ଓଡ଼ିଶାରେ ୩,୬୧୫ କୋଟିର ଜିଏସ୍‌ଟି ସଂଗ୍ରହ, ଦେଶରେ ଲକ୍ଷେ ୧୬ ହଜାର କୋଟି ଟପିଲା

ନୂଆଦିଲ୍ଲୀ: ଜୁଲାଇ ମାସରେ ଓଡ଼ିଶାରେ ୩.୬୧୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଗତବର୍ଷ ଜୁଲାଇରେ ହୋଇଥିବା ୨,୩୪୮ କୋଟି ଟଙ୍କା ତୁଳନାରେ ଏହା ୫୪ ପ୍ରତିଶତ ଅଧିକ। ସର୍ବଭାରତୀୟ ସ୍ତରରେ ଜୁଲାଇରେ ୧,୧୬,୩୯୩ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। କରୋନା ମହାମାରୀ ମୁକାବିଲା ଲାଗି ଲଗାଯାଇଥିବା କଟକଣା ଧୀରେ ଧୀରେ କୋହଳ କରାଯାଉଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ହେଉଛି। ସେଥିପାଇଁ ଜିଏସ୍‌ଟି ସଂଗ୍ରହ ବଢ଼ିଛି। ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସୁଧାରର ଏକ ବଡ଼ ସଙ୍କେତ ବୋଲି କହିଛନ୍ତି।

ଚଳିତ ବର୍ଷ ଜୁଲାଇରେ ୨୨,୧୯୭ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୨୮,୫୪୧ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୫୭,୮୬୪ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ସଂଗ୍ରହ ହୋଇଛି। ସମନ୍ବିତ ଜିଏସ୍‌ଟି ମଧ୍ୟରୁ ୨୭,୭୦୦ କୋଟି ଟଙ୍କା ଆମଦାନି କରାଯାଉଥିବା ସାମଗ୍ରୀରୁ ମିଳିଥିବା ବେଳେ ୭,୭୯୦ କୋଟି ଟଙ୍କା ସେସ୍‌ ଭାବେ ଆଦାୟ କରାଯାଇଛି। ଜୁନ୍ ମାସ ପାଇଁ ଜୁଲାଇ ୧ରୁ ୫ ତାରିଖ ପର୍ଯ୍ୟନ୍ତ କିଛି ଟିକସଦାତା ଜିଏସ୍‌ଟି ପଇଠ କରିଥିଲେ। ଏହି ପାଞ୍ଚ ଦିନରେ ୪,୯୩୭ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି। ତାହାକୁ ଜୁଲାଇ ମାସର ହିସାବରେ ଯୋଡ଼ାଯାଇଛି।

କ୍ରମାଗତ ଆଠ ମାସ ପର୍ଯ୍ୟନ୍ତ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିବା ପରେ ଜୁନ୍‌ରେ ଲକ୍ଷେ କୋଟି ତଳକୁ ଖସିଯାଇଥିଲା। କରୋନା ମହାମାରୀ ଦ୍ବିତୀୟ ଲହରର ମୁକାବିଲା ଲାଗି ନିଆଯାଇଥିବା କଠୋର ପଦକ୍ଷେପ ଯୋଗୁଁ ଟିକସ ଆଦାୟ କମିଥିଲା। ଜୁଲାଇ ମାସରେ ସ୍ଥିତିରେ ସୁଧାର ହେବା ସହ ଟିକସ ଆଦାୟ ବଢ଼ିଛି। ଏହି ଧାରା ଆଗାମୀ ମାସଗୁଡ଼ିକରେ ମଧ୍ୟ ଜାରି ରହିବ ବୋଲି ସରକାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର