୧୦ ବର୍ଷରେ ୪.୭ ଲକ୍ଷ କୋଟିର କୃଷି ଋଣ ଛାଡ଼

ନୂଆଦିଲ୍ଲୀ: ବିଗତ ୧୦ ବର୍ଷରେ ବିଭିନ୍ନ ରାଜ୍ୟଗୁଡ଼ିକ ୪ ଲକ୍ଷ ୭୦ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଛନ୍ତି ବୋଲି ଏସ୍‌ବିଆଇ ରିସର୍ଚ ରିପୋର୍ଟରେ ପ୍ରକାଶ କରାଯାଇଛି। ୨୦୧୪-୧୫ ଆର୍ଥିକ ବର୍ଷ ପରେ ଦେଶର ୧୦ଟି ବଡ଼ ରାଜ୍ୟ ୩,୦୦,୨୪୦ କୋଟି ଟଙ୍କାର କୃଷି ଋଣ ଛାଡ଼ କରିଛନ୍ତି। ଋଣ ଭାରରେ ବୁଡ଼ି ରହିଥିବା କୃଷକମାନଙ୍କ ଆତ୍ମହତ୍ୟା ସଂଖ୍ୟା ବଢ଼ିବା ପରେ ରାଜ୍ୟଗୁଡ଼ିକ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ୨୦୦୭-୦୮‌ରେ ମନମୋହନ ସିଂହଙ୍କ ସରକାରଙ୍କ ଅମଳରେ ଛାଡ଼ ହୋଇଥିବା ଋଣକୁ ମିଶାଇଲେ ଏହି ରାଶି ୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ୨୦୧୪-୧୫ରେ ଆନ୍ଧ୍ର ସରକାର ୨୪ ହଜାର କୋଟି ଟଙ୍କା ଓ ତେଲେଙ୍ଗାନା ସରକାର ୧୭,୦୦୦ କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲେ। ୨୦୧୬-୧୭ରେ ତାମିଲନାଡୁ ୫୨୮୦ କୋଟି ଟଙ୍କା, ୨୦୧୭-୧୮ରେ ମହାରାଷ୍ଟ୍ର ୩୪,୦୨୦ କୋଟି ଟଙ୍କା, ଉତ୍ତର ପ୍ରଦେଶ ୩୬,୩୬୦ କୋଟି ଟଙ୍କା, ପଞ୍ଜାବ ୧୦,୦୦୦ କୋଟି ଟଙ୍କା ଓ କର୍ଣ୍ଣାଟକ ୧୮ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲେ। ୨୦୧୮-୧୯ରେ କର୍ଣ୍ଣାଟକ ଆଉ ୪୪ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ ଘୋଷଣା କରିଥିଲା। ସେହିବର୍ଷ ରାଜସ୍ଥାନ ୧୮ ହଜାର କୋଟି ଟଙ୍କା, ମଧ୍ୟ ପ୍ରଦେଶ ୩୬,୫୦୦ କୋଟି ଟଙ୍କା, ଛତିଶଗଡ଼ ୬୧୦୦ କୋଟି ଟଙ୍କା ଓ ମହାରାଷ୍ଟ୍ର ୫୧ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲା। ଷ୍ଟେଟ୍‌ ବ୍ୟାଙ୍କର ଏହି ରିପୋର୍ଟରେ କୁହାଯାଇଛି ଯେ, କୃଷି ଋଣ ଛାଡ଼ ଘୋଷଣା ପ୍ରାୟ କାଗଜପତ୍ର ଭିତରେ ସୀମିତ ରହିଛି। ଘୋଷଣା ଅନୁସାରେ ମାତ୍ର ୬୦% କୃଷି ଋଣ ଛାଡ଼ କରାଯାଇଛି। ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ଏହି ହାର ୧୦% ଭଳି ନିମ୍ନ ସ୍ତରରେ ରହିଛି। ଯେଉଁ ବର୍ଷ ଗୁଡ଼ିକରେ କୃଷି ଋଣ ଛାଡ଼ ଘୋଷଣା କରାଯାଇଥିଲା ସେହି ସବୁ ବର୍ଷରେ ନୂତନ କୃଷି ଋଣ ଆବଣ୍ଟନରେ ବଡ଼ ଧରଣର ହ୍ରାସ ଘଟିଥିଲା। ୨୦୧୭-୧୮ରେ ମହାରାଷ୍ଟ୍ର ସରକାର କୃଷି ଋଣ ଛାଡ଼ ଘୋଷଣା କରିଥିଲେ। ସେହିବର୍ଷ ମହାରାଷ୍ଟ୍ରରେ ନୂତନ କୃଷି ଋଣ ଆବଣ୍ଟନ ୪୦% ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର