ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ ଓ ଏପ୍ରିଲ୍ ମାସରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୩୬୨୨ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ବିକ୍ରି କରାଯାଇଥିବା ଜଣାପଡ଼ିଛି। ପୁନେର ବାସିନ୍ଦା ବିହାର ଧୁର୍ବେ ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ଏହି ତଥ୍ୟ ହାସଲ କରିଛନ୍ତି। ତାଙ୍କ ଆର୍ଟିଆଇ ଆବେଦନ ଉପରେ ଷ୍ଟେଟ୍ ବ୍ୟାଙ୍କ ଉତ୍ତର ଦେଇ ଜଣାଇଛି ଯେ, ଗତ ମାର୍ଚରେ ୧୩୬୫.୬୯ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ବିକ୍ରି ହୋଇଥିଲା। ଏହାର ପରବର୍ତୀ ମାସରେ ଅର୍ଥାତ ଏପ୍ରିଲ୍ରେ ଏହି ବଣ୍ଡ୍ ବିକ୍ରି ପରିମାଣ ୬୫.୨୧% ବୃଦ୍ଧି ପାଇ ୨୨୫୬.୩୭ କୋଟି ଟଙ୍କା ହୋଇଥିଲା।
ଏପ୍ରିଲ୍ରେ ସର୍ବାଧିକ ୬୯୪ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ମୁମ୍ବାଇରେ ବିକ୍ରି ହୋଇଥିବା ବେଳେ କୋଲକାତାରେ ୪୧୭.୩୧ କୋଟି ଟଙ୍କା, ନୂଆଦିଲ୍ଲୀରେ ୪୦୮.୬୨ କୋଟି ଟଙ୍କା ଓ ହାଇଦ୍ରାବାଦରେ ୩୩୮.୦୭ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ବିକ୍ରି ହୋଇଥିଲା। ନିର୍ବାଚନୀ ପାଣ୍ଠି ହାସଲ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଲକ୍ଷ୍ୟ ନେଇ ନିର୍ବାଚନୀ ବଣ୍ଡ୍ ଜାରି କରାଯାଉଛି। ଯେଉଁମାନେ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଦେବାକୁ ଚାହୁଛନ୍ତି ସେମାନେ ନିର୍ବାଚନୀ ବଣ୍ଡ୍ କିଣୁଛନ୍ତି। ଏହା ଦ୍ବାରା ରାଜନୈତିକ ଦଳଗୁଡ଼ିକର ପାଣ୍ଠି ଉପରେ ନଜର ରଖାଯାଇପାରୁଛି। ନିର୍ବାଚନୀ ବଣ୍ଡ୍ର ବୈଧତା ହେଉଛି ୧୫ ଦିନ। ସେହି ସମୟ ଭିତରେ ରାଜନୈତିକ ଦଳକୁ ଏକ ନିର୍ଦିଷ୍ଟ ବ୍ୟାଙ୍କ ଖାତା ଜରିଆରେ ବଣ୍ଡ୍ରେ ଥିବା ଅର୍ଥ ହାସଲ କରିବାକୁ ପଡ଼ୁଛି। ନିର୍ବାଚନୀ ବଣ୍ଡ୍କୁ ନେଇ ସରକାର ୨୦୧୮ରେ ଯେଉଁ ବିଜ୍ଞପ୍ତି ଜାରି କରିଥିଲେ ତାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଛି। ଆସୋସିଏସନ ଫର ଡେମୋକ୍ରେଟିକ୍ ରିଫର୍ମ (ଏଡିଆର୍) ତରଫରୁ ନିର୍ବାଚନୀ ବଣ୍ଡ୍ ବିକ୍ରି ଉପରେ ରୋକ ଲଗାଇବାକୁ ଦାବି କରାଯାଇଥିବା ବେଳେ ସିପିଆଇ (ଏମ୍) ତରଫରୁ ଏହା ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଏଡିଆର୍ ମଧ୍ୟ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛି।
୩୬୨୨ କୋଟିର ନିର୍ବାଚନୀ ବଣ୍ଡ୍ ବିକ୍ରି, ମାର୍ଚ, ଏପ୍ରିଲ୍ରେ ଷ୍ଟେଟ୍ ବ୍ୟାଙ୍କ ବିକିଛି
/sambad/media/post_attachments/wp-content/uploads/2019/05/PoliticalDonations.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)