ଖୁଚୁରା ଶିଳ୍ପକୁ ୩୭୫୦ କୋଟିର କ୍ଷତି, ସହାୟତା ଦାବି କଲା ସଂଘ

ବେଙ୍ଗାଲୁରୁ: କରୋନା ପାଇଁ ଏବେ ଦେଶର ଖୁଚୁରା ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାଲି, ଚାଉଳ, ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଲେ ଦେଶରେ ଅନ୍ୟ ସବୁ ଦୋକାନ, ସୋ’ରୁମ୍ ବନ୍ଦ ରହିଛି। ମଲ୍‌ ସମେତ ପୋଷାକ, ଗହଣା ଆଦି ସୋରୁମ୍ ଆଦି ବନ୍ଦ ରହିଛି। ଏପରିକି ଅନେକ କାରଖାନା ମଧ୍ୟ ବନ୍ଦ ରହିଛି। କାର୍‌ ଠାରୁ ଆରମ୍ଭ କରି ପୋଷାକ ଏବଂ ଚକୋଲେଟ୍‌ର ବିକ୍ରି କମିଯାଇଛି। ଫଳରେ ଭାରତୀୟ ଖୁଚୁରା ବ୍ୟବସାୟୀମାନେ ୫୦୦ ନିୟୁତ ଡଲା ବା ପ୍ରାୟ ଭାରତୀୟ ମୁଦ୍ରାରେ ପାଖାପାଖି ୩୭୫୦ କୋଟି ଟଙ୍କାର କ୍ଷତି ସହିବାକୁ ଯାଉଛନ୍ତି ବୋଲି ଭାରତୀୟ ରିଟେଲ ସଂଘ (ଆରଏଆଇ) ପକ୍ଷରୁ କୁହାଯାଇଛି। ପୋଷାକ ଏବଂ ଗହଣା ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ସୋ’ରୁମ୍ ଗୁଡ଼ିକ ଗୁରୁତର ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ସରକାର ଯଦି ତୁରନ୍ତ ହସ୍ତକ୍ଷେପ ନକରନ୍ତି ତାହେଲେ ସଂଗଠିତ ଏବଂ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପାଖାପାଖି ୮୦ ଲକ୍ଷ ଲୋକଙ୍କ ଚାକିରି ବିପଦରେ ରହିବ ବୋଲି ଭାରତୀୟ ରିଟେଲ ସଂଘର ସିଇଓ କୁମାର ରାଜଗୋପାଳନ କହିଛନ୍ତି। ଫ୍ୟୁଚର ରିଟେଲର ପ୍ରତିଷ୍ଠାତା କିଶୋର ବିୟାନୀ କହିଛନ୍ତି, ଅଧିକାଂଶ ଷ୍ଟୋର ବନ୍ଦ ରହିଛି। ସେମାନେ କେବଳ ତେଜରାତି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଛନ୍ତି। ଷ୍ଟୋର ଗୁଡ଼ିକ ଅସ୍ଥାୟୀ ଭାବେ ବନ୍ଦ ରହିଥିବାରୁ କମ୍ପାନିକୁ ବହୁ ପରିମାଣର କ୍ଷତି ସହିବାକୁ ପଡ଼ୁଛି। କମ୍ପାନିର ରାଜସ୍ବ କମୁଛି। ଗ୍ରାହକଙ୍କ ସଂଖ୍ୟା ଆଖିଦୃଶିଆ ଭାବେ ହ୍ରାସ ପାଇଛି ବୋଲି ସେ କହିଛନ୍ତି।

ଏଥିପାଇଁ କମ୍ପାନି ଗୁଡ଼ିକୁ ସେମାନଙ୍କ ଦେୟ ପ୍ରଦାନ ଲାଗି ୯୦ ଦିନ ଅର୍ଥାତ୍ ଜୁନ୍ ୩୦ ପର୍ଯ୍ୟନ୍ତ ମହଲତ ଦେବାକୁ ସଂଘ ଦାବି କରିଛି। ସେହିଭଳି ବ୍ୟାଙ୍କ ମଧ୍ୟ ସୁଧ ଆଦାୟକୁ ୧୨୦ ଦିନ କୋହଳ କରିବା ସମେତ ବ୍ୟବସାୟ ଚଳାଇ ରଖିବା ପାଇଁ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ କମ୍ ସୁଧରେ ୨୫ ପ୍ରତିଶତ ଅଧିକ ପାଣ୍ଠି ଯୋଗାଇ ଦେବା ଭଳି ଦାବି ସଂଘ ପକ୍ଷରୁ କରାଯାଇଛି। ଭାରତରେ ରିଟେଲ ସଂଘ ଅଧୀନରେ ୫ ଲକ୍ଷରୁ ଅଧିକ ଷ୍ଟୋର ଅଛନ୍ତି। ଏଥିରେ ମଦୁରା ଫେସନ୍ସ, ଭି-ମାର୍ଟ, ସପର୍ସ ଷ୍ଟପ୍‌ ଏବଂ ଫ୍ୟୁଚର ଗ୍ରୁପ୍ ଭଳି ଷ୍ଟୋର ରହିଛନ୍ତି। ଲକଡାଉନ୍ ଅଧିକ ଦିନ ଧରି ଜାରି ରହିବା ଆଶଙ୍କାରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ ମାତ୍ରାରେ କିଣୁଥିବାବେଳେ ଅଣ ଅତ୍ୟାବଶ୍ୟକ ସାମଗ୍ରୀ କମ୍ କିଣୁଛନ୍ତି। ଭାରତରେ ମୋଟ ଖୁଚୁରା ବଜାରରେ ମାତ୍ର ୨୫ ପ୍ରତିଶତ ସଂଗଠିତ ହୋଇଥିବାବେଳେ ଏଥିରେ ୬୦ ଲକ୍ଷ ଲୋକ କାମ କରୁଛନ୍ତି। ଅସଙ୍ଗଠିତ କ୍ଷେତ୍ରରେ ପ୍ରାୟ ୩ କୋଟି ଲୋକ କାମ କରୁଛନ୍ତି। ଅର୍ଥନିୀତିରେ ଚାହିଦା ମନ୍ଥର ଥିବା ଯୋଗୁଁ ଖୁଚୁରା ବ୍ୟବସାୟୀଙ୍କ ବିକ୍ରି ଗତ ପ୍ରାୟ ବର୍ଷେ ହେଲା ଭଲ ନାହିଁ। ଏବେ କରୋନା ପ୍ରଭାବ ଏହାକୁ ଅଧିକ ସଙ୍ଗୀନ କରିଦେଇଛି।

କରୋନା ରୋଗର ପ୍ରଭାବ ଯଦି ବି ଦୁଇ ମାସ ମଧ୍ୟରେ କମିଯାଏ ତଥାପି ଖୁଚୁରା ଶୁଳ୍ପ ଆହୁରି ୬ ମାସ ପର୍ଯ୍ୟନ୍ତ ସମସ୍ୟା ଦେଇ ଗତି କରିବ ବୋଲି ଆକଳନ କରାଯାଉଛି। ଗ୍ରାହକମାନେ ହଠାତ ଷ୍ଟୋରକୁ ଆସିବେ ନାହିଁ ବୋଲି ରାଜଗୋପାଳନ କହିଛନ୍ତି। ପିଟର ଇଂଲଣ୍ଡ ଏବଂ ଆଲେନ ସୋଲି ଭଳି ବ୍ରାଣ୍ଡ୍‌ର ପୋଷାକ ବିକ୍ରି କରୁଥିବା ଆଦିତ୍ୟ ବିର୍ଲା କମ୍ପାନି ତାହାର କର୍ଣ୍ଣାଟକ, ତାମିଲନାଡ଼ୁ ସମେତ ଓଡ଼ିଶାସ୍ଥିତ କାରଖାନାରେ ମଧ୍ୟ ଉତ୍ପାଦନ ବନ୍ଦ କରିଦେଇଛି। ବଜାରରେ ଯେଭଳି ଅନିଶ୍ଚିତତା ରହିଛି କ୍ଷତିର ପ୍ରଭାବ କେତେ ରହିବ ତାହା ଠିକ୍ ଭାବେ ଆକଳନ କରିବା କଷ୍ଟକର ବୋଲି ଏହି କମ୍ପାନି କହିଛି। ଗହଣା ଏବଂ ଘଣ୍ଟା ନିର୍ମାତା ଟାଇଟାନ ପକ୍ଷରୁ କୁହାଯାଇଛି, ଗତ ସପ୍ତାହେ ହେଲା ଏହାର ଷ୍ଟୋରକୁ ଗ୍ରାହକ ଆସିବା କମିଯାଇଛି। କମ୍ପାନି ଏହାର ନିଜସ୍ବ ଷ୍ଟୋର ସମେତ ଫ୍ରାଞ୍ଚାଇଜି ଷ୍ଟୋର ମଧ୍ୟ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବ ବୋଲି କହିଛି। ଡିସେମ୍ବର ସୁଦ୍ଧା ଏହି କମ୍ପାନିର ମୋଟ ୧୭୦୯ଟି ‌ରିଟେଲ ଷ୍ଟୋର ରହିଥିଲା। ଭି-ମାର୍ଟ ରିଟେଲ୍‌ର ଏମ୍‌ଡି ଲଳିତ ଅଗ୍ରୱାଲ କୁହନ୍ତି, ୧୫ରୁ ୨୧ ତାରିଖ ମଧ୍ୟରେ କମ୍ପାନିର ବିକ୍ରି ୩୦ ପ୍ରତିଶତ ହ୍ରାସ ପାଇଛି। ଗତ ଶନିବାର ସୁଦ୍ଧା ଏହି କମ୍ପାନିର ୨୬୫ଟି ସୋରୁମ ମଧ୍ୟରୁ ୧୧୬ଟି ବନ୍ଦ ରଖାଯାଇଛି। ସୋରୁମ୍ ବନ୍ଦ ରହିଲେ ମଧ୍ୟ କର୍ମଚାରୀ ବାବଦ ଖର୍ଚ୍ଚ ହ୍ରାସ ପାଏ ନାହିଁ। ତେଣୁ କର୍ମଚାରୀଙ୍କୁ ଅତିକମ୍‌ରେ ଆସନ୍ତା ୪୫ ଦିନ ପାଇଁ ସହାୟତା ଯୋଗାଇ ଦେବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର