ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷ ୨୦୨୩-୨୪ରେ ଓଡ଼ିଶାକୁ ୩୩୮୧.୭୯ କୋଟି ଟଙ୍କାର କୋଇଲା ରୟାଲ୍ଟି ମିଳିଛି। ରୟାଲ୍ଟି ହାର ୧୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ବୋଲି ରାଜ୍ୟସଭାରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୨ ମାର୍ଚ୍ଚ ୧୦ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପଶ୍ଚିମବଙ୍ଗକୁ ବାଦ ଦେଇ ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକ ପାଇଁ କୋଇଲା ରୟାଲ୍ଟି ହାର କୋଇଲା ମୂଲ୍ୟ ଉପରେ ୧୪ ପ୍ରତିଶତ ଆଡ୍-ଭଲୋରେମ୍ ଆଧାରରେ ନିର୍ଧାରଣ କରାଯାଇଛି। ରାଜ୍ୟଗୁଡ଼ିକରେ ରୟାଲ୍ଟି ପରିମାଣ ଟନ୍ ପିଛା ଅଢ଼େଇ ଟଙ୍କାରୁ ୭ ଟଙ୍କା ମଧ୍ୟରେ ରହିଛି।
ଦୀର୍ଘ ୧୨ ବର୍ଷ ହେଲାଣି କୋଇଲା ରୟାଲ୍ଟିରେ କୌଣସି ସଂଶୋଧନ ହୋଇନାହିଁ। ସେଥିରେ ପରିବର୍ତ୍ତନ ଆଣିବାକୁ ଓଡ଼ିଶା ସରକାର ନିୟମିତ ବ୍ୟବଧାନରେ ଦାବି କରୁଛନ୍ତି। ବିଶେଷ କରି ପୁରୁଣା ବିଜୁ ଜନତା ଦଳ(ବିଜେଡି) ସରକାର ଏହି ଦାବିକୁ ବାରମ୍ବାର ଉପସ୍ଥାପନ କରିଛି। ଏବେବି ଏହାର ସଦସ୍ୟମାନେ ସଂସଦରେ ଏହି ଦାବି ଦୋହରାଉଛନ୍ତି। ବିଜେଡି ସାଂସଦ ସସ୍ମିତ ପାତ୍ର ନିକଟରେ ଦେଇଥିବା ସୂଚନା ଅନୁସାରେ ଓଡ଼ିଶା ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କାର କୋଇଲା ରୟାଲ୍ଟି ହରାଉଛି। ସେ କହିଛନ୍ତି ଯେ କୋଇଲା ଉତ୍ପାଦନ କରୁଥିବା ଦୁଇ ପ୍ରମୁଖ ରାଜ୍ୟ ଭିତରେ ଓଡ଼ିଶା ନାମ ରହିଛି। ଦେଶର ଶକ୍ତି ଚାହିଦା ପୂରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଉଥିଲେ ମଧ୍ୟ ଏହା ନିଜର ହକ୍ ପାଉନାହିଁ। ୧୨ ବର୍ଷ ଧରି କୋଇଲା ରୟାଲ୍ଟିରେ ସଂଶୋଧନ କରାଯାଉନାହିଁ। ରୟାଲ୍ଟି ସଂଶୋଧନକୁ ନେଇ ଏକ ଷ୍ଟଡି ଗ୍ରୁପ୍ ଗଠନ କରାଯାଇଥିଲା। ସବୁ ବିଷୟ ବିଚାରକୁ ନେଇ ଅନୁଶୀଳନ କରିବା ପରେ ରୟାଲ୍ଟି ନ ବଢ଼ାଇବାକୁ ଏହା ସୁପାରିସ କରିଥିଲା।
କିଛି ଦିନ ତଳେ ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟ ଦେଇ ରାଜ୍ୟଗୁଡ଼ିକ ରୟାଲ୍ଟି ଲଗାଇପାରିବେ ବୋଲି କହିଥିଲେ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୯ ଜଣିଆ ବିଚାରପତିଙ୍କ ସମ୍ବିଧାନ ପୀଠ ୮:୧ ଭୋଟ୍ରେ ଏହି ରାୟ ଦେଇଛନ୍ତି। କେବଳ ଜଷ୍ଟିସ୍ ଭି ନାଗରତ୍ନା ଏହି ରାୟ ବିପକ୍ଷରେ ମତ ଦେଇଥିଲେ। ସୁପ୍ରିମ୍କୋର୍ଟଙ୍କ ଏହି ରାୟ ଦ୍ବାରା ଓଡ଼ିଶା ଓ ଝାଡ଼ଖଣ୍ଡ ଭଳି ରାଜ୍ୟ ବିଶେଷ ଭାବେ ଉପକୃତ ହେବେ। ତେବେ ଏହି ରାୟ ତୈଳ କ୍ଷେତ୍ର ଓ ପେଟ୍ରୋଲିୟମ୍ ଉତ୍ପାଦ ଉପରେ ଲାଗୁ ହେବ ନାହିଁ। ଏହି ରାୟକୁ ପିଛିଲା ଭାବେ ଲାଗୁ କରାଯିବ ନା ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି।