ଭୁବନେଶ୍ବର: ରାଜ୍ୟରେ ମୁଣ୍ଡପିଛା ହାରାହାରି ପୋଷାକ ବ୍ୟବହାର ପରିମାଣ ବାର୍ଷିକ ୩୮.୪୦ ବର୍ଗମିଟର ରହିଛି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି। ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ପରିବାର ଗଣନା ୨୦୨୦ର ମୁଣ୍ଡପିଛା ପୋଷାକ ବ୍ୟବହାର ତଥ୍ୟ ଆଧାରରେ ହିସାବ କରାଯାଇଛି ଯେ ରାଜ୍ୟର ବସ୍ତ୍ର ବଜାର ଆକାର ହେଉଛି ୧୭,୭୬୯.୯୮ ଲକ୍ଷ ବର୍ଗମିଟର। ସେଥିରେ ରାଜ୍ୟ ହସ୍ତତନ୍ତର ଭାଗ ହେଉଛି ମାତ୍ର ୧.୧୨ ପ୍ରତିଶତ (୧୯୮.୪୬ ଲକ୍ଷ ମିଟର)। ରାଜ୍ୟ ବାହାରୁ ୧୭,୫୭୧.୫୨ ଲକ୍ଷ ବର୍ଗ ମିଟର ପୋଷାକ ସାମଗ୍ରୀ ଆସୁଛି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ଲାଇନ୍ରେ ୨୪୫.୦୧ ଲକ୍ଷ ଟଙ୍କାର ହସ୍ତତନ୍ତ କାରବାର ହୋଇଥିବା ସେ ପ୍ରକାଶ କରିଛନ୍ତି।
ସେହିପରି, ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଛନ୍ତି ଯେ ରାଜ୍ୟରେ ହସ୍ତଶିଳ୍ପରେ ୧,୬୧,୮୦୮ କାରିଗର ଓ ହସ୍ତତନ୍ତ କ୍ଷେତ୍ରରେ ଓ ୧,୨୬,୮୭୩ ବୁଣାକାର କାର୍ଯ୍ୟ କରୁଛନ୍ତି। ରାଜ୍ୟର ଦୁଇ ବୟନ ଶିଳ୍ପ କାରଖାନା ଚୌଦ୍ବାରର ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ଓ ଝାରସୁଗୁଡ଼ାର ଭାସ୍କର ଟେକ୍ସଟାଇଲ୍ ମିଲ୍ର ସମାପନ ପ୍ରକ୍ରିୟା ଚାଲୁ ରହିଛି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟର ସର୍ବାଧିକ ୧୭୪୨୬ ହସ୍ତଶିଳ୍ପ କାରିଗର କଟକରେ ଥିବା ବେଳେ ପୁରୀରେ ୧୭୩୯୧, ଖୋର୍ଦ୍ଧାରେ ୧୩୭୯୯, ବାଲେଶ୍ବରରେ ୧୩୦୦୮, କେନ୍ଦ୍ରାପଡ଼ାରେ ୧୧୪୧୬, କୋରାପୁଟରେ ୧୦୭୭୪, ବରଗଡ଼ରେ ୮୩୯୭, ମୟୂରଭଞ୍ଜରେ ୭୬୩୫, ଭଦ୍ରକରେ ୬୫୨୩, କେନ୍ଦୁଝରରେ ୫୬୮୩, ଜଗତସିଂହପୁରରେ ୫୪୯୭ ଓ ଯାଜପୁରରେ ୫୦୦୦ ହସ୍ତଶିଳ୍ପ କାରିଗର ରହିଛନ୍ତି। ସେହିପରି, ରାଜ୍ୟର ସର୍ବାଧିକ ୩୯୩୪୭ ବୁଣାକାର ବରଗଡ଼ରେ ଥିବା ବେଳେ କଟକରେ ୨୦୩୧୦, ସୁବର୍ଣ୍ଣପୁରରେ ୧୩୭୧୯ ବଲାଙ୍ଗୀରରେ ୧୦୮୯୫, ବୌଦ୍ଧରେ ୮୯୨୬, ନୟାଗଡ଼ରେ ୪୪୬୩, ଯାଜପୁରରେ ୪୦୪୯, କେନ୍ଦୁଝରରେ ୩୯୫୪, ଖୋର୍ଦ୍ଧାରେ ୩୬୦୩ ଓ ବାଲେଶ୍ବରରେ ୩୩୭୧ ବୁଣାକାର ରହିଛନ୍ତି।