୩,୬୫୧ କୋଟି ଜିଏସ୍‌ଟି କ୍ଷତିପୂରଣ ବାକି

ଭୁବନେଶ୍ବର: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ଯେଉଁ କ୍ଷତିପୂରଣ ରାଶି ପାଉଥିଲେ ସେଥିରୁ ୩,୬୫୧ କୋଟି ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ। ଆଜି ବିଧାନସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି। ୨୦୧୭ ଜୁଲାଇରେ ଜିଏସ୍‌ଟି ଲାଗୁ ହେବା ପରଠାରୁ ରାଜ୍ୟ ସରକାର କେତେ କ୍ଷତିପୂରଣ ଦାବି କରିଛନ୍ତି ଓ କେତେ ଟଙ୍କା ସେଥିରୁ ମିଳିଛି ତାହାର ବିସ୍ତୃତ ତଥ୍ୟ ଅର୍ଥମନ୍ତ୍ରୀ ଗୃହରେ ଉପସ୍ଥାପନ କରିଛନ୍ତି।

ଭାଟ୍, ପ୍ରବେଶ ଶୁଳ୍କ, ମନୋରଞ୍ଜନ ଟିକସ, ଜଙ୍ଗଲ ବିକାଶ ଟିକସ, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ସେବା କର, ସିଏସ୍‌ଟି ଓ ଅନ୍ୟାନ୍ୟ ପରୋକ୍ଷ ଟିକସ ଉଚ୍ଛେଦ କରି ସେହି ସ୍ଥାନରେ ଜିଏସ୍‌ଟି ଲାଗୁ କରାଯାଇଥିଲା। ଏହା ଦ୍ବାରା ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିଥିଲେ ତାହାକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଭରଣା କରିବା ଲାଗି ଜିଏସ୍‌ଟି ନିୟମରେ ବ୍ୟବସ୍ଥା ଥିଲା। ସେହି ଅବଧି ଚଳିତ ବର୍ଷ ଜୁନ୍ ୩୦ରେ ଶେଷ ହୋଇଛି। ୨୦୧୭ ଜୁଲାଇ ୧ରୁ ୨୦୨୨ ଜୁନ୍ ୩୦ ପର୍ଯ୍ୟନ୍ତ ଓଡ଼ିଶାର ସଂରକ୍ଷିତ ରାଜସ୍ବ ୯୮,୨୪୧.୩ କୋଟି ଟଙ୍କା ଥିଲା। ରାଜ୍ୟ ସରକାର ଏହି ସମୟ ଖଣ୍ଡରେ ୬୦,୧୫୧.୪୬ କୋଟି ଟଙ୍କାର ଟିକସ ସଂଗ୍ରହ କରିଥିଲେ। ଫଳରେ ୨୯,୬୬୮.୨୩ କୋଟି ଟଙ୍କାର ଅଭାବ ରହିଥିଲା ଯାହାକୁ କ୍ଷତିପୂରଣ ଆକାରରେ ଦେବା ଲାଗି ରାଜ୍ୟ ସରକାର ଦାବି ଉପସ୍ଥାପନ କରିଥିଲେ। ସେଥିରୁ ୨୦୧୭-୧୮ରୁ ୨୦୨୦-୨୧ ପର୍ଯ୍ୟନ୍ତ ୧୬,୧୬୪.୫ କୋଟି ଟଙ୍କା କେନ୍ଦ୍ରରୁ ମିଳିଥିଲା। କରୋନା ମହାମାରୀ ପ୍ରଭାବ ଯୋଗୁଁ ଟିକସ ସଂଗ୍ରହ ହ୍ରାସ ପାଇଥିଲା। ତେଣୁ କେନ୍ଦ୍ର ସରକାର ନିଜେ ଋଣ କରି ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ଦେଇଥିଲେ। ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୧୦,୨୫୨ କୋଟି ଟଙ୍କାର ଋଣ କେନ୍ଦ୍ରରୁ ମିଳିଥିଲା। ଏହି ଋଣ ଉପରେ ରାଜ୍ୟ ସରକାରଙ୍କୁ ମୂଳଧନ କିମ୍ବା ସୁଧ ପଇଠ କରିବାକୁ ପଡ଼ିବ ନାହିଁ।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୮୦୮୫.୪୨ କୋଟି ଟଙ୍କାର କ୍ଷତିପୂରଣ ଦାବି ଉପସ୍ଥାପନ କରିଥିଲେ। ଋଣ କରି କେନ୍ଦ୍ର ସରକାର ୩୮୨୨ କୋଟି ଟଙ୍କା ଓଡ଼ିଶାକୁ ଦେଇଥିଲେ। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୭୯୯୭.୭୦ କୋଟି ଟଙ୍କାର କ୍ଷତିପୂରଣ ଦାବି ଉପସ୍ଥାପନ କରିଥିଲେ। ସେଥିରୁ ୬୪୩୦.୨୦ କୋଟି ଟଙ୍କାର ଋଣ କେନ୍ଦ୍ର ସରକାର ଦେଇଥିଲେ। ସେହି ଆର୍ଥିକ ବର୍ଷର ୧୧୬୭.୫୦ କୋଟି ଟଙ୍କାର କ୍ଷତିପୂରଣ ମିଳିନାହିଁ। ୨୦୨୨-୨୩ ଆର୍ଥିକ ବର୍ଷର ୨୦୨୨ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ପାଇଁ ରାଜ୍ୟ ସରକାର ୨୦୮୪.୦୩ କୋଟି ଟଙ୍କାର କ୍ଷତିପୂରଣ ଦାବି ଉପସ୍ଥାପନ କରିଥିଲେ। ସେହି ଟଙ୍କା ମିଳିନାହିଁ। ଆଲୋଚ୍ୟ ଦୁଇ ଆର୍ଥିକ ବର୍ଷ ପାଇଁ ମୋଟ ୩,୬୫୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଓଡ଼ିଶା ପାଇବାକୁ ବାକି ଅଛି। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଲିଖିତ ଉତ୍ତର ଅନୁଯାୟୀ, ରାଜ୍ୟରେ ୨୦୧୭-୧୮ରେ ୮,୪୨୧.୭୧ କୋଟି ଟଙ୍କା, ୨୦୧୮-୧୯ରେ ୧୨,୧୨୯ କୋଟି ଟଙ୍କା, ୨୦୧୯-୨୦ରେ ୧୩,୩୨୯.୯୭ କୋଟି ଟଙ୍କା, ୨୦୨୦-୨୧ରେ ୧୩,୨୦୯.୧୩ କୋଟି ଟଙ୍କା, ୨୦୨୧-୨୨ରେ ୧୬,୬୫୫.୨୯ କୋଟି ଟଙ୍କା ଓ ୨୦୨୨-୨୩ରେ ୪୮୨୮.୦୭ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଥିଲା। ୨୦୧୭-୧୮ରୁ ୨୦୨୦-୨୧ ପର୍ଯ୍ୟନ୍ତ ରାଜ୍ୟ ସରକାର ଯେତିକି ଟଙ୍କାର କ୍ଷତିପୂରଣ ଦାବି ଉପସ୍ଥାପନ କରିଥିଲେ ତାହା ସବୁ ମିଳିଯାଇଛି।

ସମ୍ବନ୍ଧିତ ଖବର