ବୃହତ ମିଶ୍ରିତ ବୀମା କଂପାନି ଗଠନ ହୋଇପାରେ: ଏଲ୍‌ଆଇସି ସହ ମିଶିବେ ୪ ସାଧାରଣ ବୀମା କଂପାନି

ଏଲ୍‌ଆଇସି ସିଇଓ ପଦ ପାଇଁ ଘରୋଇ ପ୍ରାର୍ଥୀ ଖୋଜା

ନୂଆଦିଲ୍ଲୀ: ମିଶ୍ରିତ ବୀମା କଂପାନିକୁ ଅନୁମତି ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହା ଏଭଳି ଏକ ବୀମା କଂପାନି ଯାହା ଉଭୟ ଜୀବନ ବୀମା ଏବଂ ସାଧାରଣ ବୀମା ଉତ୍ପାଦ ବିକ୍ରି କରିପାରିବ। ବର୍ତ୍ତମାନ ଦେଶରେ ଦୁଇ ପ୍ରକାର ବୀମା କଂପାନି ରହିଛନ୍ତି। ଗୋଟିଏ ବର୍ଗ କେବଳ ଜୀବନ ବୀମା ଉତ୍ପାଦ ବିକ୍ରି କରୁଥିବା ବେଳେ ଅନ୍ୟ ବର୍ଗରେ ଥିବା କଂପାନିଗୁଡ଼ିକ ସାଧାରଣ ବୀମା ଯଥା ଗାଡ଼ି, ସ୍ବାସ୍ଥ୍ୟ ଆଦି ବୀମା ବିକ୍ରି କରୁଛନ୍ତି। ମିଶ୍ରିତ ବୀମା କଂପାନି ଖୋଲିବା ଲାଗି ବୀମା ନିୟମ ୧୯୩୮ ଏବଂ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ନିୟମ, ୧୯୯୯ରେ ଆବଶ୍ୟକ ସଂଶୋଧନ ଆଣିବାକୁ ସରକାର ଚାହୁଛନ୍ତି।

ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ନିୟମରେ ସରକାର କରିବାକୁ ଯାଉଥିବା ସଂଶୋଧନ ପଛରେ ଏକ ବଡ଼ ଉଦ୍ଦେଶ୍ୟ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବରୁ ଘୋଷଣା କରିସାରିଛନ୍ତି କେବଳ ଅଣ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଏକାଧିକ ସରକାରୀ କଂପାନି ରୁହନ୍ତୁ ବୋଲି ସରକାର ଚାହୁନାହାନ୍ତି। ସେହି ଅନୁସାରେ ଦେଶର ସବୁଠୁ ବଡ଼ ସରକାରୀ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ସହିତ ଅନ୍ୟ ଚାରି ସରକାରୀ ସାଧାରଣ ବୀମା କଂପାନିର ମିଶ୍ରଣ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି। ଏହା ହେଲେ ଦେଶରେ ଏକ ବିଶାଳ ମିଶ୍ରିତ ବୀମା କଂପାନି ସୃଷ୍ଟି ହୋଇପାରିବ।

ଚାରି ସରକାରୀ ସାଧାରଣ ବୀମା କଂପାନି ହେଉଛନ୍ତି ଦି ଓରିଏଣ୍ଟାଲ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍, ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍, ଦି ନିଉ ଇଣ୍ଡିଆ ଆସ୍ୟୁରାନ୍ସ କଂପାନି ଲିମିଟେଡ୍‌ ଏବଂ ୟୁନାଇଟେଡ୍ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌। ଏହି ଚାରି ସଂସ୍ଥାର କର୍ମଚାରୀ ସଂଘ ଏକ ବଡ଼ ସଂସ୍ଥା ସହ କଂପାନିଗୁଡ଼ିକର ମିଶ୍ରଣ କରିବା ଲାଗି ଦୀର୍ଘ ଦିନରୁ ଦାବି କରୁଛନ୍ତି। ତେବେ ଏକ ବୃହତ୍ତ ମିଶ୍ରିତ ବୀମା କଂପାନି ଗଠନ କରିବା ଯୋଜନାରେ ଅନ୍ୟ ତିନି ସ୍ବତନ୍ତ୍ର ସରକାରୀ ବୀମା କଂପାନି ଜେନେରାଲ୍ ଇନ୍‌ସ୍ୟୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଇସିଜିସି ଲିମିଟେଡ୍‌ ଏବଂ ଏଗ୍ରିକଲ୍‌ଚର ଇନ୍‌ସ୍ୟୁରାନ୍ସ କଂପାନି ଅଫ୍‌ ଇଣ୍ଡିଆକୁ ସାମିଲ କରାଯାଇଛି ନା ନାହିଁ ତାହା ଜଣାପଡ଼ିନାହିଁ। ଯଦି ବଡ଼ ସଂସ୍ଥା ସହ ମିଶ୍ରଣ ଲାଗି କୌଣସି ପ୍ରସ୍ତାବ ଆସିବ ତାହାକୁ ଆମେ ସ୍ବାଗତ କରିବୁ ବୋଲି ସାଧାରଣ ବୀମା କର୍ମଚାରୀଙ୍କ ସର୍ବଭାରତୀୟ ସଂଘର ସାଧାରଣ ସମ୍ପାଦକ ତ୍ରିଲୋକ ସିଂହ କହିଛନ୍ତି। ଦି ଓରିଏଣ୍ଟାଲ୍ ଇନ୍‌ସ୍ୟୁରାନ୍ସ, ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସ ଓ ୟୁନାଇଟେଡ୍ ଇଣ୍ଡିଆ ମଧ୍ୟରେ ମିଶ୍ରଣ କରି ଗୋଟିଏ ବଡ଼ କଂପାନି ଗଠନ କରିବା ବିଷୟରେ ବହୁ ବର୍ଷ ପୂର୍ବେ ସରକାର ଘୋଷଣା କରିଥିଲେ। ମାତ୍ର ସେହି ଯୋଜନା କାର୍ଯ୍ୟକାରୀ ହୋଇପାରିନଥିଲା।

ଏଲ୍‌ଆଇସି ସିଇଓ ପଦ ପାଇଁ ଘରୋଇ ପ୍ରାର୍ଥୀ ଖୋଜା
ନୂଆଦିଲ୍ଲୀ: ଏଲ୍‌ଆଇସିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ସୃଷ୍ଟି ହେବ। ବର୍ତ୍ତମାନ କଂପାନିରେ ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟ। ଆଗାମୀ ଦିନରେ ଏହି ପଦ ଉଚ୍ଛେଦ କରାଯିବ ଓ ସିଇଓ ନିଯୁକ୍ତ କରାଯିବ। କଂପାନିର ପ୍ରଥମ ସିଇଓ ଭାବେ ଜଣେ ଘରୋଇ କ୍ଷେତ୍ରର ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ସରକାର ଚାହୁଛନ୍ତି। ସେଥିପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି। ସିଇଓ ପଦ ଲାଗି ଘରୋଇ କ୍ଷେତ୍ରର ଅଧିକାରୀ ଯେଭଳି ଆବେଦନ କରିପାରିବେ ସେଥିପାଇଁ ଗତବର୍ଷ ଏଲ୍‌ଆଇସି ଯେଉଁ ନିୟମ ଅଧୀନରେ ପରିଚାଳିତ ହେଉଛି ସେଥିରେ ସଂଶୋଧନ କରାଯାଇଥିଲା।

ସମ୍ବନ୍ଧିତ ଖବର