ଆଖୁ ଚାଷୀଙ୍କୁ ୩୫୦୦ କୋଟି ସହାୟତା, ଚାଷୀଙ୍କ ଖାତାରେ ଟଙ୍କା ଜମା ହେବ

୫ କୋଟି ଚାଷୀ ଉପକୃତ ହେବେ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ତିନି ନୂଆ କୃଷି ବିଲ୍‌କୁ ନେଇ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଆଖୁ ଚାଷୀଙ୍କ ପାଇଁ ୩୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହା ଦ୍ବାରା ଦେଶର ପାଞ୍ଚ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ଥିବା ପରିବାର ଲାଭବାନ ହେବେ। କେବଳ ସେତିକି ନୁହେଁ ବିଭିନ୍ନ ଚିନି କଳରେ ନିୟୋଜିତ ହୋଇଥିବା ପ୍ରାୟ ପାଞ୍ଚ ଲକ୍ଷ ‌ଶ୍ରମିକ ମଧ୍ୟ ଏହି ସହାୟତା ଦ୍ବାରା ଉପକୃତ ହେବେ।

ଦେଶରେ ଆଖୁ ଚାଷୀମାନେ ସାଧାରଣତଃ ନିଜର ଉତ୍ପାଦିତ ଆଖୁ ଚିନି କଳକୁ ବିକ୍ରି କରିଥାନ୍ତି। ମାତ୍ର ନିଜର ପ୍ରାପ୍ୟ ପାଇବାରେ ବହୁତ ଅସୁବିଧା ସାମ୍ନା କରନ୍ତି। ଚିନି କଳଗୁଡ଼ିକ ବଳକା ଚିନି ବିକ୍ରି କରିପାରୁନଥିବାରୁ ଚାଷୀମାନଙ୍କ ପ୍ରାପ୍ୟ ଦେଇପାରନ୍ତି ନାହିଁ। ଚିନି କଳରେ ଥିବା ବଳକା ଚିନିକୁ ବିକ୍ରି କରିବାରେ ସରକାର ସହାୟତା ପ୍ରଦାନ କରିବେ। ମାର୍କେଟିଂ, ପରିଚାଳନା, ଉନ୍ନତୀକରଣ, ପ୍ରୋସେସିଂ ଖର୍ଚ, ଆନ୍ତର୍ଜାତିକ ଏବଂ ଆଭ୍ୟନ୍ତରୀଣ ପରିବହନ ଶୁଳ୍ପ ଆଦି ସୁବିଧା ଚିନି କଳଗୁଡ଼ିକୁ ଯୋଗାଇ ଦିଆଯିବ। ଫଳରେ ସେମାନେ ବଳକା ଚିନିକୁ ସହଜରେ ରପ୍ତାନି କରିପାରିବେ। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଧାର୍ଯ୍ୟ କରାଯାଇଥିବା କୋଟାର ଚିନି ବିକ୍ରି କରିବା ଲାଗି ଏହି ସବୁ ସୁବିଧା ମିଳିବ। ବଳକା ଚିନି ବିକ୍ରି ହେବା ପରେ ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ସେମାନଙ୍କ ପ୍ରାପ୍ୟ ବାବଦ ଟଙ୍କା ଜମା ହେବ। ସବ୍‌ସିଡି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବା ନିଷ୍ପତ୍ତି ପାଇଁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ନିଷ୍ପତ୍ତି ଦ୍ବାରା ଚିନି ଉତ୍ପାଦନ ବଢ଼ିବ ଓ ଅତିରିକ୍ତ ଇଥାନଲ୍ ତିଆରି କରାଯାଇପାରିବ। ଫଳରେ ରୋଜଗାର ସୃଷ୍ଟି ହେବ ଏବଂ ଚାଷୀଙ୍କ ଆୟ ବଢ଼ିବ। ଏହି ସହାୟତା ଦ୍ବାରା ୫ କୋଟି ଚାଷୀ ଉପକୃତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କୃଷିଜାତ ସାମଗ୍ରୀ ଉପରେ କୌଣସି ପ୍ରକାର ସବ୍‌ସିଡି ଦିଆଯାଇପାରିବ ନାହିଁ ବୋଲି ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ନିୟମ ରହିଛି। ମାତ୍ର ଭାରତ ଭଳି କିଛି ବିକଶିତ ଦେଶ ପାଇଁ ୨୦୨୩ ପର୍ଯ୍ୟନ୍ତ ଏହି ନିୟମକୁ କୋହଳ କରାଯାଇଛି। ତେଣୁ ଭାରତ ଚିନି ରପ୍ତାନି ଉପରେ ସବ୍‌ସିଡି ଦେଇପାରୁଛି। ଚଳିତ ଆର୍ଥିକ ବର୍ଷ‌ରେ ୬ ଲକ୍ଷ ଟନ୍ ଚିନି ରପ୍ତାନି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଟନ୍ ପିଛା ୬୦୦୦ ଟଙ୍କାରେ ଚିନି ରପ୍ତାନି କରିବାର ସୁଯୋଗ ରହିଛି। ଭାରତ ଏହାର ଚିନିକୁ ପାରମ୍ପରିକ ବଜାର ଯଥା ଇଣ୍ଡୋନେସିଆ ଓ ମାଲେସିଆକୁ ପଠାଇଥାଏ। ଥାଇଲ୍ୟାଣ୍ଡ୍‌ରେ ଚିନି ଉତ୍ପାଦନ ହ୍ରାସ ପାଇଥିବାରୁ ବଜାରରେ ଭାରତୀୟ ଚିନିର ଚାହିଦା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର