୪ ବ୍ୟାଙ୍କ ବଢ଼ାଇଲେ ଋଣ ସୁଧ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଗତକାଲି ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୫୦ ପ୍ରତିଶତ ବୃଦ୍ଧି କରିଛି। ଏହାର କିଛି ଘଣ୍ଟା ମଧ୍ୟରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଋଣ ସୁଧ ହାର ବଢ଼ାଇ ଦେଇଛନ୍ତି। ୩ଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ଘରୋଇ ବ୍ୟାଙ୍କ ଋଣ ସୁଧ ହାର ବୃଦ୍ଧି ଘୋଷଣା କରିଛନ୍ତି। କାନାରା ବ୍ୟାଙ୍କ ରେପୋ ରେଟ୍‌ ସହ ସଂଯୋଜିତ ଋଣ ସୁଧ ହାର ୦.୫୦ ପ୍ରତିଶତ ବଢ଼ାଇଛି। ଫଳରେ ଏହାର ସୁଧ ହାର ୭.୮୦ ପ୍ରତିଶତ ସ୍ଥାନରେ ୮.୩୦ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟ ୭ ତାରିଖରୁ ବ୍ୟାଙ୍କ ଏହାକୁ ଲାଗୁ କରିବ ବୋଲି କହିଛି। ଫଳରେ ହାଇରିସ୍କ ବର୍ଗର ବ୍ୟକ୍ତିଙ୍କ ପାଇଁ ପ୍ରଭାବୀ ଗୃହ ଋଣ ହାର ୮.୩୫ ପ୍ରତିଶତରୁ ୧୦.୩୦ ପ୍ରତିଶତ ମଧ୍ୟରେ ରହିବ ବୋଲି ଜଣାଯାଇଛି। ବ୍ୟାଙ୍କ ଅଫ ବରୋଦା ଏହାର ବରୋଦା ରେପୋ ଲିଙ୍କଡ ଲେଣ୍ଡିଂ ରେଟ୍‌କୁ ଅଗଷ୍ଟ ୬ ତାରିଖରୁ ବୃଦ୍ଧି କରିଛି। ଫଳରେ ବ୍ୟାଙ୍କ ଅଫ ବରୋଦାର ଋଣ ସୁଧ ୭.୯୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଉପରେ ୧.୨୫ ପ୍ରତିଶତ ରିସ୍କ ପ୍ରିମିୟମ ମିଶାଇଲେ ପ୍ରଭାବୀ ସୁଧ ହାର ୯.୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ଋଣ ସୁଧ ହାରକୁ ୭.୪୦ ପ୍ରତିଶତରୁ ୭.୯୦ ପ୍ରତିଶତକୁ ବଢ଼ାଇ ଦେଇଛି। ଅଗଷ୍ଟ ୮ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯିବ।

ସେହିଭଳି ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଏହାର ଆଇ-ଇବିଏଲ୍‌ଆର୍‌ (ଆଇସିଆଇସିଆଇ ବ୍ୟାଙ୍କ ଏକ୍ସଟରନାଲ ବେଞ୍ଚମାର୍କ ଲେଣ୍ଡିଂ ରେଟ୍‌)କୁ ଗତ ୫ ତାରିଖରୁ ୯.୧୦ ପ୍ରତିଶତକୁ ବଢ଼ାଇ ଦେଇଛି। ପୂର୍ବରୁ ଏହି ସୁଧ ହାର ୮.୬୦ ପ୍ରତିଶତ ରହିଥିଲା। ଫଳରେ ଗୃହ ଋଣ ନେଇଥିବା ବ୍ୟକ୍ତିମାନଙ୍କ ପାଇଁ ଇଏମଆଇ ବା ମାସିକ କିସ୍ତି ପ୍ରଦାନ ରାଶି ବଢ଼ିଯିବ। ଅନ୍ୟପକ୍ଷରେ ଫେଡେରାଲ ବ୍ୟାଙ୍କ ଏହାର ସଞ୍ଚୟ ଖାତା ଜମା ସୁଧ ହାର ବଢ଼ାଇଛି। ବ୍ୟାଙ୍କ ୬ ତାରିଖରୁ ଏହାକୁ କାର୍ଯ୍ୟକାରୀ କରିଥିବା ସୂଚନା ଦେଇଛି। ରେପୋ ହାର ବୃଦ୍ଧି ହୋଇଥିବାରୁ ଆଗାମୀ ଦିନରେ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ ମଧ୍ୟ ସେମାନଙ୍କ ଋଣ ଓ ଜମା ସୁଧ ହାର ବୃଦ୍ଧି କରିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର