୩୫ ବର୍ଷ ପରେ ଆଇଏଲ୍‌ଓ ଅଧ୍ୟକ୍ଷ ପଦରେ ଭାରତୀୟ

ନୂଆଦିଲ୍ଲୀ : ଦୀର୍ଘ ୩୫ ବର୍ଷ ପରେ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି ଭାରତ । ଭାରତ ଓ ଆଇଏଲ୍‌ଓ ସମ୍ପର୍କ ୧୦୦ ବର୍ଷ ପୁରୁଣା। ଭାରତର ଶ୍ରମ ସଚିବ ଅପୂର୍ବ ଚନ୍ଦ୍ର ଆଇଏଲ୍‌ଓ ପରିଚାଳନା ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ୨୦୨୦ ଅକ୍ଟୋବରରୁ ୨୦୨୧ ଜୁନ ପର୍ଯ୍ୟନ୍ତ ଏହି ପଦରେ ରହିବେ। ଆଇଏଲ୍‌ଓର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସଂସ୍ଥାଭାବେ ପରିଚାଳନା ପରିଷଦ କାର୍ଯ୍ୟ କରେ। ଏହି ପରିଷଦ ସଂଗଠନର ନୀତି, କାର୍ଯ୍ୟକ୍ରମ, କାର୍ଯ୍ୟସୂଚୀ ଏବଂ ବଜେଟ ପ୍ରସ୍ତୁତ କରିବା ସହ ଏହାର ମହାନିର୍ଦେଶକକୁ ନିର୍ବାଚିତ କରିଥାଏ। ଏବେ ଆଇଏଲ୍‌ଓରେ ୧୮୭ ଦେଶ ସଦସ୍ୟ ଅଛନ୍ତି। ଆସନ୍ତା ନଭେମ୍ବର ମାସରେ ଆଇଏଲ୍‌ଓ ପରିଚାଳନା ପରିଷଦର ଯେଉଁ ବୈଠକ ଅନୁଷ୍ଠିତ ହେବ ସେଥିରେ ଶ୍ରୀ ଚନ୍ଦ୍ର ଅଧ୍ୟକ୍ଷତା କରିବେ।

ଜେନେଭାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅବସରରେ ସେ ଏହି ସଂଗଠନର ବରିଷ୍ଠ ଅଧିକାରୀ, ସାମାଜିକ ଅଂଶୀଦାର ଓ ସଦସ୍ୟରାଷ୍ଟ୍ର ପ୍ରତିନିଧିଙ୍କ ସହ ମତ ବିନିମୟ କରିବାର ସୁଯୋଗ ପାଇବେ । ଭାରତ ସରକାର ଦେଶର ଶ୍ରମ ବଜାରରୁ ଜଟିଳତା ହଟାଇବା ପାଇଁ ବିଭିନ୍ନ ପ୍ରକାର ଶ୍ରମ ସଂସ୍କାର କାର୍ଯ୍ୟ କରୁଥିବାରୁ ସେ ବିଷୟରେ ଶ୍ରୀ ଚନ୍ଦ୍ର ଆଇଏଲଓର ସଦସ୍ୟଙ୍କୁ ଅବଗତ କରାଇବେ । ଏହାଛଡା ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ଭାରତ ସରକାର ସାର୍ବଜନୀନ ଭିତ୍ତିରେ ଯେଉଁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ସେ ମଧ୍ୟ ସେମାନଙ୍କୁ ଜଣାଇବେ। ଅପୂର୍ବ ହେଉଛନ୍ତି ୧୯୮୮ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ଅଧିକାରୀ ।

ସମ୍ବନ୍ଧିତ ଖବର