ନୂଆଦିଲ୍ଲୀ: ଚଳିତ ବର୍ଷ ବିଶ୍ବର ବିଭିନ୍ନ ଦେଶରୁ ୧,୪୨,୦୦୦ ମିଲିଓନେୟାର (ଧନୀ ବ୍ୟକ୍ତି) ନିଜ ଦେଶ ଛାଡ଼ି ଅନ୍ୟତ୍ର ଯି‌ବେ। ଭାରତରୁ ୩୫୦୦ ଧନୀ ଅନ୍ୟ ଦେଶକୁ ଯିବେ। ଅବଶ୍ୟ ୨୦୨୪ରେ ଭାରତରୁ ଯାଇଥିବା ୪୩୦୦ ଧନୀଙ୍କ ତୁଳନାରେ ଏହି ସଂଖ୍ୟା କମ୍। ହେନ୍‌ଲି ପ୍ରାଇଭେଟ୍ ୱେଲ୍‌ଥ ମାଇଗ୍ରେସନ୍ ରିପୋର୍ଟ ୨୦୨୫ ଅନୁସାରେ ବ୍ରିଟେନ୍‌ରୁ ସର୍ବାଧିକ ୧୬,୫୦୦ ଧନୀ ଅନ୍ୟ ଦେଶକୁ ଯିବେ। ଚୀନ୍‌ରୁ ୭,୮୦୦, ଦକ୍ଷିଣ କୋରିଆରୁ ୨୪୦୦, ରୁଷ୍‌ରୁ ୧୫୦୦, ବ୍ରାଜିଲ୍‌ରୁ ୧୨୦୦ ଓ ଫ୍ରାନ୍ସରୁ ୮୦୦ ଧନୀ ଅନ୍ୟ ଦେଶକୁ ଯିବେ। 

Advertisment

ନିଜ ଦେଶ ଛାଡ଼ି ଅନ୍ୟତ୍ର ଯିବାକୁ ଚାହୁଥିବା ଧନୀ ଲୋକମାନଙ୍କ ପ୍ରଥମ ପସନ୍ଦ ହେଉଛି ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)। ‌ଏହା ପଛକୁ ରହିଛି ଆମେରିକା। ଏହି ଦୁଇ ଦେଶକୁ ୨୦୨୫ରେ ଯଥାକ୍ରମେ ୯୮୦୦ ଓ ୭୫୦୦ ଧନୀ ଲୋକ ବସବାସ କରିବାକୁ ଯିବେ। ସେହିପରି, ଇଟାଲିକୁ ୩୬୦୦, ସ୍ବିଜରଲ୍ୟାଣ୍ଡକୁ ୩୦୦୦, ସାଉଦି ଆରବକୁ ୨୪୦୦, ସିଙ୍ଗାପୁରକୁ ୧୬୦୦, ପର୍ତୁଗାଲକୁ ୧୪୦୦, ଗ୍ରିସ୍‌କୁ ୧୨୦୦, କାନାଡାକୁ ୧୦୦୦ ଓ ଅଷ୍ଟ୍ରେଲିଆକୁ ୧୦୦୦ ଧନୀ ଲୋକ ଯିବେ। ଗୋଲ୍‌ଡେନ୍ ଭିସା କାର୍ଯ୍ୟକ୍ରମ, ଶୂନ ଆୟକର, ବିଶ୍ବସ୍ତରୀୟ ଭିତ୍ତିଭୂମି ଓ ରାଜନୈତିକ ସ୍ଥିରତା ଥିବାରୁ ଅଧିକାଂଶ ଧନୀ ବ୍ୟକ୍ତି ୟୁଏଇକୁ ସେମାନଙ୍କ ପସନ୍ଦର ସ୍ଥାନ ଭାବେ ଚୟନ କରୁଛନ୍ତି। ଚଳିତ ବର୍ଷର ଏକ ବଡ଼ ବ୍ୟତିକ୍ରମ ହେଉଛି ପ୍ରାୟ ଅଢ଼େଇ ହଜାର ଲୋକ ସାଉଦି ଆରବକୁ ନିଜ ବସବାସ ସ୍ଥାନ ଭାବେ ଚୟନ କରିବାକୁ ଯାଉଛନ୍ତି। ଏହି ସଂଖ୍ୟା ଗତବର୍ଷର ୩୦୦ ତୁଳନାରେ ଯଥେଷ୍ଟ ଅଧିକ।