କରୋନା ଯୋଗୁଁ ଦେବାଳିଆ ସ୍ଥିତିରେ ବିମାନସେବା ଶିଳ୍ପ, ସାରା ବିଶ୍ୱରେ ଗଲାଣି ୪ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଗୁରୁତର ମାନବୀୟ ସଂକଟ ସୃଷ୍ଟି ହେବାର ଆଶଙ୍କା ଦିନକୁ ଦିନ ଦୃଢ ହେବାରେ ଲାଗିଛି । ବ୍ଲୁମ୍ବର୍ଗର ଏକ ରିପୋର୍ଟ ଅନୁସାରେ କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ବିମାନ ଚଳାଚଳ ଶିଳ୍ପ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛି । ଏହା ଫଳରେ ଏବେ ସୁଦ୍ଧା ପ୍ରାୟ ଏହି ଶିଳ୍ପ ସହ ସଂପୃକ୍ତ ପ୍ରାୟ ୪ ଲକ୍ଷ ଲୋକ ନିଯୁକ୍ତି ହରାଇସାରିଲେଣି ।

ତେବେ ଏହି ରିପୋର୍ଟରେ ସତର୍କ କରାଯାଇଛି ଯେ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି । କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ବିମାନ ଚଳାଚଳ ବନ୍ଦ ରହିଛି । ଲୋକମାନେ ନିଜର ଟିକେଟ ବାତିଲ କରୁଛନ୍ତି । ବିମାନ ସେବା କମ୍ପାନିଗୁଡ଼ିକ ଦେବାଳିଆ ହୋଇଚାଲିଛି । ଫଳରେ ଆଗକୁ କୋଟି କୋଟି ଲୋକ ନିଯୁକ୍ତି ହରାଇବା ଆଶଙ୍କା ଦେଖାଦେଇଛି ।

ଭାରତରେ ଦୀର୍ଘଦିନ ଧରି ଚାଲିଥିବା ଲକଡାଉନ ଯୋଗୁଁ ବିମାନ ସେବା ଶିଳ୍ପ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ପ୍ରାୟ ୨୯ ଲକ୍ଷ ୩୨ ହଜାର ନିଯୁକ୍ତି ଉପରେ ବିପଦ ଘନେଇ ଆସୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଗଠନ (ଆଇଏଟିଏ) ପକ୍ଷରୁ ଅଟକଳ କରାଯାଇଛି ।
ଭାରତର ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନି ନିଜର ଅଧିକାଂଶ କର୍ମଚାରୀଙ୍କୁ ଛଟେଇ କରିବାକୁ କିମ୍ବା ଛୁଟିରେ ପଠେଇବାକୁ ଘୋଷଣା କରିଛି । ଆଗକୁ ଅନ୍ୟ ଘରୋଇ କମ୍ପାନିମାନେ ମଧ୍ୟ ସମାନ ପଦକ୍ଷେପ ନେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର