ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବ୍ୟାଙ୍କିଂ ନିୟମ (ସଂଶୋଧନ) ବିଲ୍‌ ୨୦୨୪ ଉପସ୍ଥାପନ କରିଛନ୍ତି। ଏହା ଆଇନରେ ପରିଣତ ହେଲେ ଗ୍ରାହକମାନେ ନିଜ ବ୍ୟାଙ୍କ ଖାତାରେ ଚାରି ଜଣ ନୋମିନିଙ୍କ ନାମ ଯୋଡ଼ିପାରିବେ। ବର୍ତ୍ତମାନ ପ୍ରଚଳନରେ ଥିବା ନିୟମରେ ବ୍ୟାଙ୍କ ଖାତା ପିଛା ଜଣେ ନୋମିନିଙ୍କ ନାମ ଯୋଡ଼ିବା ଅନୁମତି ରହିଛି। ସେହିପରି ‘ଡାଇରେକ୍ଟରସିପ୍‌’ ପାଇଁ ୬୦ ବର୍ଷ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ୫ ଲକ୍ଷ ଟଙ୍କାର ସୀମାକୁ ବଢ଼ାଇ ୨ କୋଟି ଟଙ୍କା କରାଯାଇଛି। କଂଗ୍ରେସ ନେତା ମନିଷ ତିୱାରୀ ଏହି ବିଲ୍‌କୁ ବିରୋଧ କରିଛନ୍ତି।

Advertisment

କୋଅପରେଟିଭ୍‌ ସୋସାଇଟିଗୁଡ଼ିକ ସମ୍ପର୍କିତ ନିଷ୍ପତ୍ତି ନେବାର କ୍ଷମତା ରାଜ୍ୟଗୁଡ଼ିକ ପାଖରେ ରହିବା ଦରକାର ବୋଲି ସେ କହିଛନ୍ତି। ଏହାର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କ ନିୟମ ଓ କୋଅପରେଟିଭ୍‌ ବ୍ୟାଙ୍କ ମଧ୍ୟରେ ସମ୍ପର୍କ ଥିବାରୁ ସରକାର ଏହି ସଂଶୋଧନ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କ କ୍ଷେତ୍ରରେ ସକ୍ରିୟ ଥିବା କୋଅପରେଟିଭ୍ ବ୍ୟତୀତ ଅନ୍ୟ କୌଣସି ପ୍ରକାର କୋଅପରେଟିଭ୍‌ କାର୍ଯ୍ୟକୁ ଗୌଣ କରିବା ଲାଗି କୌଣସି ଉଦ୍ୟମ ହେଉନାହିଁ। ବ୍ୟାଙ୍କ ଭା‌ବେ ପରିଚାଳିତ ହେଉଥିବା କୋଅପରେଟିଭ୍‌ଗୁଡ଼ିକୁ କିଛିଟା ନିୟମ ପାଳନ କରିବାକୁ ପଡ଼ିବ। ସେଥିପାଇଁ ଏହି ସଂଶୋଧନ କରାଯାଉଥିବା ସେ କହିଛନ୍ତି।

ଅଡିଟର୍‌ମାନଙ୍କ ପ୍ରାପ୍ୟ ନିର୍ଧାରଣ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଏହି ବିଲ୍‌ ଜରିଆରେ କ୍ଷମତା ପ୍ରଦାନ କରାଯିବ। ସେହିପରି ନୀତି ନିୟମ ପାଳନ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ଲାଗି ପ୍ରତି ମାସର ୧୫ ତାରିଖ ଓ ଶେଷ ଦିବସକୁ ଧାର୍ଯ୍ୟ କରାଯାଇଛି। ଏବେ ପ୍ରତି ଦ୍ବିତୀୟ ଓ ଚତୁର୍ଥ ଶୁକ୍ରବାର ଏହି ରିପୋର୍ଟ ଦେବାକୁ ପଡ଼ୁଛି।