ଭାରତର ଶୀର୍ଷ ୫ ଧନୀଙ୍କ ମଧ୍ୟରେ ୪ ଗୁଜରାଟୀ, ଏମାନଙ୍କ ହାତରେ ୭ ଲକ୍ଷ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ପ୍ରତିଷ୍ଠିତ ମାଗାଜିନ୍ ଫୋର୍ବସ ପକ୍ଷରୁ ନିକଟରେ ଦେଶର ଶ୍ରେଷ୍ଠ ୧୦୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। କ୍ରମାଗତଭାବେ ୧୨ ବର୍ଷ ପାଇଁ ତାଲିକାର ଶୀର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନି ରହିଛନ୍ତି। ସେହିଭଳି ଦ୍ବିତୀୟ ସ୍ଥାନରେ ଆଦାନି ଗ୍ରୁପ୍‌ର ଗୌତମ ଆଦାନି, ଚତୁର୍ଥ ସ୍ଥାନରେ ପାଲୋଞ୍ଜି ଗ୍ରୁପ୍‌ର ପାଲୋଞ୍ଜି ମିସ୍ତ୍ରୀ ଏବଂ ପଞ୍ଚମ ସ୍ଥାନରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ଉଦୟ କୋଟାକ ରହିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଶୀର୍ଷ ୫ଟି ସ୍ଥାନ ମଧ୍ୟରୁ ୪ଟି ସ୍ଥାନରେ ଗୁଜରାଟର ଉଦ୍ୟୋଗୀମାନେ ରହିଛନ୍ତି। ସେମାନେ ହେଲେ ମୁକେଶ ଅମ୍ବାନି, ଗୌତମ ଆଦାନି, ପାଲୋଞ୍ଜି ମିସ୍ତ୍ରି ଏବଂ କୋଟାକ୍ ମହିନ୍ଦ୍ରା। ଏମାନେ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୫୧.୪ ବିଲିଅନ ଡଲାର ବା ୩.୫ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଗୌତମ ଆଦାନିଙ୍କ ସମ୍ପତ୍ତି ୧୫.୭ ବିଲିଅନ ଡଲାର ବା ୧.୧୦ ଲକ୍ଷ କୋଟି ଟଙ୍କା, ପାଲୋଞ୍ଜି ମିସ୍ତ୍ରିଙ୍କ ସମ୍ପତ୍ତି ୧୫ ବିଲିଅନ ଡଲାର ବା ୧.୦୫ ଲକ୍ଷ କୋଟି ଟଙ୍କା ଏବଂ ଉଦୟ କୋଟାକଙ୍କ ସମ୍ପତ୍ତି ୧୪.୮ ବିଲିଅନ ଡଲାର ବା ୧.୦୨ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ୍ ଏହି ୪ ଗୁଜରାଟୀ ଉଦ୍ୟୋଗୀଙ୍କ ହାତରେ ୯୬.୯ ବିଲିଅନ ଡଲାର ବା ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି।

ସମ୍ବନ୍ଧିତ ଖବର