ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ସ୍ଥାନରେ ଘଟୁଥିବା ବନାଗ୍ନି ଘଟଣା ପ୍ରଭାବରେ ପ୍ରତିବର୍ଷ ୫୦୦୦ କୋଟି ଡଲାର (୪,୦୮,୨୫୭ କୋଟି ଟଙ୍କା) କ୍ଷତି ହେଉଛି। ବନାଗ୍ନି ଯୋଗୁ ବିପୁଳ ପରିମାଣର କ୍ଷତିକାରକ ଅଙ୍ଗାରକାମ୍ଳ ଗ୍ୟାସ୍ ବାୟୁମଣ୍ଡଳରେ ମିଶୁଛି ଯାହା ତାପାମାତ୍ରା ସନ୍ତୁଳନକୁ ବିଗାଡ଼ୁଛି। କୃତ୍ରିମ ବୁଦ୍ଧିମତା ବା ଏଆଇ ପ୍ରଯୁକ୍ତିକୁ ବ୍ୟବହାର କରି ଏଭଳି ଦୁର୍ଘଟଣାକୁ ରୋକିବା ଉପରେ ଗୁରୁତ୍ବ ଦେବାକୁ ବିଶ୍ବ ଅର୍ଥନୈତିକ ମଞ୍ଚ (ଡବ୍ଲୁଇଏଫ୍) ପ୍ରସ୍ତାବ ଦେଇଛି।
ସ୍ବିଜରଲ୍ୟାଣ୍ଡ୍ର ଡାଭୋସ୍ଠାରେ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ବାର୍ଷିକ ବୈଠକର ପ୍ରଥମ ଦିନରେ ବିଶ୍ବ ବନାଗ୍ନି ରିପୋର୍ଟ ୨୦୨୧ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଏଭଳି ଘଟଣା ଯୋଗୁ ବାୟୁମଣ୍ଡଳରେ ୬୪୫୦ ମେଗା ଟନ୍ ଅଙ୍ଗାରକାମ୍ଳ ଗ୍ୟାସ୍ ମିଶିଛି। ୨୦୦୦ ପରଠାରୁ ଆମେରିକାରେ ୧.୫ ନିୟୁତ ବନାଗ୍ନି ଘଟଣା ଘଟିଥିବା ବେଳେ ୨୦୧୯-୨୦ ଜଙ୍ଗଲ ନିଆଁରେ ୩୦୦ କୋଟି ପଶୁଙ୍କ ଜୀବନ ଯାଇଥିଲା। ଏହି ଧାରା ଆଗାମୀ ଦିନରେ ଜାରି ରହିବ ଯାହା ବିଶ୍ବର କୋଟି କୋଟି ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବ। ୨୦୫୦ ସୁଦ୍ଧା ବଡ଼ ଧରଣର ବନାଗ୍ନି ଘଟଣାରେ ୩୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି ବିଶ୍ବ ପାଣିପାଗ ସଂଗଠନ ଆକଳନ କରିଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍ଇପି) ପକ୍ଷରୁ କୁହାଯାଇଛି ଯେ ବିଶ୍ବର ୩୦ ପ୍ରତିଶତ ଲୋକ ପ୍ରତିବର୍ଷ ଅତିକମ୍ରେ ୨୦ ଦିନ ଅତ୍ୟଧିକ ଗରମକୁ ସାମ୍ନା କରିଛନ୍ତି।
କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିର ବ୍ୟବହାର କରି ବନାଗ୍ନିକୁ ରୋକଯାଇପାରିବ। ଏହାକୁ ନେଇ ରହିଥିବା ବିପଦକୁ ଅନୁଶୀଳନ କରାଯାଇପାରିବ ଏବଂ ତାହାର ମୁକାବିଲା ଲାଗି ଦରକାର ବ୍ୟବସ୍ଥା କରାଯାଇପାରିବ। ସଫଳତାର ସହ ଏହି ବ୍ୟବସ୍ଥାର ପରୀକ୍ଷଣ ହୋଇଛି। ବିଶ୍ବବ୍ୟାପୀ ତାହାକୁ ଲାଗୁ କରିବା ବିଷୟରେ ବିଚାର କରାଯାଉଛି। ବନାଗ୍ନି ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା ଯାହା କୋଟି କୋଟି ବର୍ଷରୁ ଚାଲିଆସିଛି। ଏକ ସୁସ୍ଥକର ଜଙ୍ଗଲ ପରିବେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ବନାଗ୍ନି। ଭୂମଧ୍ୟସାଗରୀୟ ଅଞ୍ଚଳରେ ଥିବା ଜଙ୍ଗଲ ପ୍ରତି ୫୦ ବର୍ଷରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟେ। ଏବେ କିନ୍ତୁ ନିୟମିତ ବ୍ୟବଧାରେ ଏଭଳି ଅଗ୍ନିକାଣ୍ଡ ଘଟୁଛି। ଜଙ୍ଗଲ ଜମିରୁ ଅଧିକାଂଶ ମଧୁର ଜଳ ପ୍ରଭାବିତ ହୋଇଥାଏ। ବାରମ୍ବାର ବନାଗ୍ନି ଘଟୁଥିବାରୁ ମଧୁର ଜଳର ମାନ ହ୍ରାସ ପାଇଛି। ଜଙ୍ଗଲରେ ହେଉଥିବା ଅଗ୍ନିକାଣ୍ଡ ପରେ ମୃତ୍ତିକାର ଜଳ ଧାରଣ କ୍ଷମତା ହ୍ରାସ ପାଏ। ଫଳରେ ସେହି ଜଳ ଜଳସ୍ରୋତରେ ମିଶି ବଡ଼ ଧରଣର ବନ୍ୟା ସୃଷ୍ଟି କରେ। ଏଆଇ ଜରିଆରେ ଜଙ୍ଗଲରୁ ସୃଷ୍ଟି ହେଉଥିବା ଧୁଆଁକୁ ଚିହ୍ନଟ କରାଯାଇପାରିବ ଏବଂ କିଛି ଘଣ୍ଟା ଭିତରେ ସ୍ଥାନୀୟ କର୍ତ୍ତୃପକ୍ଷ ସେହି ନିଆଁକୁ ଲିଭାଇପାରିବେ। ମାନବ ବିହୀନ ଆକାଶ ମାର୍ଗରେ ଉଡ଼ୁଥିବା ଯାନ ଜରିଆରେ ଅଗ୍ନିକାଣ୍ଡର ମୁକାବିଲା କରାଯାଇପାରିବ। ଏନେଇ ଆମେରିକାରେ ଦୁଇଟି ପରୀକ୍ଷଣ ଜାରି ରହିଥିବା ଜଣାପଡ଼ିଛି।