ନୂଆଦିଲ୍ଲୀ: ଦେଶରେ ମୋଟ ବ୍ୟାଙ୍କ ଆକାଉଣ୍ଟ୍ ମଧ୍ୟରୁ ୩୯.୨ ପ୍ରତିଶତ ଆକାଉଣ୍ଟ୍ ହେଉଛି ମହିଳାଙ୍କର। ତେବେ ଚକିତ କରିବା ଭଳି ବିଷୟ ହେଲା ଦେଶର ଗ୍ରାମାଞ୍ଚଳରେ ଏହାଠାରୁ ଅଧିକ ଅର୍ଥାତ ୪୨.୨ ପ୍ରତିଶତ ମହିଳାଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ୍ ରହିଛି। କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟର ଓମ୍ୟାନ୍ ଆଣ୍ଡ୍ ମ୍ୟାନ୍ ଇନ୍ ଇଣ୍ଡିଆ ୨୦୨୪: ସିଲେକ୍ଟେଡ୍ ଇଣ୍ଡିକେଟର୍ସ ଆଣ୍ଡ୍ ଡାଟା ଶୀର୍ଷକ ରିପୋର୍ଟର ୨୬ତମ ସଂସ୍କରଣରୁ ଏହା ଜଣାଯାଇଛି। ଦେଶରେ ମୋଟ ଜମାରେ ମହିଳାଙ୍କର ଯୋଗଦାନ ୩୯.୭ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି।
ଏଥିସହିତ ଦେଶରେ ଡିମାଟ୍ ଆକାଉଣ୍ଟ୍ ସଂଖ୍ୟା ବଢ଼ିବାରେ ଲାଗିଥିବା ଦର୍ଶାଯାଇଛି। ଏଥିଯୋଗୁ ଦେଶରେ ଲୋକମାନେ ଅଧିକରୁ ଅଧିକ ସଂଖ୍ୟାରେ ଷ୍ଟକ୍ ମାର୍କେଟରେ ନିବେଶ କରୁଥିବା ଜଣାଯାଇଛି। ୨୦୨୧ ମାର୍ଚ୍ଚ ୩୧ରୁ ୨୦୨୪ ନଭେମ୍ବର ୩୦ ମଧ୍ୟରେ ଦେଶରେ ମୋଟ ଡିମାଟ୍ ଆକାଉଣ୍ଟ୍ ସଂଖ୍ୟା ୩୩.୨୬ ନିୟୁତରୁ ବୃଦ୍ଧି ପାଇ ୧୪୨.୦୨ ନିୟୁତରେ ପହଞ୍ଚିଛି। ଅର୍ଥାତ୍ ୪ ଗୁଣାରୁ ଅଧିକ ବୃଦ୍ଧି ହୋଇଛି। ପୁରୁଷଙ୍କ ତୁଳନାରେ ମହିଳା ଆକାଉଣ୍ଟଧାରୀଙ୍କ ସଂଖ୍ୟା ସବୁ ସମୟରେ ଅଧିକ ରହିଥିଲେ ମଧ୍ୟ ମହିଳାଙ୍କ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ବର୍ଦ୍ଧିତ ଧାରା ପରିଲକ୍ଷିତ ହୋଇଛି। ବିନିର୍ମାଣ, ବାଣିଜ୍ୟ ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ ମହିଳାଙ୍କ ନେତୃତ୍ବରେ ସ୍ଥାପନ ହୋଇଥିବା ସଂସ୍ଥା ୨୦୨୧-୨୨, ୨୦୨୨-୨୩ ଏବଂ ୨୦୨୩-୨୪ରେ ବଢ଼ିବାରେ ଲାଗିଛି।
୧୯୫୨ରେ ଦେଶରେ ମୋଟ ଭୋଟରଙ୍କ ସଂଖ୍ୟା ୧୭୩.୨ ନିୟୁତ ରହିଥିବାବେଳେ ୨୦୨୪ରେ ଏହା ୯୭୮ ନିୟୁତକୁ ବୃଦ୍ଧି ପାଇଛି। ମହିଳା ଭୋଟରଙ୍କ ପଞ୍ଜୀକରଣ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୧୯ରେ ମହିଳା ଭୋଟରଙ୍କ ମତଦାନ ହାର ୬୭.୨ ପ୍ରତିଶତ ଥିବାବେଳେ ୨୦୨୪ରେ ଏଥିରେ ସାମାନ୍ୟ ହ୍ରାସ ଘଟି ୬୫.୮ ପ୍ରତିଶତ ରହିଛି। ବିଗତ ବର୍ଷଗୁଡ଼ିକ ମଧ୍ୟରେ ଡିପିଆଇଆଇଟି ଦ୍ବାରା ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପଗୁଡ଼ିକରେ ଅତିକମ୍ରେ ଜଣେ ମହିଳା ନିର୍ଦ୍ଦେଶକ ଥିବା ଷ୍ଟାର୍ଟଅପ୍ ସଂଖ୍ୟା ବଢ଼ିଛି। ମହିଳା ଔଦ୍ୟୋଗିକତା କ୍ଷେତ୍ରରେ ସକାରାତ୍ମକ ଧାରାର ଏହା ପ୍ରତିଫଳନ ବୋଲି କୁହାଯାଇ ପାରିବ। ଏପ୍ରକାର ମୋଟ ଷ୍ଟାର୍ଟଅପ୍ ସଂଖ୍ୟା ୨୦୧୭ରେ ୧୯୪୩ ଥିବାବେଳେ ୨୦୨୪ରେ ୧୭,୪୦୫ରେ ପହଞ୍ଚିଛି। ଏହି ରିପୋର୍ଟରୁ ଜନସଂଖ୍ୟା, ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତିରେ ଅଂଶଗ୍ରହଣ ଏବଂ ନିଷ୍ପତ୍ତି ନେବା ଆଦି ଭିନ୍ନ ଭିନ୍ନ କ୍ଷେତ୍ରର ସୂଚନା ମିଳିଛି। ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଓ ସଂସ୍ଥାରୁ ସଂଗ୍ରହ ହୋଇଥିବା ତଥ୍ୟ ଆଧାରରେ ଏହା ପ୍ରସ୍ତୁତ କରାଯାଇଛି।