ରାଜ୍ୟକୁ ଆସିଲା ୪୬୫ କୋଟିର ୪ ପ୍ରକଳ୍ପ, ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଦେଲା ସବୁଜ ସ‌ଂକେତ

୧୦ ମାସରେ ଆସିଲାଣି ୧,୧୮,୨୧୫ କୋଟି ନି‌ବେଶ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ରାଜ୍ୟକୁ ପୁଞ୍ଜି ନିବେଶ ପ୍ରସ୍ତାବ ଆଗମନ ଅବ୍ୟାହତ ରହିଛି। ୪୬୪.୭୨ କୋଟି ଟଙ୍କାର ୪ଟି ପ୍ରସ୍ତାବକୁ ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ମଞ୍ଜୁରି ପ୍ରଦାନ କରିଛି। ଉକ୍ତ ୪ଟି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୮୭୩ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୪ଟି ପ୍ରସ୍ତାବ ମଧ୍ୟରୁ ପ୍ରଥମଟି ହେଲା ଗାଲାକ୍ସି ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାର ମଳିପଡ଼ାଠାରେ ଏକ ମିଡିଅମ ଡେନ୍‌ସିଟି ଫାଇବରବୋର୍ଡ (ଏମ୍‌ଡିଏଫ୍‌) କାରଖାନା ସ୍ଥାପନ ହେବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୭୨ ହଜାର ଘନ ମିଟର ରହିବ। କମ୍ପାନି ଏହି ପ୍ରକଳ୍ପରେ ୯୩ କୋଟି ଟଙ୍କା ନିବେଶ କରିବ। ଫଳରେ ଏଠାରେ ୩୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟ ହେବ। ଦ୍ବିତୀୟ ପ୍ରକଳ୍ପଟି ଗ୍ଲୋବସ୍‌ ପକ୍ଷରୁ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ହେବ। ଉକ୍ତ କମ୍ପାନି ଏଥିପାଇଁ ୧୫୧.୭୨ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପରେ ୧୨୦ କେଏଲ୍‌ପିଡିର ଶସ୍ୟ ଭିତ୍ତିକ ଡି‌ଷ୍ଟିଲେରି ୟୁନିଟ ସ୍ଥାପନ ହେବ। ଏଥିରୁ ଏକ୍ସଟ୍ରା-ନ୍ୟୁଟ୍ରାଲ ଆଲକହଲ/ଇଥାନଲ ଉତ୍ପାଦନ ହେବ। ଏଥିସହିତ ୪ ମେଗାୱାଟର ବିଦ୍ୟୁତ୍ କାରଖାନା ମଧ୍ୟ ସ୍ଥାପନ ହେବ। ଏହି ପ୍ରକଳ୍ପ ଦ୍ବାରା ୩୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ଆସିବ।

ତୃତୀୟ ପ୍ରକଳ୍ପଟି ଏନ୍‌ଭିରୋକେୟାର ଇନ୍‌ଫ୍ରାସଲ୍ୟୁସନ୍ ପ୍ରା. ଲିଃ. ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାଠାରେ ହେବ। କମ୍ପାନି ଏଠାରେ ବାର୍ଷିକ ୧.୬ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ପେଲେଟ୍‌ ପ୍ଲାଣ୍ଟ ସ୍ଥାପନ କରିବ। ଏବାବଦରେ କମ୍ପାନି ୧୦୦ କୋଟି ଟଙ୍କା ନିବେଶ କରିବ। ଫଳରେ ୧୯୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଚତୁର୍ଥ ପ୍ରକଳ୍ପଟି ମଧ୍ୟ ଏହି ଇନଭିରୋକେୟାର କମ୍ପାନି ପକ୍ଷରୁ ହେବ। କମ୍ପାନି ସୁନ୍ଦରଗଡ଼ର ଲାଠିକଟାଠାରୁ କୋଇଡ଼ା ମଧ୍ୟରେ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ସ୍ଲରି ପାଇପଲାଇନ୍ ପ୍ରକଳ୍ପ କରିବ। ଏଥିପାଇଁ କମ୍ପାନି ୧୦୦ କୋଟି ଟଙ୍କା ନିବେଶ କରିବ। ଏହାଦ୍ବାରା ୬୮ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟ ହେବ।

ବୈଠକରେ ରାଜ୍ୟକୁ ପୁଞ୍ଜି ଆଣିବାରେ ଭୂମିକା ଥିବା ବ୍ୟକ୍ତିମାନଙ୍କ ଉଦ୍ୟମକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ପ୍ରଶଂସା କରିଥିଲେ। ଏଥିସହିତ ପ୍ରକଳ୍ପ ଗୁଡ଼ିକ ପାଇଁ ବାସ୍ତବରେ କେତେ ଜାଗା ଓ ପାଣି ଆବଶ୍ୟକ ତାହାର ଆକଳନ କରିବାକୁ ଇପିକଲକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଜଳ ଅମଳ ଏବଂ ଏହାର ପୁନଃବ୍ୟବହାର ଉପରେ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରିବା ପାଇଁ ଥିବା ସମ୍ଭାବନାଗୁଡ଼ିକୁ ଖୋଜି ବାହାର କରିବା ପାଇଁ ମଧ୍ୟ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଯୋଗଦେଇ ଏସବୁ ଶିଳ୍ପ ପାଇଁ ଉନ୍ନତମାନର ବିଜୁଳି ଗ୍ରିଡ୍‌‌କୋରୁ ଯୋଗାଇ ଦେବା ଉପରେ ପ୍ରତିଶ୍ରୁତି ଦେଇଥିଲେ। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡ଼ିକ ସଂପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଆଜିର ୪୬୪ କୋଟି ୭୨ ଲକ୍ଷ ଟଙ୍କାର ନୂଆ ପ୍ରକଳ୍ପ ସହିତ ଚଳିତବର୍ଷ ଫ୍ରେବୁଆରିରୁ ଗତ ୧୦ ମାସ ମଧ୍ୟରେ ରାଜ୍ୟକୁ ପ୍ରାୟ ୧,୧୯,୨୧୪.୭୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଏବଂ ବ୍ୟବସାୟ ପାଇଁ ସହଜ ବାତାବରଣ ଯୋଗୁ ଏସବୁ ନିବେଶ ପ୍ରସ୍ତାବ ଆସିଛି। ଏସବୁ ନିବେଶ ପ୍ରସ୍ତାବ ଦ୍ବାରା ରାଜ୍ୟରେ ୫୪,୧୩୧ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର