ଆଇଟିରେ ନିବେଶ ହେବ ୩୯୦୦ କୋଟି

ଭୁବନେଶ୍ବର: ‌ମେକ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ଅବସରରେ ରାଜ୍ୟର ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ନିବେଶ କରିବାକୁ ୬ଟି କଂପାନି ପ୍ରସ୍ତାବ ଦେଇଛନ୍ତି। ରିଲାଏନ୍ସ ଜିଓ ୩୦୦୦ କୋଟି ଟଙ୍କାର ନିବେଶ କରିବ। ଜିଓ ପକ୍ଷରୁ ଟେଲିକମ୍ ଓ ଆଇଟି କ୍ଷେତ୍ରରେ ନିବେଶ କରାଯିବ। ଏହା ବ୍ୟତୀତ ରଶ୍ମୀ ଏଣ୍ଟରପ୍ରାଇଜେସ୍ ୩୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛି। ଏହି କଂପାନି ମୋବାଇଲ୍ ଉତ୍ପାଦନ କରିବ। ସାକ୍ ରୋବୋଟିକ୍ସ ୩୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ସି-ଟେଲ୍ ଟେକ୍ନୋଲୋଜିସ୍‌ ୬୫ କୋଟି ଟଙ୍କା, ମିତେଶ ଟେ‌କ୍ନୋଲୋଜିସ୍ ୩୩.୯୫ କୋଟି ଟଙ୍କା ଓ ଶ୍ୟାମା ‌ଟେକ୍ନୋଲୋଜିସ୍ ୨୦ କୋଟି ଟଙ୍କା ନିବେଶ କରିବାର ପ୍ରତିଶ୍ରୁୁତି ଦେଇଛି। ମୋଟ ଉପରେ ଏହିସବୁ କଂପାନି ୩୯୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଭରସା ଦେଇଛନ୍ତି।ଏହା ବ୍ୟତୀତ ଓରାକଲ୍ ଇଣ୍ଡିଆ ପକ୍ଷରୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଭିତ୍ତିକ ତାଲିମ ପ୍ରଦାନ କରିବା ନେଇ ମଧ୍ୟ ଆଲୋଚନା ଜାରି ରହିଛି। ଖୁବ୍‌ଶୀଘ୍ର ଓରାକଲ୍ ସହିତ ବୁଝାମଣାପତ୍ର ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ରାଜ୍ୟ ଆଇଟି ସଚିବ ସି ଜେ ବେଣୁଗୋପାଳ କହିଛନ୍ତି ଯେ, ରାଜ୍ୟରେ ଆଇଟି କ୍ଷେତ୍ର ବାର୍ଷିକ ୧୫% ହାରରେ ଆଗକୁ ବଢ଼ୁଛି। ଓଡ଼ିଶା ଏବର୍ଷ ୪୦୦୦ କୋଟି ଟଙ୍କାର ଆଇଟି ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛି। ଚିକାଗୋ ବିଶ୍ବବିଦ୍ୟାଳୟ ସହିତ ସରକାର ଏକ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଫାବ୍ ଫାଉଣ୍ଡେସନ୍ ସହାଯାଗରେ ଭୁବନେଶ୍ବର ଠାରେ ଏକ ଫେବ୍ରିକେସନ୍ ଲ୍ୟାବ୍ ସ୍ଥାପନ କରାଯାଉଛି। ଷ୍ଟାର୍ଟଅପ୍ ପାଇଁ ଏକ କ୍ୟାରେକ୍ଟରାଇଜେସନ୍‌ ଲ୍ୟାବ୍ ମଧ୍ୟ ଗଠନ କରାଯାଉଛି। ଏହି ଅବସରରେ ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଆଇଟି ନିର୍ମାତା ସଂଘର ସଭାପତି ଏନ୍ କୁଙ୍କୋଲିଙ୍କର, ଟେଲିକମ୍ ଉପକରଣ ନିର୍ମାତା ସଂଘର ଅଧ୍ୟକ୍ଷ ପ୍ରଫେସର ଏନ୍ କେ ଗୋଟ୍‌ୟାଲ୍, ଭାରତୀୟ ଇଲେକ୍‌ଟ୍ରୋନିକ୍ସ ଓ ସେମି କଣ୍ଡକ୍ଟର ସଂଘର ସଭାପତି ରଂଜନ ରାମ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର