ରାଜ୍ୟରେ ଅଗଷ୍ଟ ସୁଦ୍ଧା ୩୬,୪୫୫ କୋଟି ରାଜସ୍ବ ସଂଗ୍ରହ

ଭୁବନେଶ୍ବର: ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୩୬,୪୫୫ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷ ଏହି ସମୟରେ ହୋଇଥିବା ୩୧,୫୪୮.୪୯ କୋଟି ଟଙ୍କା ସଂଗ୍ରହ ତୁଳନାରେ ୧୫.୫୫ ପ୍ରତିଶତ ଅଧିକ। ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଥିବା ସମୀକ୍ଷାରୁ ଜଣାପଡ଼ିଛି ଯେ ଅଗଷ୍ଟ ସୁଦ୍ଧା ଟିକସ ରାଜସ୍ବ ଭାବେ ୧୭,୭୨୨.୨୨ କୋଟି ଟଙ୍କା ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷ ଏହି ସମୟରେ ୧୪,୭୩୧ କୋଟି ଟଙ୍କା ଥିଲା। ଏଥିରେ ୨୦.୩୦ ପ୍ରତିଶତର ବୃଦ୍ଧି ହୋଇଛି। ଅଣ ଟିକସ ରାଜସ୍ବ ସଂଗ୍ରହ ୧୧.୩୯ ପ୍ରତିଶତ ବୃଦ୍ଧି ପାଇ ୧୮,୭୩୨.୬୭ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ଏହି ସମୟରେ ଅଣ ଟିକସ ରାଜସ୍ବ ସଂଗ୍ରହ ୧୬,୮୧୭ କୋଟି ଟଙ୍କା ଥିଲା।

ବଜେଟ୍ ବିନିଯୋଗ ସମୀକ୍ଷାରୁ ଜଣାପଡିଛି ଯେ ୨୦୨୧ ଅଗଷ୍ଟ ଶେଷସୁଦ୍ଧା ବିଭିନ୍ନ ଯୋଜନା ଓ ପ୍ରକଳ୍ପରେ ୧୮,୮୨୧ କୋଟି ଟଙ୍କା ବିନିଯୋଗ ହୋଇଥିଲା। ଚଳିତ ବର୍ଷ ସେହି ସମୟରେ ୨୦,୨୧୧ କୋଟି ଟଙ୍କା ବିନିଯୋଗ ହୋଇଛି। ଭିତ୍ତିଭୂମି ବିକାଶ, କୃଷି, ପାନୀୟ ଜଳ ଯୋଗାଣ, ଜଳସେଚନ, କୃଷକମାନଙ୍କ ଆୟବୃଦ୍ଧି ଏବଂ ମହିଳା ସଶକ୍ତୀକରଣ ଆଦି ପ୍ରକଳ୍ପରେ ନିର୍ଧାରିତ ସମୟ ମଧ୍ୟରେ ଆବଣ୍ଟିତ ଅର୍ଥକୁ ଶତ ପ୍ରତିଶତ ବିନିଯୋଗ କରିବା ଲାଗି ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ପ୍ରକଳ୍ପର ଗୁଣାତ୍ମକମାନ ବଜାୟ ରଖିବା ସହ ବିନିଯୋଗ ହେଉଥିବା ଅର୍ଥରୁ ଯେପରି ଜନସାଧାରଣ ସର୍ବାଧିକ ସୁବିଧା ପାଇପାରିବେ ସେ ଦିଗ ପ୍ରତି ଧ୍ୟାନ ଦେବାକୁ ସେ ବିଭାଗଗୁଡ଼ିକୁ କହିଛନ୍ତି। ଜିଲ୍ଲା ପରିଦର୍ଶନ ସମୟରେ ନୂତନ ଭାବେ ନିର୍ମିତ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ, ଉଠା ଜଳସେଚନ ପଏଣ୍ଟ୍, ବିଦ୍ୟୁତ ସବଷ୍ଟେସନ୍ ଓ ଯୋଗାଣ, ବିଦ୍ୟାଳୟ ରୂପାନ୍ତରଣରେ ସ୍ଥାପିତ ସୁବିଧା ସୁଯୋଗର ବ୍ୟବହାର ଆଦି ପ୍ରକଳ୍ପର କାର୍ଯ୍ୟକାରୀତା ସମୀକ୍ଷା କରିବାକୁ ସେ ସଚିବ ଓ ସ୍ବତନ୍ତ୍ର ସଚିବମାନଙ୍କୁ କହିଛନ୍ତି। ବର୍ଷାଋତୁ ଶେଷ ହେଉଥିବାରୁ ସମସ୍ତ ପ୍ରକଳ୍ପର ଟେଣ୍ଡର ଏବଂ ଠିକାଦାର ଚୁକ୍ତି ସାରି ଶିଘ୍ର କ୍ଷେତ୍ରାୟନ ଆରମ୍ଭ କରିବାକୁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଥିଲେ। ଆସନ୍ତା ଆର୍ଥିକ ବର୍ଷରେ ବଜେଟ୍‌ ପାଇଁ ଆଗୁଆ ପ୍ରକଳ୍ପ ଚିହ୍ନଟ ଏବଂ ପ୍ରସ୍ତାବ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ବିଭାଗଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର