ଚେନ୍ନାଇ: ସୁରନା କର୍ପୋରେସନ ୩,୯୮୬ କୋଟି ଟଙ୍କାର ଋଣ ଠକେଇ କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ବାଧୀନ ସାତଟି ବ୍ୟାଙ୍କର କନ୍ସୋର୍ଟିୟମ୍ଠାରୁ ଏହି ସଂସ୍ଥା ଋଣ ନେଇ ତାହାକୁ ପରିଶୋଧ କରିନଥିଲା। ଏ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏକ ମନି ଲଣ୍ଡରିଂ ମାମଲା ରୁଜୁ କରି କଂପାନିର ଚାରି ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ସୁରନା କର୍ପୋରେସନର ନିର୍ଦେଶକ ଦୀନେଶ ଚାନ୍ଦ ସୁରନା ଓ ବିଜୟରାଜ ସୁରନା ଏବଂ ଦୁଇ କର୍ମଚାରୀ ଆନନ୍ଦ ଓ ପ୍ରଭାକରନ। ସେମାନଙ୍କୁ ଜୁଲାଇ ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଇଡି ପକ୍ଷରୁ କୁହାଯାଇଛି ଯେ ସୁରନା କର୍ପୋରେସନ ପକ୍ଷରୁ ତିନିଟି କଂପାନି ନାମରେ ବିଭିନ୍ନ ବ୍ୟାଙ୍କରୁ ଋଣ ନିଆଯାଇଥିଲା। ସୁରନା ଇଣ୍ଡଷ୍ଟ୍ରିଆଲ ଲିମିଟେଡ୍ ନାମରେ ୧,୩୦୧ କୋଟି ଟଙ୍କା, ସୁରନା ପାୱାର କର୍ପୋରେସନ ନାମରେ ୧,୪୯୫ କୋଟି ଟଙ୍କା ଓ ସୁରନା କର୍ପୋରେସନ ନାମରେ ୧୧୮୮ କୋଟି ଟଙ୍କାର ଋଣ ନିଆଯାଇଥିଲା। ସେହି ପାଣ୍ଠିକୁ ଯେଉଁ କାମ ପାଇଁ ନିଆଯାଇଥିଲା ସେଥିରେ ବ୍ୟବହାର ନକରି ଅନ୍ୟମାନଙ୍କ ସହ ମିଶି ଷଡ଼୍ଯନ୍ତ୍ର କରି ଅନ୍ୟତ୍ର ପଠାଇ ଦିଆଯାଇଥିଲା। ୨୦୦୯-୧୦ରୁ ୨୦୧୭-୧୮ ପର୍ଯ୍ୟନ୍ତର ଅଡିଟ୍ ବେଳେ ଏହି ଠକେଇ ସାମ୍ନାକୁ ଆସିଥିଲା। ୨୦୨୦ରେ ଏନେଇ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ କରାଯାଇଥିଲା। ସିବିଆଇ ଏଫ୍ଆଇଆର୍ ରୁଜୁ କରି ତଦନ୍ତ କରୁଛି। ୨୦୧୪ରେ ଏହି ମାମଲାରେ ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (ଡିଆର୍ଆଇ) ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମଧ୍ୟ ଏହି ମାମଲାର ତଦନ୍ତ କରୁଛି।
ଦେଶରେ ବ୍ୟାଙ୍କ ଠକେଇ କିଛି ନୂଆ ନୁହେଁ। ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇ ତାହା ପରିଶୋଧ ନକରି ବହୁ ବ୍ୟବସାୟୀ ଦେଶ ଛାଡ଼ି ପଳାୟନ କରିଛନ୍ତି। ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କାର ଠକେଇ କରି କିଙ୍ଗଫିସର ଏୟାରଲାଇନ୍ସର ମୁଖ୍ୟ ବିଜୟ ମାଲ୍ୟା ଭାରତ ଛାଡ଼ି ଏବେ ବ୍ରିଟେନ୍ରେ ରହୁଛନ୍ତି। ତାଙ୍କୁ ଭାରତ ଆଣିବା ଲାଗି ଉଦ୍ୟମ ଜାରି ରହିଛି। ସେହିପରି, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ହୀରା ବ୍ୟବସାୟୀ ନିରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ଚୋକ୍ସି ୧୪ ହଜାର କୋଟି ଟଙ୍କାର ଠକେଇ କରିଛନ୍ତି। ଉଭୟ ଦେଶ ଛାଡ଼ି ପଳାୟନ କରିଛନ୍ତି। ନିରବ ବ୍ରିଟେନ୍ରେ ଗିରଫ ହୋଇ ଜେଲ୍ରେ ଅଛନ୍ତି। ଚୋକ୍ସି ଆଣ୍ଟିଗୁଆରେ ରହୁଛନ୍ତି। କିଛି ମାସ ପୂର୍ବେ ତାଙ୍କୁ ଅପହରଣ କରାଯାଇଥିଲା। କିଛି ଦିନ ପୂର୍ବେ ଦେଶର ସର୍ବବୃହତ ୩୪,୬୧୫ କୋଟି ଟଙ୍କାର ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଥିଲା। ଡିଏଚ୍ଏଫ୍ଏଲ୍ର ପ୍ରତିଷ୍ଠାତା ଭ୍ରାତା ଧୀରଜ ୱାଧୱାନ୍ ଓ କପିଲ ୱାଧୱାନ ଏହି ଠକେଇ କରିଥିଲେ।