ମୁମ୍ବାଇ : ଗତକାଲି ଅର୍ଥମନ୍ତ୍ରୀ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଘୋଷଣା କରିବା ପରଠାରୁ ବମ୍ବେ ଷ୍ଟକ ବଜାର ସେନ୍ସେକ୍ସ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଛି। ପୁଞ୍ଜିପ୍ରତ୍ୟାହାରକୁ ପ୍ରାଧାନ୍ୟ, ବୀମା କ୍ଷେତ୍ରରେ ଏଫ୍ଡିଆଇ ସୀମା ୭୪%କୁ ବୃଦ୍ଧି କରାଯିବ, ଦୁଇଟି ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ, ସ୍ବାସ୍ଥ୍ୟ ଓ ଭିତ୍ତିଭୂମିରେ ବିପୁଳ ନିବେଶ କରାଯିବ ବୋଲି ଘୋଷଣା କରାଯିବା ପରେ ନିବେଶକମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ସେମାନେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାର ସେୟାର ଅଧିକ ମାତ୍ରାରେ କିଣୁଛନ୍ତି।
ବଜେଟ୍ ଘୋଷଣା ହେବାର ପୂର୍ବ ଚାରିଟି କାରବାର ଦିନରେ ସେନ୍ସେକ୍ସରେ ୨୪୦୦ ପଏଣ୍ଟ୍ର ହ୍ରାସ ଘଟିଥିଲା। ସେହି କ୍ଷତି ବଜେଟ୍ ଦିନ ଭରଣା ହୋଇଯାଇଥିଲା। ଆଜି ସେନ୍ସେକ୍ସରେ ପୁଣି ୧୧୯୭ ପଏଣ୍ଟ୍ର ବୃଦ୍ଧି ହୋଇଛି। ଆଜି କାରବାର ଶେଷ ବେଳକୁ ୧୧୯୭ ପଏଣ୍ଟ୍ର ବୃଦ୍ଧି ସହ ସେନ୍ସେକ୍ସ ୪୯,୭୯୭ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୩୬୬ ପଏଣ୍ଟ୍ ବୃଦ୍ଧି ପାଇ ୧୪,୬୪୭ ପଏଣ୍ଟ୍ ଭଳି ସ୍ତରରେ ବନ୍ଦ ହୋଇଛି। ଦୁଇଦିନରେ ସେନ୍ସେକ୍ସ ୩୫୦୦ ପଏଣ୍ଟ୍ ବୃଦ୍ଧି ପାଇଛି। ବଜେଟ୍ ପରେ ସେନ୍ସେକ୍ସରେ ଏଭଳି ଧରଣର ବୃଦ୍ଧି ୧୯୯୭ ପରେ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି। ଦୁଇଦିନରେ ଷ୍ଟକ ବଜାର ନିବେଶକମାନଙ୍କୁ ୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଲାଭ ମିଳିଛି। ଆଜି ସେମାନଙ୍କ ସମ୍ପତ୍ତିରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି। ବଜେଟ୍ ପୂର୍ବରୁ ୬ଟି କାରବାର ଦିନରେ ନିବେଶକମାନେ ପ୍ରାୟ ୧୧.୫ ଲକ୍ଷ କୋଟି ଟଙ୍କା ହରାଇଥିଲେ। ଦୁଇ ଦିନ ଭିତରେ ଏହି କ୍ଷତିର ସିଂହ ଭାଗ ଭରଣା ହୋଇପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/bse.jpg)