ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଓଡ଼ିଶାରେ ୩,୫୯୩ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି। ୨୦୨୦ ଅକ୍ଟୋବରରେ ହୋଇଥିବା ୨,୪୧୯ କୋଟି ଟଙ୍କା ତୁଳନାରେ ଏହା ୪୯ ପ୍ରତିଶତ ଅଧିକ। ସର୍ବଭାରତୀୟ ସ୍ତରରେ ଏହି ମାସରେ ୧,୩୦,୧୨୭ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ୨୦୧୭ରେ ଜିଏସ୍ଟି କାର୍ଯ୍ୟକାରୀ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ମାସିକ ଟିକସ ସଂଗ୍ରହ। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ୍ରେ ସର୍ବାଧିକ ୧,୪୧,୩୮୪ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଥିଲା।
ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ୨୪% ଅଧିକ ଓ ୨୦୧୯ ଅକ୍ଠୋବର ତୁଳନାରେ ୩୬% ଅଧିକ ଜିଏସ୍ଟି ସଂଗ୍ରହ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଟିକସ ସଂଗ୍ରହରେ ହୋଇଥିବା ବୃଦ୍ଧିରୁ ଏହା ଜଣାପଡ଼ୁଛି ଯେ ସୁଧାର ପ୍ରକ୍ରିୟା ଠିକ୍ ଦିଗରେ ଆଗକୁ ବଢ଼ୁଛି। ସେମିକଣ୍ଡକ୍ଟର ଅଭାବ ଯୋଗୁଁ କାର୍ ଓ ଅନ୍ୟ କେତେକ ଉତ୍ପାଦର ଯୋଗାଣ ଯଦି ପ୍ରଭାବିତ ହୋଇନଥାନ୍ତା ତେବେ ଯଥେଷ୍ଟ ଅଧିକ ଟିକସ ଆଦାୟ କରାଯାଇଥାନ୍ତା। ଚଳିତ ବର୍ଷ ଅକ୍ଟୋବରରେ ହୋଇଥିବା ମୋଟ ଜିଏସ୍ଟି ସଂଗ୍ରହରେ ୨୩,୮୬୧ କୋଟି ଟଙ୍କା କେନ୍ଦ୍ରୀୟ ଜିଏସ୍ଟି ହୋଇଥିବା ବେଳେ ୩୦,୪୨୧ କୋଟି ଟଙ୍କା ରାଜ୍ୟ ଜିଏସ୍ଟି ଓ ୬୭,୩୬୧ କୋଟି ଟଙ୍କା ହେଉଛି ସମନ୍ବିତ ଜିଏସ୍ଟି।
ଆଲୋଚ୍ୟ ମାସରେ ଆମଦାନି ହୋଇଥିବା ସାମଗ୍ରୀରୁ ଟିକସ ଆଦାୟ ୩୯% ବଢ଼ିଥିବା ବେଳେ ଦେଶ ଭିତରେ ହୋଇଥିବା କାରବାରରୁ ଟିକସ ସଂଗ୍ରହ ୧୯ ପ୍ରତିଶତ ବଢ଼ିଛି। ସେସ୍ ଭାବେ ୮,୪୮୪ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଇ-ୱେ ବିଲ୍ ସୃଷ୍ଟିରେ ମଧ୍ୟ ରେକର୍ଡ ହୋଇଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ମୋଟ ଜିଏସ୍ଟି ସଂଗ୍ରହ ୮.୧୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଜୁନ୍ ମାସକୁ ବାଦ ଦେଲେ ଅନ୍ୟ ସବୁ ମାସରେ ଜିଏସ୍ଟି ସଂଗ୍ରହ ଲକ୍ଷେ କୋଟି ଟଙ୍କାରୁ ଅଧିକ ରହିଛି।
ଜିଏସ୍ଟି ସଂଗ୍ରହକୁ ଅର୍ଥନୈତିକ କାର୍ଯ୍ୟକଳାପରେ ବୃଦ୍ଧି କିମ୍ବା ହ୍ରାସର ଏକ ପ୍ରମୁଖ ମାନଦଣ୍ଡ ଭାବେ ବିଚାର କରାଯାଉଛି। ଗତବର୍ଷ କୋଭିଡ୍ ମହାମାରୀ ସମୟରେ ଟିକସ ସଂଗ୍ରହ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେହି ଅନୁସାରେ ମାସିକ ଟିକସ ସଂଗ୍ରହ ଲକ୍ଷେ କୋଟି ଟଙ୍କା ତଳ ସ୍ତରକୁ ଖସିଯାଇଥିଲା। ଏହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ମାତ୍ର ଗତବର୍ଷ ଲକ୍ଡାଉନ୍ ହଟିବାର କିଛି ମାସ ପରେ ଜିଏସ୍ଟି ସଂଗ୍ରହରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ନିୟମକୁ ଟିକସଦାତାମାନେ ଠିକ୍ ଭାବେ ପାଳନ କରୁଛନ୍ତି ନା ନାହିଁ ତାହା ଜାଣିବା ଲାଗି ଦେଶବ୍ୟାପୀ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଥିଲା। ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଜରିଆରେ ଯେଉଁମାନେ ଟିକସ ଠକେଇ କରୁଥିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହା ପରେ ଟିକସଦାତାଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଅନେକ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଟିକସ ଓ ଜରିମାନା ମଧ୍ୟ ଅସୁଲ କରାଯାଇଛି। ଏହି ସବୁ ପଦକ୍ଷେପ ଯୋଗୁଁ ଟିକସ ସଂଗ୍ରହରେ ବୃଦ୍ଧି ହୋଇଥିବା କୁହାଯାଉଛି। ଯଦି ଏହି ଧାରା ଜାରି ରହିବ ତେବେ ଚଳିତ ଆର୍ଥିକ ବର୍ଷ ଲାଗି ଜିଏସ୍ଟି ସଂଗ୍ରହ ନିମନ୍ତେ ବଜେଟ୍ରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ସହଜରେ ହାସଲ ହୋଇପାରିବ ବୋଲି କୁହାଯାଉଛି।