ରାଜ୍ୟରେ ୩,୭୦୦ ଜାଲ୍ କଂପାନି ବନ୍ଦ

ନୂଆଦିଲ୍ଲୀ: ଗତ ତିନିଟି ଆର୍ଥିକ ବର୍ଷରେ ରାଜ୍ୟରେ ୩,୭୦୦ରୁ ଅଧିକ ଜାଲ୍ କଂପାନିକୁ ବନ୍ଦ କରାଯାଇଛି। ୨୦୧୮-୧୯ରେ ୨୯୦୭ଟି, ୨୦୧୯-୨୦ରେ ୭୧୯ଟି ଓ ୨୦୨୦-୨୧ରେ ୭୮ଟି ଜାଲ୍‌ କଂପାନିକୁ ଓଡ଼ିଶାରେ ବନ୍ଦ କରାଯାଇଛି ବୋଲି ରାଜ୍ୟସଭାରେ କର୍ପୋରେଟ୍‌ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦରଜିତ ସିଂହ ଦେଇଥିବା‌ ଲିଖିତ ଉତ୍ତରରୁ ଜଣାପଡ଼ିଛି। ଯେଉଁ କଂପାନିଗୁଡ଼ିକ ବହୁ ବର୍ଷ ପର୍ଯ୍ୟନ୍ତ ନିସ୍କ୍ରିୟ ରହିଥାଏ କିମ୍ବା କଂପାନି ପାଖରେ କୌଣସି ସମ୍ପତ୍ତି ନଥାଏ ସେଗୁଡ଼ିକୁ ଜାଲ୍‌ କଂପାନି ବୋଲି ବିଚାର କରାଯାଏ। ମନି ଲଣ୍ଡରିଂ, ଟିକସ ଠକେଇ ଓ ବେଆଇନ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଏଭଳି କଂପାନି ଗଠନ କରାଯାଉଛି। ଶ୍ରୀ ସିଂହ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୨୦-୨୧ରେ ସାରା ଦେଶରେ ୧୨,୮୮୯ଟି ଜାଲ୍ କଂପାନି ବନ୍ଦ କରାଯାଇଛି।

ଜାଲ୍ କଂପାନିଗୁଡ଼ିକୁ ଚିହ୍ନଟ କରିବା ଲାଗି ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ରହିଛି। ଲଗାତାର ଦୁଇଟି ଆର୍ଥିକ ବର୍ଷରେ କୌଣସି କାରବାର କରିନଥିବା କଂପାନିଗୁଡ଼ିକୁ ଜାଲ୍‌ ବୋଲି ବିଚାର କରାଯାଉଛି। ସେଗୁଡ଼ିକୁ ବନ୍ଦ କରିବା ଲାଗି ରେଜିଷ୍ଟ୍ରାର ଅଫ୍‌ କଂପାନିଜ୍‌ ନିୟମରେ ଥିବା ବ୍ୟବସ୍ଥାକୁ ପାଳନ କରାଯାଉଛି। ନିସ୍କ୍ରିୟ କଂପାନି ପାଇଁ ନିୟମର ଧାରା ୪୫୫ ଅଧୀନରେ ଆବେଦନ କରୁନଥିବା ସଂସ୍ଥାଗୁଡ଼ିକୁ ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶରେ ୧,୫୬,୯୨୮ଟି ଜାଲ୍ କଂପାନିକୁ ବନ୍ଦ କରାଯାଇଥିବା ବେଳେ ୨୦୧୯-୨୦ରେ ୬୪,୭୬୮ଟି ଜାଲ୍ କଂପାନି ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର