ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଟାଟା କମ୍ପାନି ହାତରେ ଗତ ୨୭ ତାରିଖରେ ହସ୍ତାନ୍ତର କରାଯାଇଛି। ଏହି କମ୍ପାନି ଏବେ କ୍ଷତିରେ ଚାଲୁଛି। ପୂର୍ବରୁ ମହରାଜା ମାସ୍କଟ ଥିବା ଉକ୍ତ କମ୍ପାନିକୁ ଲାଭଦାୟକ କମ୍ପାନିରେ ପରିଣତ ଏବଂ ନୂଆରୂପ ଦେବାପାଇଁ ଟାଟା ଗ୍ରୁପକୁ ଆସନ୍ତା ୫ ବର୍ଷରେ ୩୭୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। କେବଳ ସେତିକି ନୁହେଁ ଏୟାର ଇଣ୍ଡିଆକୁ ଲାଭଦାୟକ ସଂସ୍ଥାରେ ପରିଣତ କରିବା ପାଇଁ ହେଲେ ଟାଟାକୁ ଏହାର ୩ଟି ଯାକ ବିମାନ ସେବା ପ୍ରଦାନକାରୀ କମ୍ପାନିକୁ ଗୋଟିଏରେ ପରିଣତ କରିବାକୁ ପଡ଼ିବ। ଏଥିସହିତ ଟିକଟ ମୂଲ୍ୟରେ ଅତିକମ୍ରେ ୧୫ ପ୍ରତିଶତ ବୃଦ୍ଧି କରିବାକୁ ହେବ। କ୍ଷତି କରୁଥିବା ମାର୍ଗରେ ବିମାନ ଚଳାଚଳ ବନ୍ଦ କରିବା ସହିତ ପୁରୁଣା ବିମାନକୁ ବଦଳାଇବାକୁ ହେବ। ଜେଆରଡି ଟାଟାଙ୍କ ଦ୍ବାରା ପ୍ରତିଷ୍ଠିତ ଏୟାରଲାଇନ୍ସ ପ୍ରାୟ ୭ ଦଶନ୍ଧି ପରେ ଟାଟା ହାତକୁ ପୁଣି ଫେରିଛି। ଏଥିସହିତ ଏୟାର ଇଣ୍ଡିଆର ସ୍ଥିତି ସୁଧାରିବା କ୍ଷମତା ଟାଟା ପାଖରେ ରହିଛି। ବର୍ତ୍ତମାନ ଟାଟାର ୩ଟି ଯାକ ବିମାନସେବା ପ୍ରଦାନକାରୀ କମ୍ପାନି କ୍ଷତିରେ ଚାଉଛନ୍ତି। ତେଣୁ ଏସବୁ ଏୟାରଲାଇନ୍ସଗୁଡ଼ିକୁ କିଭଳି ଲାଭଦାୟକ ସଂସ୍ଥାରେ ପରିଣତ କରାଯିବ ତାହା ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କ ଉପରେ ନିର୍ଭର କରୁଛି।
ଗତବର୍ଷ ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିଆର ମୋଟ କ୍ଷତି ୮୩୯୧୬ କୋଟି ଟଙ୍କା ରହିଥିଲା। ସେହିଭଳି ଏୟାର ଇସିଆ ଇଣ୍ଡିଆର କ୍ଷତି ୧୫୩୨ କୋଟି ଏବଂ ଭିସ୍ତାରାର କ୍ଷତି ୧୬୧୨ କୋଟି ଟଙ୍କା ରହିଥିଲା। ତେଣୁ ଏ କ୍ଷେତ୍ରରେ ଟାଟାକୁ ଅନେକ ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିବ। କାରଣ ରାଜିନାମା ଅନୁଯାୟୀ ଟାଟାକୁ ବର୍ତ୍ତମାନ ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ବର୍ଷେ ପର୍ଯ୍ୟନ୍ତ ରଖିବାକୁ ହେବ। ଏହାପରେ ଯଦି ସେମାନଙ୍କ ମଧ୍ୟରୁ କାହାରିକୁ ବାହାର କରାଯିବାର ଯୋଜନା କରାଯାଏ ତାହେଲେ ସ୍ବେଚ୍ଛାକୃତ ଅବସର ଯୋଜନା କାର୍ଯ୍ୟକାରୀ କରିବାକୁ ହେବ। ଏୟାର ଇଣ୍ଡିଆରେ ଏବେ ୧୨୦୮୫ ଜଣ କର୍ମଚାରୀ ଅଛନ୍ତି। ଏଥିସହିତ ଟାଟାକୁ ଅନ୍ତର୍ଜାତୀୟ ବଜାରରେ ଜଣେ ଭଲ ସିଇଓଙ୍କୁ ଅତିକମ୍ରେ ୫ ବର୍ଷ ପାଇଁ ନିଯୁକ୍ତ କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।