ଭୁବନେଶ୍ବର: ଦେଶରେ ମଙ୍ଗଳବାରଠାରୁ ୯୬ ହଜାର କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଦେଶର ତିନି ପ୍ରମୁଖ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ବିଡ୍‌ ଦାଖଲ କରିଥିବା କୁହାଯାଉଛି। ସ୍ପେକ୍ଟ୍ରମ୍ ହେଉଛି ରେଡିଓ ତରଙ୍ଗ ଯାହା ଜରିଆରେ ଟେଲିକମ୍ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ମୋବାଇଲ୍‌ ସେବା ପ୍ରଦାନ କରୁଛନ୍ତି। ନିଲାମର ପ୍ରଥମ ଦିନ ପାଞ୍ଚ ରାଉଣ୍ଡ ସ୍ପେକ୍ଟ୍ରମ୍ ନିଲାମ ହୋଇଥିଲା। ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ‌୫ଜି ସ୍ପେକ୍ଟ୍ରମ୍ କିଣିବା ଲାଗି ୩୫୯ କୋଟି ଟଙ୍କାର ବିଡ୍ ଦାଖଲ ହୋଇଛି। ଦୁଇଟି ବ୍ୟାଣ୍ଡ ୯୦୦ ମେଗାହର୍ଜ ଓ ୧୮୦୦ ମେଗାହର୍ଜରେ କମ୍ପାନିଗୁଡ଼ିକ ବିଡ୍‌ ଦାଖଲ କରିଛନ୍ତି। ୯୦୦ ମେଗାହର୍ଜରେ ୨୫ଟି ବ୍ଲକ୍ ପାଇଁ ବିଡ୍‌ ଆସିଥିବା ବେଳେ ୧୭ଟି ବ୍ଲକ୍ ଫାଙ୍କା ରହିଛି। ବ୍ଲକ୍ ପିଛା ମୂଲ୍ୟ ୧୨.୮୦ କୋଟି ଟଙ୍କା ରହିଛି। ସେହିପରି, ୧୮୦୦ ମେଗାହର୍ଜରେ ୫ଟି ବ୍ଲକ୍ ପାଇଁ ବିଡ୍‌ ଆସିଥିବା ବେଳେ ୩୯ଟି ବ୍ଲକ୍ ଫାଙ୍କା ରହିଛି। ଏହି ବ୍ୟାଣ୍ଡରେ ବ୍ଲକ୍ ପିଛା ନିଲାମ ରାଶି ୭.୮ କୋଟି ଟଙ୍କା ରହିଛି।

Advertisment

ଓଡ଼ିଶାରେ ଏୟାରଟେଲ୍ ଏହାର ସ୍ପେକ୍ଟ୍ରମ୍ ନବୀକରଣ କରିବାର ଥିବାରୁ ଏହା ନିଶ୍ଚିତ ରୂପେ ରାଜ୍ୟ ପାଇଁ ୫ଜି ସ୍ପେକ୍ଟ୍ରମ କିଣିବ ବୋଲି ଆଶା କରାଯାଉଛି। ତେବେ ଏହାର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଜିଓ ମଧ୍ୟ‌ ପଛରେ ରହିବ ନାହିଁ। କାରଣ ଅଧିକ ସ୍ପେକ୍ଟ୍ରମ୍ କିଣି ଏହା ନିଜର ନେତୃତ୍ବ ସ୍ଥିତିକୁ ଆହୁରି ଦୃଢ଼ କରିବାର ସୁଯୋଗ ରହିଛି। ତେବେ ଜାତୀୟ ସ୍ତରର ଆକଳନ ଅନୁସାରେ ଟେଲିକମ୍ କମ୍ପାନିଗୁଡ଼ିକ ଏଥର ଅତିବେଶିରେ ୧୨,୫୦୦ କୋଟି ଟଙ୍କା ସ୍ପେକ୍ଟ୍ରମ୍ କିଣିବାରେ ଖର୍ଚ୍ଚ କରିବେ ଯାହା ଉପଲବ୍ଧ ସ୍ପେକ୍ଟ୍ରମ୍‌ର ମାତ୍ର ୧୫ ପ୍ରତିଶତ। ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ବିଭିନ୍ନ ଟେଲିକମ୍ ସର୍କଲ୍‌ରେ ସ୍ପେକ୍ଟ୍ରମ ନବୀକରଣ କରିବାର ଆବଶ୍ୟକତା ଥିବାରୁ ସେମାନେ ନିଶ୍ଚିତ ରୂପେ ତାହା କିଣିବେ। କିନ୍ତୁ ଜିଓକୁ କୌଣସି ସର୍କଲ୍‌ରେ ସ୍ପେକ୍ଟ୍ରମ୍ ନବୀକୀଈ କରିବାକୁ ପନିବଡ଼ି। ଏହା ୧୮୦୦ ମେଗାହର୍ଜ ସ୍ପେକ୍ଟ୍ରମ୍ କିଣିପାରେ ବୋଲି ଅନୁମାନ କରାଯାଉଛି। ସ୍ପେକ୍ଟ୍ରମ୍ କିଣିବା ଲାଗି ଜିଓ ସର୍ବାଧିକ ୩୦୦୦ କୋଟି ଟଙ୍କା ଜମା କରିଥିଲା ଯାହା ଭାରତୀ ଏୟାରଟେଲ୍ ଜମା କରିଥିବା ରାଶିର ତିନି ଗୁଣା ଏବଂ ଭୋଡାଫୋନ୍ ଆଇଡିଆଠାରୁ ୧୦ ଗୁଣା ଅଧିକ।