ଭୁବନେଶ୍ବର: ଭଲ ମାନର କୋଇଲାକୁ ଖରାପ ମାନ ଦର୍ଶାଇ ଓସିପିଏଲ୍ (ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର ଲିମିଟେଡ୍) ଶାଗମାଛ ଦରରେ ବାହାରେ ବିକ୍ରି କରିଛି। ଏଥିପାଇଁ ଓଡ଼ିଶାକୁ ୩୭୨ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିଛି। ଆକାଉଣ୍ଟାଣ୍ଟ୍ ଜେନେରାଲ ତାଙ୍କ ରିପୋର୍ଟରେ ଏହି ଅନିୟମିତତା ସଂପର୍କରେ ଦର୍ଶାଇଥିବା ନେଇ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଏହାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ପାଇଁ ଅଭିଯାନର ସଦସ୍ୟମାନେ ଦାବି କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ୨୦୧୫ ମସିହାରେ କୋଲ୍ ବ୍ଲକ ଆବଣ୍ଟନ ହେଉଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ର ଭାବେ ଓଡ଼ିଶା ସରକାର ଓ ଓପିଜିସି ମିଳିତ ଭାବେ ଓସିପିଏଲ୍ ଗଠନ କଲେ । ସମସ୍ତ ଉତ୍ପାଦିତ କୋଇଲା କିଣିବାକୁ ଓପିଜିସି ବାଧ୍ୟ ବୋଲି କୁହାଗଲା ଏବଂ ଏକ ଫୁଏଲ ସପ୍ଲାଇ ଏଗ୍ରିମେଣ୍ଟ (ଏଫ୍ଏସ୍ଏ) ନାମକ ଚୁକ୍ତି ସ୍ବାକ୍ଷର ହୋଇଥିଲା। କିନ୍ତୁ କୋଇଲା ଉତ୍ପାଦନ ପାଇଁ ଓସିପିଏଲ୍ର ନିଜସ୍ୱ ବୈଷୟିକ ଜ୍ଞାନକୌଶଳ ତଥା ଯନ୍ତ୍ରପାତି ଅଭାବ ଥିବାରୁ ୨୦୧୮ରେ ବିଜିଆର୍ ମାଇନିଂ ଇନଫ୍ରା କମ୍ପାନିକୁ କୋଇଲାର ମାନ ପରୀକ୍ଷଣ ଦାୟିତ୍ୱ ଦିଆଗଲା। ଜି-୧୨ ଏବଂ ଜି-୧୩ ଗ୍ରେଡ୍ କୋଇଲାକୁ ଓସିପିଏଲ୍, ଓପିଜିସିକୁ ଟନ ପିଛା ମୂଳ ଦର ୭୫୮ ସିହତ ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ୧୬୬୮ ଟଙ୍କାରେ ବିକ୍ରି କରିଥିବା ବେଳେ ଇ-ଅକ୍ସନ ସମୟରେ ଖୋଲା ମାର୍କେଟରେ ବିକ୍ରି କଲାବେଳେ କୋଇଲାକୁ ଜି-୧୭ ଗ୍ରେଡ୍ ଦର୍ଶାଇ ଟନ୍ ପିଛା ୧୯୪୦ ଟଙ୍କାରୁ ୬୪୪୨ ଟଙ୍କା ମଧ୍ୟରେ ବିକ୍ରି କରାଯାଇଛି । ଅର୍ଥାତ୍ ଗ୍ରେଡ୍ ୧୭ କୋଇଲାର ଦର ଯଦି ୬ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇପାରୁଛି, ତେବେ ଏହାକୁ ଗ୍ରେଡ୍ ୧୨ କିମ୍ବା ୧୩ରେ ବିକ୍ରି କରିଥିଲେ କୋଇଲାର ମୂଲ୍ୟ ଟନ୍ ପିଛା ନିଶ୍ଚିତ ଭାବରେ ୧୦ ହଜାରରୁ ୧୨ ହଜାର ଟଙ୍କା ପାଇପାରିଥାନ୍ତେ। ଅଡିଟ ଆଧାରରେ ଆକାଉଣ୍ଟାଣ୍ଟ ଜେନେରାଲ ଏବେ ଓସିପିଏଲ୍କୁ ଉତ୍ତର ମାଗିଛନ୍ତି ବୋଲି କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ସୁବୁଦ୍ଧି ମହାନ୍ତି, ପ୍ରକାଶ ଦାସ ଓ ସୁଦାମ କଦମାସିଂହ ପ୍ରମୁଖ ଉପସ୍ଥିତ ଥିଲେ।