ନୂଆଦିଲ୍ଲୀ: ଦେଶରେ ଖାଦ୍ୟସାମଗ୍ରୀର ଦରଦାମ ଅନେକ ସମୟରେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟୁଛି। ସରକାର ପୂର୍ବରୁ ୨୨ଟି ସାମଗ୍ରୀର ଦର ଉପରେ ନଜର ରଖୁଥିଲେ। ବର୍ତ୍ତମାନ ଆଉ ୧୬ଟି ସାମଗ୍ରୀ ଅର୍ଥାତ୍ ମୋଟ ୩୮ଟି ସାମଗ୍ରୀ ଉପରେ ନଜର ରଖିବେ। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ନୂଆ ଓ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ନୂଆ ସାମଗ୍ରୀ ଗୁଡ଼ିକ ମଧ୍ୟରେ ରହିଛି ବାଜରା, ମାଣ୍ଡିଆ, ସୁଜି, ମଇଦା, ବେସନ, ଘିଅ, ଲହୁଣି, ବାଇଗଣ, ଅଣ୍ଡା, ଗୋଲ ମରିଚ, ଧନିଆ, ଜିରା, ଶୁଖିଲା ଲଙ୍କା, ହଳଦୀ ଗୁଣ୍ଡ, କଦଳୀ ଆଦି। ଖୁଚୁରା ମୁଦ୍ରାସ୍ଫୀତିରେ ଏହି ୩୮ଟି ସାମଗ୍ରୀର ଅଂଶ ପ୍ରାୟ ୩୧ ପ୍ରତିଶତ। ପୂର୍ବରୁ ଖୁଚୁରା ମୁଦ୍ରାସ୍ଫୀତିରେ ୨୨ଟି ସାମଗ୍ରୀର ଅଂଶ ୨୬.୫ ପ୍ରତିଶତ ରହିଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଖୁଚୁରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସଂକ୍ରାନ୍ତ ନୀତି କ’ଣ ରହିବ ସେ ସଂପର୍କରେ ବିଭାଗ ପକ୍ଷରୁ ଦେଶର ୫୫୦ଟି କେନ୍ଦ୍ରରୁ ଦୈନିକ ଏସବୁ ସାମଗ୍ରୀର ଦର ଅନୁଧ୍ୟାନ କରାଯାଇ ସରକାର, ରିଜର୍ଭ ବ୍ୟାଙ୍କ ଏବଂ ବିଶ୍ଳେଷକମାନଙ୍କୁ ପ୍ରଦାନ କରାଯାଇଥାଏ। ଗତ କିଛି ମାସ ହେଲା ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ସରକାରଙ୍କ ପାଇଁ ଅପ୍ରୀତିକର ପରସ୍ଥିତି ସୃଷ୍ଟି କରିଛି। ବିରୋଧୀ ଦଳଗୁଡ଼ିକ ଏଥିପାଇଁ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁଧ ହାର ଉଚ୍ଚସ୍ତରରେ ରଖିଛି। ଖାଦ୍ୟସାମଗ୍ରୀ ଦର ସବୁଠୁ ଅଧିକ ଚିନ୍ତାର କାରଣ ବୋଲି ରିଜର୍ଭ ବ୍ୟାଙ୍କ ମତ ଦେଇ ଆସୁଛି। ସେଥିପାଇଁ ସରକାର କିଛି ସାମଗ୍ରୀ ଉପରେ ଏଭଳି ପଦକ୍ଷେପ ନେଇଛନ୍ତି।