ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ଅଧୀନକୁ ୨ରୁ ୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆସିବା ସମ୍ଭାବନା ରହିଛି। ସରକାର ଦେଶରେ ବ୍ୟାଙ୍କ ମିଶ୍ରଣ ଯୋଜନାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରୁଛନ୍ତି। ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହିତ ଏହାର ୫ଟି ସହଯୋଗୀ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କର ମିଶ୍ରଣ କରିସାରିଛନ୍ତି। ଏହାପରେ ବ୍ୟାଙ୍କ ଅଫ ବରୋଦା ସହିତ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ମିଶ୍ରଣ ଘଟିସାରିଛି। ଗତ ଏପ୍ରିଲ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯାଇ ସାରିଛି। ଏବେ ପିଏନବି ସହିତ ୨ରୁ ୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ଯୋଜନା ରଖିଛନ୍ତି। ପିଏନବି ସହିତ ମିଶିବାକୁ ଥିବା ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (ଓବିସି), ଆନ୍ଧ୍ର ବ୍ୟାଙ୍କ ଏବଂ ଆହ୍ଲାବାଦ ବ୍ୟାଙ୍କ ରହିଛି ବୋଲି ଦୁଇଟି ସୂତ୍ରରୁ ଜଣାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ଏହି ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ କୁହାଯାଇଛି।
ଦେଶରେ ସରକାରୀ ବ୍ୟାଙ୍କ ସଂଖ୍ୟା ହ୍ରାସ କରି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ବିଶ୍ବସ୍ତରରେ ପ୍ରତିଯୋଗିତା କରିବା ଭଳି ୪-୫ଟି ବଡ଼ ବ୍ୟାଙ୍କ ସୃଷ୍ଟି ଲକ୍ଷ୍ୟ ସରକାରଙ୍କର ରହିଛି। ତେଣୁ ଅନାଦାୟ ଋଣ ବୋଝରେ ଥିବା ସରକାରୀ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ବଡ଼ ବ୍ୟାଙ୍କ ସହିତ କରିବାକୁ ସରକାର ଉଦ୍ୟମ ଚଳାଇଛନ୍ତି। ବ୍ୟାଙ୍କ ଅଫ ବରୋଦା ସହିତ ଦେନା ଏବଂ ବିଜୟା ବ୍ୟାଙ୍କର ମିଶ୍ରଣ ଫଳରେ ଏହା ଦେଶର ଦ୍ବିତୀୟ ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପରିଣତ ହୋଇଛି। ଏହାର ଶାଖା ସଂଖ୍ୟା ୯୫୦୦ରେ, ଏଟିଏମ ସଂଖ୍ୟା ୧୩୪୦୦ରେ ଏବଂ କର୍ମଚାରୀ ସଂଖ୍ୟା ୮୫ ହଜାରରେ ପହଞ୍ଚିଛି। ପିଏନବି ମିଶ୍ରଣ ଖବର ମିଳିବା ପରେ ମଙ୍ଗଳବାର ଷ୍ଟକ ମାର୍କେଟରେ ଏହି ବ୍ୟାଙ୍କର ସେୟାର ମୂଲ୍ୟ ୨.୫୫ ପ୍ରତିଶତ ହ୍ରାସ ଘଟିଛି। ସେହିଭଳି ଆହ୍ଲାବାଦ ବ୍ୟାଙ୍କର ସେୟାର ମୂଲ୍ୟ ୨.୬ ପ୍ରତିଶତ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସର ସେୟାର ମୂଲ୍ୟ ପାଖାପାଖି ୧ ପ୍ରତିଶତ ହ୍ରାସ ଘଟିଛି। ତେବେ ବ୍ୟାଙ୍କ ମିଶ୍ରଣ ଦ୍ବାରା ଶାଖା ସଂଖ୍ୟା ହ୍ରାସ ପାଇବା ସହିତ କର୍ମଚାରୀ ଛଟେଇ ଆଶଙ୍କା ଥିବାରୁ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଗଠନ ମିଶ୍ରଣକୁ ବିରୋଧ କରିଆସୁଛନ୍ତି। ଏଥିନେଇ ଅତୀତରେ ଅନେକ ଥର ଧର୍ମଘଟ ମଧ୍ୟ ହୋଇଛି।
ପୂର୍ବରୁ ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନକୁ ଏଲଆଇସି ହାସଲ କରିଛି। ଗତବର୍ଷ ଜୁନରେ ଏହି ଅଧିଗ୍ରହଣ ଯୋଜନା ସରକାର ପ୍ରସ୍ତୁତ କରିଥିଲେ। ଏହାପରେ ଗତବର୍ଷ ଅଗଷ୍ଟରେ କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଥିଲା। ଏହି ଅଧିଗ୍ରହଣ ଫଳରେ ଏଲଆଇସି ପାଇଁ ବ୍ୟାଙ୍କିଂ ସେବା ଯୋଗାଇବା ସହଜ ହୋଇପାରିବ। ସେହିଭଳି ବ୍ୟାଙ୍କର ପ୍ରାୟ ୮୦୦ ଶାଖାକୁ ଏଲଆଇସିର ଟଚ ପଏଣ୍ଟ ଭାବେ ବ୍ୟବହାର କରାଯାଇପାରିବ।
ପିଏନ୍ବି ସହ ମିଶିବେ ୩ଟି ବ୍ୟାଙ୍କ
ଓବିସି, ଆନ୍ଧ୍ର ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ମିଶିବା ନେଇ ଚର୍ଚ୍ଚା
/sambad/media/post_attachments/wp-content/uploads/2019/05/TH26PNB-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)