ରାଜ୍ୟରେ ୩,୯୯୫ କୋଟିର ଜିଏସ୍‌ଟି ସଂଗ୍ରହ: ମଦ, ପେଟ୍ରୋଲ୍‌ରୁ ଆୟ ୮୫୩ କୋଟି

ଭୁବନେଶ୍ବର: ଚଳିତ ବର୍ଷ ଜାନୁଆରିରେ ରାଜ୍ୟରେ ୩,୯୯୫.୪୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ୨୦୨୧ ଜାନୁଆରିରେ ହୋଇଥିବା ୩୧୩୭.୪୫ କୋଟି ଟଙ୍କା ତୁଳନାରେ ୨୭.୩୫ ପ୍ରତିଶତ ଅଧିକ। ଜାନୁଆରିରେ ୧୧୪୩.୧୪ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୯୬୫.୯୨ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୧୧୩୪.୧୫ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୭୫୨.୧୯ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହ ଅଭିବୃଦ୍ଧି ସର୍ବାଧିକ ରହିଛି।

ଗତବର୍ଷ ଜାନୁଆରି ତୁଳନାରେ ରାଜ୍ୟ ଜିଏସ୍‌ଟି ସଂଗ୍ରହରେ ୪୭% ବୃଦ୍ଧି ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଜାନୁଆରି ଶେଷ ସୁଦ୍ଧା ମୋଟ ୩୬,୧୦୮.୫୨ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ପୂର୍ବବର୍ଷର ଏହି ସମୟରେ ହୋଇଥିବା ୨୩,୨୨୬.୯୧ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୫୫.୪୬ ପ୍ରତିଶତ ଅଧିକ ବୋଲି ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ଚଳିତ ବର୍ଷ ଜାନୁଆରିରେ ମଦ ଓ ପେଟ୍ରୋଲିୟମ୍ ସାମଗ୍ରୀ ବିକ୍ରିରୁ ରାଜ୍ୟ ସରକାର ୮୫୩.୪୩ କୋଟି ଟଙ୍କାର ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ସଂଗ୍ରହ କରିଛନ୍ତି। ୨୦୨୧ ଜାନୁଆରି ମାସରେ ହୋଇଥିବା ୮୩୫.୨୩ କୋଟି ଟଙ୍କା ତୁଳନାରେ ଏହା ୨.୧୮ ପ୍ରତିଶତ ଅଧିକ। ଏବର୍ଷ ଜାନୁଆରିରେ ପେଟ୍ରୋଲିୟମ୍ ସାମଗ୍ରୀ ବିକ୍ରିରୁ ୬୫୭.୯୯ କୋଟି ଟଙ୍କା ଓ ମଦ ବିକ୍ରିରୁ ୧୯୫.୪୩ କୋଟି ଟଙ୍କାର ଭାଟ୍ ସଂଗ୍ରହ କରାଯାଇଛି। ଆଲୋଚ୍ୟ ମାସରେ ୩୯,୭୨୫ ନୂଆ ଟିକସଦାତା ଜିଏସ୍‌ଟି ପରିସରରେ ଯୋଡ଼ିହୋଇଛନ୍ତି। ୩,୩୦୫ ଯୋଗ୍ୟ ବ୍ୟକ୍ତିଙ୍କଠାରୁ ‌ପ୍ରଫେସନାଲ୍ ଟିକସ ସଂଗ୍ରହ କରାଯାଇଛି।
ଜିଏସ୍‌ଟି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର ପ୍ରବର୍ତ୍ତନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଟିକସ ହେରଫେର କରୁଥିବା ୬ ଜଣ ବ୍ୟକ୍ତିଙ୍କୁ ଚଳିତ ଆର୍ଥିକ ବର୍ଷରେ ଗିରଫ କରାଯାଇଥିବା ବେଳେ ୧୮୩ଟି ବ୍ୟାବସାୟିକ ପରିସରରେ ଚଢ଼ଉ କରାଯାଇଛି ଏବଂ ସେମାନଙ୍କ ଠାରୁ ୨୯.୬୭ କୋଟି ଟଙ୍କାର ଟିକସ ଓ ୧୯.୭୨ କୋଟି ଟଙ୍କାର ଜରିମାନା ସଂଗ୍ରହ କରାଯାଇଛି। ପ୍ରତି ମାସରେ ୯୦% ଟିକସ ଫାଇଲିଂ ନିଶ୍ଚିତ କରିବାକୁ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନି ସମସ୍ତ ସର୍କଲ୍‌ର ଫିଲ୍ଡ ଅଫିସରମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର