ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଭାରତର ଶ୍ରେଷ୍ଠ ଏଫ୍ଡିଆଇ ହବ୍ରେ ପରିଣତ କରିବା ଲାଗି ସରକାରଙ୍କ ଆଭିମୁଖ୍ୟ ବିଷୟରେ ଜଣାଇଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ତଥ୍ୟ ଉପରେ ନଜର ପକାଇଲେ କିଛି ଅଲଗା ଚିତ୍ର ସାମ୍ନାକୁ ଆସୁଛି। ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ହାସଲ କରିବାରେ ଓଡ଼ିଶା ଦେଶର ଶ୍ରେଷ୍ଠ ୧୦ କିମ୍ବା ଶ୍ରେଷ୍ଠ ୨୦ ରାଜ୍ୟ ଭିତରେ ବି ସ୍ଥାନ ପାଇନାହିଁ। ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶକୁ ୪,୨୧,୯୨୮.୮୩ କୋଟି ଟଙ୍କାର ଏଫ୍ଡିଆଇ ଆସିଛି। ସେଥିରୁ ମାତ୍ର ୩୯.୦୨ କୋଟି ଟଙ୍କା ଓଡ଼ିଶା ଭାଗରେ ପଡ଼ିଛି। ଏହା ଦେଶକୁ ଆସିଥିବା ମୋଟ୍ ଏଫ୍ଡିଆଇର ମାତ୍ର ୦.୦୦୯%।
ଗତ ଆର୍ଥିକ ବର୍ଷରେ ମହାରାଷ୍ଟ୍ର ସର୍ବାଧିକ ୧,୬୪,୮୭୫.୨୦ କୋଟି ଟଙ୍କାର ଏଫ୍ଡିଆଇ ହାସଲ କରିଛି। ଏହା ମୋଟ୍ ଏଫ୍ଡିଆଇର ୩୯.୧୬ ପ୍ରତିଶତ। ଏହି ଗୋଟିଏ ରାଜ୍ୟକୁ ଯେତିକି ଏଫ୍ଡିଆଇ ମିଳିଛି, ତଳ ଆଡ଼େ ଥିବା ୨୦ଟି ରାଜ୍ୟ ମିଳିତ ଭାବେ ସେତିକି ଏଫ୍ଡି୍ଆଇ ପାଇନାହାନ୍ତି। ଦେଶକୁ ଆସୁଥିବା ବିଦେଶୀ ନିବେଶ ମୁଖ୍ୟତଃ ସାତଟି ରାଜ୍ୟ ମଧ୍ୟରେ ସୀମିତ ରହିଛି। କ୍ରମାନ୍ବୟରେ ସେହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, କର୍ଣ୍ଣାଟକ (୫୬,୦୨୯ କୋଟି ଟଙ୍କା), ଦିଲ୍ଲୀ (୫୧,୫୪୦ କୋଟି ଟଙ୍କା), ଗୁଜରାଟ (୪୭,୯୪୭ କୋଟି ଟଙ୍କା), ତାମିଲନାଡ଼ୁ (୩୧,୧୦୨ କୋଟି ଟଙ୍କା), ହରିୟାଣା (୨୬,୫୯୯ କୋଟି ଟଙ୍କା) ଓ ତେଲେଙ୍ଗାନା (୨୫,୫୯୯ କୋଟି ଟଙ୍କା)। ଅନ୍ୟ ସବୁ ରାଜ୍ୟକୁ ଚାରି ହଜାର କୋଟି ଟଙ୍କାରୁ କମ୍ ଏଫ୍ଡିଆଇ ମିଳିଛି।
ଏଫ୍ଡିଆଇ ହାତେଇବାରେ ଓଡ଼ିଶା ପଛୁଆ ରହୁଥିବାର ସମ୍ଭାବ୍ୟ କାରଣ ସମ୍ପର୍କରେ ଆଲୋଚନା କରି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କହିଛନ୍ତି ଯେ ବିଦେଶୀ ପାଣ୍ଠି ଆଣିବା ଲାଗି ସରକାରୀ ସ୍ତରରେ ଯେଉଁଭଳି ଭାବେ ଉଦ୍ୟମ, ବିଚାରବିମର୍ଶ, ଯୋଜନା ଓ ଆଲୋଚନା ହେବା କଥା ତାହା ହେଉନାହିଁ। ସରକାରଙ୍କୁ ଏଫ୍ଡିଆଇ ଲାଗି ନିର୍ଦ୍ଦିଷ୍ଟ କ୍ଷେତ୍ର ଚିହ୍ନଟ କରିବାକୁ ପଡ଼ିବ ଏବଂ ସ୍ବତନ୍ତ୍ର ଭାବେ ସେହି କ୍ଷେତ୍ରଗୁଡ଼ିକ ଲାଗି ନିବେଶ ଆଣିବା ଲାଗି ବିଦେଶୀ ନିବେଶକମାନଙ୍କ ପାଖରେ ପହଞ୍ଚିବାକୁ ହେବ। ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ, ଫାର୍ମାସ୍ୟୁଟିକାଲ୍ ଓ ତୈଳ କ୍ଷେତ୍ରରେ ବିଦେଶୀ ପୁଞ୍ଜି ହାସଲ କରିବାର ବ୍ୟାପକ ସମ୍ଭାବନା ରହିଛି ବୋଲି ଶ୍ରୀ କାନୁନ୍ଗୋ କହିଛନ୍ତି।