉଛି। ପୂର୍ବରୁ ୨୦୧୨ରେ ଫେଡେରାଲ ଟ୍ରେଡ କମିସନ ଗୁଗୁଲ୍ ଉପରେ ୨୨ ନିୟୁତ ଡଲାର ବା ୧୫୪ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ମାମଲା ଉପରେ ଉଭୟ ଫେସବୁକ୍ ଏବଂ ଏଫଟିସି ପକ୍ଷରୁ କୌଣସି ମତାମତ ଦେବାକୁ ମନା କରାଯାଇଛି। ତେବେ ରିପୋର୍ଟ ଅନୁଯାୟୀ, ୩-୨ ଭୋଟରେ ଏହି ଜରିମାନାକୁ ମଞ୍ଜୁରି ଦିଆଯାଇଛି।

ନ୍ୟାୟ ବିଭାଗ କରିବ ସମୀକ୍ଷା: ଏବେ ଏହି ମାମଲା ଆମେରିକାର ନ୍ୟାୟ ବିଭାଗର ସିଭିଲ ଡିଭିଜନ ନିକଟକୁ ସମୀକ୍ଷା ପାଇଁ ପଠାଯାଇଛି। ତେବେ ଏହି ପ୍ରିକ୍ରିୟା କେତେଦିନ ଲାଗିବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଜରିମାନା ପ୍ରସ୍ତାବକୁ ମଞ୍ଜୁରି ମିଳିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ବୋଲି କୁହାଯାଇଛି। ଗୋଟିଏ ସାଧାରଣ କମ୍ପାନି ପାଇଁ ୫ ବିଲିଅନ ଡଲାର ବା ୩୫ ‌ହଜାର କୋଟି ଟଙ୍କାର ଜରିମାନା ବହୁତ ବଡ଼ ରାଶି। କିନ୍ତୁ ଫେସବୁକ୍ ‌ଏକ ବଡ଼ କମ୍ପାନି ହୋଇଥିବାରୁ ଏହା ସେତେଟା ଅସୁବିଧାରେ ପଡ଼ିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ୨୦୧୮ରେ ଫେସବୁକର ରାଜସ୍ବ କାରବାର ୫୬ ବିଲିଅନ ଡଲାର ଥିଲା। ତେଣୁ ଏହାର ମୋଟ କାରବାରର ପ୍ରାୟ ୯ ପ୍ରତିଶତ କମ୍ପାନି ଜରିମାନା ଦେବ। ୨୦୧୯ର କାରବାର ୬୯ ବିଲିଅନ ଡଲାର ହେବ ବୋଲି ଆଶା ରଖାଯାଇଥିବାରୁ ଏହାର ପ୍ରଭାବ ଆହୁରି କମ୍ ପଡ଼ିବ ବୋଲି କୁହାଯାଉଛି।

କ’ଣ ଥିଲା ଅଭିଯୋଗ: ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ରାଜନୈତିକ ପରାମର୍ଶଦାତା ଫାର୍ମ କେମ୍ବ୍ରିଜ୍ ଆନାଲିଟିକା କାର୍ଯ୍ୟ କରୁଥିଲା। ସେହି ସମୟରେ କେମ୍ବ୍ରିଜ ଆନାଲିଟିକା ମାର୍କ ଜୁକରବର୍ଗଙ୍କ କମ୍ପାନି ଫେସବୁକ୍‌ରୁ ପ୍ରାୟ ୮.୭ କୋଟି ବ୍ୟବହାରକାରୀଙ୍କ ଡାଟା ନେଇଥିଲା। ସେହି ରିପୋର୍ଟ ପ୍ରକାଶ ପାଇବା ପରେ ଏଫଟିସି ୨୦୧୮ ମାର୍ଚ୍ଚରେ ଏହାର ତଦନ୍ତ ଆରମ୍ଭ କରିଥିଲା। ବ୍ୟବହାରକାରୀଙ୍କୁ ନୋଟିସ ନଦେଇ କେମ୍ବ୍ରିଜ୍ ଆନାଲିଟିକା ବ୍ୟବହାରକାରଙ୍କୁ ଡାଟା ତୃତୀୟ ପକ୍ଷକୁ ପ୍ରଦାନ କରିବା ଅଭିଯୋଗ ରହିଥିଲା। ୨୦୧୧ ମସିହାର ଏକ ରାଜିନାମା ଅନୁଯାୟୀ, କୌଣସି ତୃତୀୟ ପକ୍ଷରୁ ବ୍ୟବହାରକାରଙ୍କୁ ଡାଟା ଦେବା ପୂର୍ବରୁ ‌ବ୍ୟବହାରକାରୀଙ୍କୁ ସ୍ପଷ୍ଟ ଭାବେ ନୋଟିସ ଦେବାର ନିୟମ ରହିଛି। କିନ୍ତୁ ଫେସବୁକ୍‌ ଏହି ନିୟମ ପାଳନ କରିନଥିବା ଅଭିଯୋଗ ରହିଛି। ‌ଫେସବୁକ୍‌ର ପ୍ରାୟ ୮ କୋଟି ୭୦ ଲକ୍ଷ ବ୍ୟବହାରକାରୀଙ୍କ ତଥ୍ୟ ସେହି ସମୟରେ କେମ୍ବିଜ୍ ଆନାଲିଟିକା ହା‌ତେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର