ନୂଆଦିଲ୍ଲୀ: ଗତବର୍ଷ ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତ ନାମକୁ ମାତ୍ର ତେଲ ରୁଷ୍ରୁ ମଗାଉଥିଲା। ଏବେ କିନ୍ତୁ ଏକ ତୃତୀୟାଂଶ ତେଲ ଏହା ରୁଷ୍ରୁ କିଣୁଛି। ଚଳିତ ବର୍ଷ ଏପ୍ରିଲ୍ରେ ଭାରତ ୩୬ ପ୍ରତିଶତ ତେଲ ରୁଷ୍ରୁ ମଗାଇଛି। ଲାଗାତାର ସପ୍ତମ ମାସ ପାଇଁ ରୁଷ୍ ଭାରତର ଏକ ନମ୍ବର ତୈଳ ଯୋଗାଣକାରୀ ହୋଇରହିଛି। ରିହାତିରେ ମିଳୁଥିବାରୁ ଭାରତ ରୁଷ୍ ତେଲକୁ ଅଧିକ କିଣୁଛି। ସାଧାରଣତଃ ମଧ୍ୟପ୍ରାଚ୍ୟ ଓ ଆଫ୍ରିକୀୟ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକୁ ନେଇ ଗଠିତ ଓପେକ୍ ସମୂହଠାରୁ ଭାରତ ଅଧିକ ତେଲ କିଣୁଥିଲା। ସେହି ସମୟରେ ଇରାକ୍ ଓ ସାଉଦି ଆରବରୁ ଅଧିକ ତେଲ କିଣାଯାଉଥିଲା। ଏବେ ଏହି ଦୁଇ ଦେଶରୁ ଯେତିକି ତେଲ କିଣାଯାଉଛି ତା’ଠାରୁ ଦୁଇ ଗୁଣା ଅଧିକ ଲେ ରୁଷ୍ରୁ ମଗାଯାଉଛି। ଦିନ ଥିଲା ଭାରତ ଏହାର ୯୦ ପ୍ରତିଶତ ତେଲ ଓପେକ୍ରୁ ମଗାଉଥିଲା। ଯେବେଠାରୁ ରୁଷ୍ ତେଲ ରିହାତିରେ ମିଳିବା ଆରମ୍ଭ ହୋଇଛି, ଭାରତର ତେଲ କିଣାରେ ଓପେକ୍ର ଭାଗ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଚଳିତ ବର୍ଷ ଏପ୍ରିଲ୍ରେ ଭାରତ ୪୬ ପ୍ରତିଶତ ତେଲ ଓପେକ୍ ରାଷ୍ଟ୍ରଗୁଡ଼ିକଠାରୁ ମଗାଇଛି। ଦୁଇ ବର୍ଷରୁ କମ୍ ସମୟ ଭିତରେ ଭାରତୀୟ ତୈଳ ବଜାରରେ ଓପେକ୍ ଏହାର ଏକ ବଡ଼ ଭାଗ ହରାଇଛି। ୨୦୧୭-୧୮ ପରଠାରୁ ଭାରତ ସର୍ବାଧିକ ତେଲ ଇରାକ୍ରୁ କିଣୁଥିଲା। ଏବେ କିନ୍ତୁ ତେଲ ଯୋଗାଇବାରେ ଏକ ନମ୍ବର ସ୍ଥାନରେ ରୁଷ୍ ଥିବା ବେଳେ ଇରାକ୍ ଦ୍ବିତୀୟ ଓ ସାଉଦି ଆରବ ତୃତୀୟ ସ୍ଥାନକୁ ଖସିଆସିଛି। ୟୁଏଇ ଚତୁର୍ଥ ଓ ଆମେରିକା ପଞ୍ଚମ ସ୍ଥାନରେ ରହିଛି।
ରୁଷ୍ ଉପରେ ଚାପ ସୃଷ୍ଟି କରିବା ଲାଗି ଗତବର୍ଷ ଡିସେମ୍ବରରେ ଏହାର ତେଲ ଉପରେ ୟୁରୋପୀୟ ସଂଘ କଟକଣା ଲଗାଇଥିଲା। ରୁଷ୍ ତେଲର ବ୍ୟାରେଲ ପିଛା ଦାମ୍ ୬୦ ଡଲାର ବୋଲି ଧାର୍ଯ୍ୟ କରାଯାଇଥିଲା। ରୁଷ୍ ତେଲ କିଣା ଉପରେ ୟୁରୋପର ଜାହାଜ ଓ ବୀମା ସେବା ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା। ରୁଷ୍ରୁ ସୁଲଭ ମୂଲ୍ୟରେ ମିଳୁଥିବା ଅଶୋଧିତ ତୈଳକୁ ବିଶୋଧନ କରି ସେଥିରୁ ପେଟ୍ରୋଲ ଓ ଡିଜେଲ୍ ଉତ୍ପାଦନ କରାଯାଉଛି। ନିଜ ଦେଶର ଆବଶ୍ୟକତା ପୂରଣ କରିବା ପରେ ଅବଶିଷ୍ଟ ତେଲ ୟୁରୋପ ଓ ଅନ୍ୟ ଦେଶଗୁଡ଼ିକୁ ରପ୍ତାନି କରାଯାଉଛି। ଭାରତ ମଧ୍ୟ ଦେଇ ରୁଷ୍ ତେଲ ୟୁରୋପରେ ପହଞ୍ଚୁଛି। ପୂର୍ବରୁ ରୁଷ୍ ତେଲର ସବୁଠୁ ବଡ଼ ଗ୍ରାହକ ଥିଲେ ୟୁରୋପୀୟ ଦେଶ। ସେମାନେ କଟକଣା ଲଗାଇବା ପରେ ରୁଷ୍ ବାଧ୍ୟ ହୋଇ ଏହାର ତେଲକୁ ରିହାତି ଦାମ୍ରେ ଭାରତ ଓ ଚୀନ୍କୁ ବିକ୍ରି କରି ନିଜ ବଜାର ଭାଗ ବଜାୟ ରଖିବାକୁ ଉଦ୍ୟମ କରୁଛି। ରୁଷ୍ରୁ ଶସ୍ତାରେ ତେଲ କିଣିବା ଲାଗି ଭାରତ ଡଲାର ବଦଳରେ ୟୁଏଇର ମୁଦ୍ରା ଡିରହାମ୍ରେ ପେମେଣ୍ଟ୍ କରୁଛି।
ଆମ ପାଖରେ ବିପୁଳ ଟଙ୍କା ଅଛି, ବ୍ୟବହାର କରିପାରୁନୁ: ରୁଷ୍
ଗୋଆ: ଭାରତୀୟ ବ୍ୟାଙ୍କଗୁଡ଼ିକରେ ଆମର ବିପୁଳ ଟଙ୍କା ଜମା ରହିଛି। ସେଗୁଡ଼ିକୁ କିନ୍ତୁ ଆମେ ବ୍ୟବହାର କରିପାରୁନୁ। ଆମେ ସେହି ଟଙ୍କା ବ୍ୟବହାର କରିବାକୁ ଚାହୁଛୁ। କିନ୍ତୁ ସେଥିରେ ସମସ୍ୟା ରହିଛି। ସେଥିପାଇଁ ଟଙ୍କାକୁ ଅନ୍ୟ ମୁଦ୍ରାରେ ବଦଳାଇବାକୁ ପଡ଼ିବ। ସେବିଷୟରେ ଆମେ ଆଲୋଚନା କରୁଛୁ ବୋଲି ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭ୍ କହିଛନ୍ତି। ଗୋଆରେ ଅନୁଷ୍ଠିତ ସାଂଘାଇ ସହଯୋଗିତା ସଂଗଠନ (ଏସ୍ସିଓ) ବୈଠକରେ ଯୋଗ ଦେଇ ସେ ଏହା କହିଛନ୍ତି। ଭାରତ ଓ ରୁଷ୍ ମଧ୍ୟରେ ଦୁଇ ଦେଶର ବିନିମୟ ମୁଦ୍ରା ଟଙ୍କା ଓ ରୁବଲ୍ରେ କାରବାର ହେଉଛି। ରୁଷ୍ରୁ ଭାରତ ଯେତିକି ମୂଲ୍ୟର ସାମଗ୍ରୀ କିଣୁଛି, ସେହି ଅନୁସାରେ ସାମଗ୍ରୀ ସେଠାକୁ ପଠାଇପାରୁନାହିଁ। ତେଣୁ ଉଭୟ ଦେଶ ଭିତରେ ବଡ଼ ଧରଣର ବାଣିଜ୍ୟ ନିଅଣ୍ଟ ରହିଛି। ଯେହେତୁ ରୁଷ୍ ଭାରତରୁ ଅଧିକ ସାମଗ୍ରୀ କିଣୁନାହିଁ, ତେଣୁ ତାହା ଭାରତ ଦେଉଥିବା ଟଙ୍କାକୁ ସହଜରେ ବ୍ୟବହାର କରିପାରୁନି। ସେହି ଟଙ୍କା ବିଭିନ୍ନ ଖାତାରେ ପଡ଼ିରହିଛି।