ଭୁବନେଶ୍ବର: ରାଜ୍ୟରେ ଶିଳ୍ପାଞ୍ଚଳ ଅଛି। କିନ୍ତୁ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରେ କାର୍ଯ୍ୟ କରୁଥିବା ଲୋକଙ୍କ ରହିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ରହିବା ପାଇଁ ଘର, ପିଲାଙ୍କ ପାଠ ପଢ଼ିବା ପାଇଁ ଉନ୍ନତମାନର ଶିକ୍ଷାନୁଷ୍ଠାନ, ଚିକିତ୍ସା ପାଇଁ ଡାକ୍ତରଖାନା ଏବଂ ଆମୋଦପ୍ରମୋଦ ପାଇଁ ସିନେମା ହଲ କିମ୍ବା ପାର୍କ ଆଦିର ସୁବିଧା ନାହିଁ। ଏସବୁ କାରଣରୁ କଳିଙ୍ଗନଗର ଠାରୁ ଆରମ୍ଭ କରି ଢେଙ୍କାନାଳ-ଅନୁଗୁଳ, ପାରାଦୀପ ଏବଂ ଝାରସୁଗୁଡ଼ା ଆଦି ଅଞ୍ଚଳରେ ଗଢ଼ି ଉଠିଥିବା ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅଧିକାରୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ କଟକ, ଭୁବନେଶ୍ବର କିମ୍ବା ନିକଟବର୍ତ୍ତୀ ଅନ୍ୟ କୌଣସି ସହରରେ ରହୁଛନ୍ତି। ବିଶେଷକରି କଳିଙ୍ଗନଗର ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ଅଧିକାଂଶ କର୍ମଚାରୀ ଓ ଅଧିକାରୀ ପ୍ରତିଦିନ କଟକ ଏବଂ ଭୁବନେଶ୍ବରରେ ଟ୍ରେନ୍ କିମ୍ବା ବସ୍ ଯୋଗେ ଯାତାୟାତ କରୁଛନ୍ତି। କର୍ମଚାରୀମାନଙ୍କ ଏହି ଅସୁବିଧାକୁ ଦୂର କରିବା ପାଇଁ ସରକାର ରାଜ୍ୟରେ ୪ଟି ଶିଳ୍ପାଞ୍ଚଳ ସହର ସ୍ଥାପନ କରିବା ଲାଗି ଯୋଜନା ଚଳାଇଛନ୍ତି। ଏହି ସହରଗୁଡ଼ିକ କଳିଙ୍ଗନଗର, ପାରାଦୀପ, ଢେଙ୍କାନାଳ-ଅନୁଗୁଳ ଏବଂ ଝାରସୁଗୁଡ଼ାରେ ସ୍ଥାପନ ହେବ। ଏସ୍ପିଭି (ସ୍ପେସାଲ ପର୍ପୋଜ୍ ଭେଇକିଲ୍) କିମ୍ବା ଇଡ୍କୋ ସହଯୋଗରେ ଏହି ସହର ଗୁଡ଼ିକ ହେବ। ସରକାର ଏସବୁ ଅଞ୍ଚଳରେ ପ୍ଲଟ, ରାସ୍ତା, ବିଜୁଳି, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ସୁବିଧା ସୃଷ୍ଟି କରିବା ଉପରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ମତ ଦେଉଛନ୍ତି। ଏହାହେଲେ ରାଜ୍ୟରେ ଅଧିକରୁ ଅଧିକ କମ୍ପାନି ପୁଞ୍ଜି ଖଟାଇବାକୁ ଆଗ୍ରହ ପ୍ରକାଶ କରିବେ ଏବଂ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଏହାଦ୍ବାରା ଆଗକୁ ବଢ଼ିପାରିବ। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ଆଲୋଚନା ହୋଇଛି। ରାଜ୍ୟରେ କାରଖାନା ସ୍ଥାପନ କରିଥିବା ବୃହତ୍ ଶିଳ୍ପର ପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ଥିଲେ।
ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ କହିବାନୁଯାୟୀ, କଳିଙ୍ଗ ନଗରରେ ଏବେ ୨୦ ହଜାର ଲୋକ କାର୍ଯ୍ୟ କରୁଛନ୍ତି। ସେମାନେ ଯାଜପୁର ରୋଡରୁ କିମ୍ବା କଟକ ଓ ଭୁବନେଶ୍ବରୁ ପ୍ରତିଦିନ ଯା’ଆସ କରୁଛନ୍ତି। ସେହିଭଳି ଅନୁଗୁଳ-ଢେଙ୍କାନାଳରେ ଥିବା ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରେ ୧୫ ହଜାର ଲୋକ କାର୍ଯ୍ୟ କରୁଥିଲେ ବି ସେଠାରେ ଲୋକଙ୍କ ରହିବା ପାଇଁ ଶିଳ୍ପାଞ୍ଚଳ ସହର ନାହିଁ ବୋଲି ଶିଳ୍ପ ସଚିବ ଗଣମାଧ୍ୟମକୁ କହିଛନ୍ତି। କଳିଙ୍ଗନଗରରେ ୧୧୦୦ ଏକର ଜମି ଅଧିଗ୍ରହଣ ହୋଇଥିବାବେଳେ ଏଥିରୁ ୫୦୦ ଏକର ଜମି ଶିଳ୍ପାଞ୍ଚଳ ସହର ସ୍ଥାପନ ଲାଗି ବ୍ୟବହୃତ ହେବ। ଝାରସୁଗୁଡ଼ାରେ ୫୦୦ ଏକରର ଏକ ଭଲ ଜମି ମଧ୍ୟ ଏଥିପାଇଁ ଅଧିଗ୍ରହଣ ହୋଇଛି। ଏଥିସହିତ ପାରାଦୀପଠାରେ ମଧ୍ୟ ଏଥିପାଇଁ ଜମି ଚିହ୍ନଟ ହୋଇଛି ବୋଲି ଶିଳ୍ପ ସଚିବ କହିଛନ୍ତି। ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ନିକଟରେ ଶିଳ୍ପାଞ୍ଚଳ ସହର ସ୍ଥାପନ ହେଲେ ସେଠାରେ କାର୍ଯ୍ୟ କରିବା ପାଇଁ ଭଲ ଏବଂ କୁଶଳୀ ପ୍ରତିଭା ଉପଲବ୍ଧ ହୋଇପାରିବେ। ତେବେ ସରକାର ଏଠାରେ ଶିଳ୍ପାଞ୍ଚଳ ସ୍ଥାପନ ବେଳେ ବିଦ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କ, ସିନେମା ହଲ, ରେସ୍ତୋରାଁ, ସପିଂ କମ୍ପ୍ଲେକ୍ସ ଆଦି ନିର୍ମାଣ ଉପରେ ଧ୍ୟାନ ଦେବା ଆବଶ୍ୟକ। ଏହାହେଲେ ମଧ୍ୟମ ଆୟବର୍ଗର କର୍ମଚାରୀ କାରଖାନା ନିକଟରେ ରହିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ଟାଟା ଷ୍ଟିଲ୍ର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସେହିଭଳି ଢେଙ୍କାନାଳ ଏବଂ ଅନୁଗୁଳ ଆଦିରେ ନାଲକୋ ଏବଂ ଅନ୍ୟାନ କଲୋନି ଭଳି ଯଦି ଶିଳ୍ପାଞ୍ଚଳ ସହର ଗଢ଼ି ଉଠିବ ତା’ହେଲେ ସେଠାରେ ଘରୋଇ କମ୍ପାନିର କର୍ମଚାରୀମାନେ ରହିବାକୁ ପସନ୍ଦ କରିବେ ବୋଲି ଶିଳ୍ପ ପ୍ରତିଷ୍ଠାନର ଅଧିକାରୀମାନେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/sfh654fsh97fs8h97fs4hf4sh65f4sh56sf4hsfhfshsfhfhsfhfhs.jpg)