ନୂଆଦିଲ୍ଲୀ: ୧୯୪୭ ମସିହାରେ ଦେଶ ସ୍ବାଧୀନ ହେବା ପରଠାରୁ ପ୍ରତିବର୍ଷ ସଂସଦରେ ବଜେଟ୍‌ ଆଗତ ହୋଇ ଗୃହୀତ ହେଉଛି। ସ୍ବାଧୀନ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଭାବେ ଆର‌୍‌କେ ଷଣ୍‌ମୁଖମ୍‌ ଚେଟି ପ୍ରଥମ ବଜେଟ୍‌ ଆଗତ କରିଥିଲେ। କିନ୍ତୁ ଏଭଳି ୫ଟି ବଜେଟ୍‌ ଅଛି ଯାହାକୁ ଐତିହାସିକ ବୋଲି ବିବେଚନା କରାଯାଇଥାଏ। ଏସବୁ ବଜେଟ୍‌ ଭାରତୀୟ ଅର୍ଥନୀତିକୁ ରୂପାନ୍ତରିତ କରିବାରେ ବିଶେଷ ସହାୟକ ହୋଇଛି। ସେଗୁଡ଼ିକ ମଧ୍ୟରେ ରହିଛି ୧୯୫୭-୫୮, ୧୯୯୧-୯୨, ୧୯୯୭-୯୮, ୨୦୦୦-୦୧ ଏବଂ ୨୦୧୬-୧୭ ବଜେଟ୍‌।

Advertisment

୧୯୫୭-୫୮
୧୯୫୭-୫୮ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଟିଟି କ୍ରିଷ୍ଣମାଚାରୀ ଏକ ଟିକସ ସଂସ୍କାରଧର୍ମୀ ବଜେଟ୍‌ ଉପସ୍ଥାପନ କରିଥିଲେ। ସେଥିରେ ସଂପତ୍ତି ଟିକସକୁ ଲାଗୁ କରାଯାଇଥିଲା। ବ୍ୟକ୍ତିଗତ ସଂପତ୍ତିର ମୋଟ ମୂଲ୍ୟ ଉପରେ ଏହି ଟିକସ ଲାଗୁ ହୋଇଥିଲା। ୨୦୧୫ରେ ଏହି ଟିକସ ଉଚ୍ଛେଦ ହେବା ପର୍ଯ୍ୟନ୍ତ ଭାରତୀୟ ଟିକସ ବ୍ୟବସ୍ଥାର ଏକ ଅଂଶ ଭାବେ ବିଭିନ୍ନ ଆକାରରେ ଲାଗୁ ହେଉଥିଲା।

୧୯୯୧-୯୨
ଦେଶର ସାଂଘାତିକ ଅର୍ଥନୈତିକ ସଂକଟ ସମୟରେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ୧୯୯୧-୯୨ ଆର୍ଥିକ ବର୍ଷର ବଜେଟ୍‌ ଆଗତ କରିଥିଲେ। ଅର୍ଥନୀତିଜ୍ଞ ଭାବେ ଭାରତୀୟ ଅର୍ଥନୀତିରେ ଆବଶ୍ୟକ ପଡ଼ୁଥିବା ସଂସ୍କାରକୁ କାର୍ଯ୍ୟକାରୀ କରିବା ପାଇଁ ସେ ତାଙ୍କ ବୁଦ୍ଧିମତ୍ତାର ପ୍ରୟୋଗ କରିଥିଲେ। ଦେଶର ରପ୍ତାନି ଓ ଆମଦାନି ନୀତିରେ ପରିବର୍ତ୍ତନ ଆଣିଥିଲେ। ବଜେଟ୍‌ରେ ସୀମା ଶୁଳ୍କକୁ ୨୨୦ ପ୍ରତିଶତରୁ ୧୫୦ ପ୍ରତିଶତକୁ ହ୍ରାସ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଭାରତର ବାଣିଜ୍ୟକୁ ଅଧିକ ପ୍ରତିଯୋଗିତାକ୍ଷମ କରିବା ଲାଗି ସେ ଏହି ନିଷ୍ପତ୍ତି ନେଇଥିଲେ। ସରକାରୀ ନିୟନ୍ତ୍ରଣକୁ ହ୍ରାସ କରିବା ସହିତ ଅର୍ଥନୈତିକ ସ୍ବାଧୀନତାକୁ ପ୍ରୋତ୍ସାହନ ଦେଇ ଅର୍ଥନୀତିରେ ବଡ଼ ସଂସ୍କାର ଆଣିଥିଲେ। ଏହି ବଜେଟ୍‌ରେ ଲାଇସେନ୍ସ ରାଜ୍‌ର ଅବସାନ ଘଟିଥିଲା। ବିଦେଶୀ ପୁଞ୍ଜିନିବେଶ ଦେଶକୁ ଆସିବା ସହିତ ଭାରତକୁ ଏକ ଆର୍ଥିକ ଶକ୍ତିରେ ପରିଣତ ହେବା ଲାଗି ବଜେଟ୍‌ରେ ପଥ ପ୍ରସ୍ତୁତ ହୋଇଥିଲା।

publive-image

୧୯୯୭-୯୮
୧୯୯୭ ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ ୧୯୯୭-୯୮ ଆର୍ଥିକବର୍ଷ ପାଇଁ ବଜେଟ୍‌ ଆଗତ କରିଥିଲେ। ଅର୍ଥନୀତି ଓ ବାଣିଜ୍ୟ କ୍ଷେତ୍ରରେ ଥିବା ତାଙ୍କର ଦକ୍ଷତାକୁ ଉପଯୋଗ କରି ଚିଦମ୍ବରମ ଯେଉଁ ବଜେଟ୍‌ ଆଣିଥିଲେ ବି‌ଶେଷଜ୍ଞମାନେ ତାହାକୁ ‘ଡ୍ରିମ୍‌ ବଜେଟ୍‌’ ଆଖ୍ୟା ଦେଇଛନ୍ତି। ବ୍ୟକ୍ତିଗତ ଆୟକର ଏବଂ କମ୍ପାନି ଟିକସରେ ବଡ଼ ଧରଣର ହ୍ରାସ ସେ କରିଥିଲେ। ବ୍ୟକ୍ତିଗତ ଆୟକରର ସର୍ବୋଚ୍ଚ ହାରକୁ ୪୦ ପ୍ରତିଶତରୁ ୩୦ ପ୍ରତିଶତକୁ କମାଇଥିଲେ। ଏଥିସହିତ ସରଚାର୍ଜକୁ ମଧ୍ୟ ଉଚ୍ଛେଦ କରିବା ସହିତ ରୟାଲଟି ହାର କମାଇଥିଲେ। ଟିକସଦାତାଙ୍କୁ ଏହାଦ୍ବାରା ବଡ଼ ଆଶ୍ବସ୍ତି ମିଳିଥିଲା।

୨୦୦୦-୦୧
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା ଏକ ଐତିହାସିକ ବଜେଟ୍‌ ଆଗତ କରିଥିଲେ। ସିହ୍ନାଙ୍କ ବଜେଟ୍‌ରେ ଆଇଟି ବା ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବଡ଼ ବିପ୍ଳବ ଆଣିଥିଲା। କମ୍ପ୍ୟୁଟର ସମେତ ୨୧ଟି ସାମଗ୍ରୀର ସୀମା ଶୁଳ୍କ ସେ ହ୍ରାସ କରିଥିଲେ। ଏଥିଯୋଗୁ ଆଇଟି ଶିଳ୍ପ ଆଗକୁ ବଢ଼ିଥିଲା ଏବଂ ବିଶ୍ବରେ ଭାରତ ଆଇଟିର ଏକ କେନ୍ଦ୍ରରେ ପରିଣତ ହୋଇଥିଲା।

୨୦୧୬-୧୭
ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ୨୦୧୬-୧୭ ବଜେଟ୍‌ ଆଗତ କରିଥିଲେ। ସେହି ବଜେଟ୍‌ରେ ରେଳ ବଜେଟ୍‌କୁ ସାଧାରଣ ବଜେଟ୍‌ ସହିତ ମିଶାଇ ଦିଆଯାଇଥିଲା। ଏଥିଯୋଗୁ ୯୨ ବର୍ଷ ଧରି ସ୍ବତନ୍ତ୍ର ଭାବେ ଆଗତ ହୋଇ ଆସୁଥିବା ରେଳ ବଜେ୍‌ଟ ଧାରାରେ ପୂର୍ଣ୍ଣଛେଦ ପଡ଼ିଥିଲା।

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ସେଥିପାଇଁ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ସୁନା ଆମଦାନି ଉପରେ ଲଗାଯାଇଥିବା ଶୁଳ୍କ ହ୍ରାସ କରିବା ଲାଗି ଦୀର୍ଘଦିନରୁ ହେଉଥିବା ଦାବିକୁ ସେ ଦୋହରାଇଛନ୍ତି। ଏହା ଦ୍ବାରା ଦେଶର ସୁନା ଦାମ୍ ଆନ୍ତର୍ଜାତିକ ମାନକ ପାଖାପାଖି ପହଞ୍ଚିବ ବୋଲି ସେ କହିଛନ୍ତି। ଶୁଳ୍କରେ ୨ ପ୍ରତିଶତରୁ ୩ ପ୍ରତିଶତ ହ୍ରାସ ଏହି ଉଦ୍ଦେଶ୍ୟ ହାସଲରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

ସେହିପରି, ସୁନା କାରବାରକୁ ନେଇ ନିର୍ଧାରଣ କରାଯାଇଥିବା ସୀମା ଉପରେ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି। ବର୍ତ୍ତମାନ ଦୁଇ ଲକ୍ଷ ଟଙ୍କାର କାରବାର ପାଇଁ ପାନ୍ କାର୍ଡ କିମ୍ବା ସେହି ଧରଣର ପରିଚୟପତ୍ର ଦରକାର ହେଉଛି। ଗତ ଦୁଇ ବର୍ଷ ଭିତରେ ସୁନା ଦାମ୍‌ରେ ଅହେତୁକ ବୃଦ୍ଧି ଘଟିଥିବାରୁ ଏହି ସୀମାକୁ ଅନ୍ତତଃ ପକ୍ଷେ ୩.୫ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି। ‌ପାଞ୍ଚ ବର୍ଷ ପୂର୍ବେ ନିର୍ଧାରଣ କରାଯାଇଥିବା ସୀମା ବର୍ତ୍ତମାନର ବଜାର ସ୍ଥିତିକୁ ପ୍ରତିଫଳିତ କରୁନଥିବା ସେ ଜଣାଇଛନ୍ତି। ଏହି ପଦକ୍ଷେପ ଗ୍ରହଣ କରାଗଲେ ଶିଳ୍ପ ଓ ଗ୍ରାହକ ଉଭୟ ଉପକୃତ ହେବେ ବୋଲି ସେ କହିଛନ୍ତି।