ରାଜ୍ୟରେ ଫସିଛି ୪ ହଜାର କୋଟିର ଘର, ୧ ଲକ୍ଷରୁ ଅଧିକ ଶ୍ରମିକ କାମଧନ୍ଦା ହରାଇଛନ୍ତି

ସ୍ବାଭାବିକତା ଫେରିବାକୁ ୨ ବର୍ଷ ଲାଗିଯାଇପାରେ

ଭୁବନେଶ୍ବର: କରୋନା ମହାମାରୀ ପାଇଁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି। ରାଜ୍ୟର ରିଅଲ ଇଷ୍ଟେଟ ଶିଳ୍ପ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ରାଜ୍ୟରେ ନିର୍ମାଣ ହୋଇ ବିକ୍ରି ପାଇଁ ପଡ଼ି ରହିଛି ପ୍ରାୟ ୬୦୦୦ରୁ ୭୦୦୦ ୟୁନିଟ୍ ଘର। ସେଗୁଡ଼ିକ ସବୁ ଏବେ ବିକ୍ରି ହୋଇ ପାରୁନାହିଁ। ବିଭିନ୍ନ ସହରର ସ୍ଥାନ ଅନୁସାରେ ଘରର ମୂଲ୍ୟ ଅଲଗା ଅଲଗା ରହିଥାଏ। ପ୍ରାୟତଃ ୪୦ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧ କୋଟି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ଘର ବିକ୍ରି ହେଉଥାଏ। ଯଦି ଗୋଟିଏ ଘରର ହାରାହାରି ମୂଲ୍ୟ ୫୦ ଲକ୍ଷରୁ ୬୦ ଲକ୍ଷ ଟଙ୍କା ମଧ୍ୟରେ ଧରାଯାଏ ତାହେଲେ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୪୦୦୦ କୋଟି ଟଙ୍କା ମୂଲ୍ୟର ଘର ବିକ୍ରି ନହୋଇ ପଡ଼ିରହିଛି ବୋଲି ରିଅଲ ଇଷ୍ଟେଟ ଶିଳ୍ପର ବିଶେଷଜ୍ଞମାନେ ମତ ଦେଇଛନ୍ତି। ପୂର୍ବରୁ ରେରା କାର୍ଯ୍ୟକାରୀ ହେବା ସହିତ ଜିଏସଟି ଏବଂ ଅର୍ଥନୈତିକ ମାନ୍ଦାବସ୍ଥା ପ୍ରଭାବରେ ରିଅଲ ଇଷ୍ଟେଟ ଶିଳ୍ପର ସ୍ଥିତି ଭଲ ନଥିଲା। କିଛି ମାସ ପୂର୍ବେ ଏହି ଶିଳ୍ପରେ ସାମାନ୍ୟ ସୁଧାର ଆସିଥିଲା। କିନ୍ତୁ କରୋନା ଆସିବା ପରେ ଏହି ଶିଳ୍ପର ଅବସ୍ଥା ପୁଣି ଖରାପ ହୋଇଯାଇଛି। କେବଳ ବିଲଡର ନୁହଁନ୍ତି ଏହି ଶିଳ୍ପ ସହ ଜଡ଼ିତ ସିମେଣ୍ଟ ଶିଳ୍ପ, ରଡ୍ ଶିଳ୍ପ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଶିଳ୍ପ ମଧ୍ୟ ଠପ୍ ହୋଇଯାଇଛି। କରୋନା ପରିସ୍ଥିତିକୁ ଦେଖି କର୍ଣ୍ଣାଟକ ଭଳି କେତୋଟି ରାଜ୍ୟ ରେରାରେ ପଞ୍ଜୀକୃତ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଶେଷ କରିବା ଅବଧିକୁ ବଢ଼ାଇ ଦେଇଛନ୍ତି। ଓଡ଼ିଶାରେ ମଧ୍ୟ ସେଭଳି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

କୃଷି ପରେ ନିର୍ମାଣ କ୍ଷେତ୍ରରେ ଅଧିକ ଶ୍ରମିକ ନିୟୋଜିତ ଥାଆନ୍ତି। କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଶ୍ରମିକମାନେ ଆସି ବିଭିନ୍ନ ସହରରେ ଘର ନିର୍ମାଣ କ୍ଷେତ୍ରରେ ଶ୍ରମିକଭାବେ କାର୍ଯ୍ୟ କରିଥାନ୍ତି। ଓଡ଼ିଶାରେ ପ୍ରାୟ ୧ ଲକ୍ଷରୁ ଅଧିକ ଶ୍ରମିକ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥାଆନ୍ତି। କିନ୍ତୁ ଲକ୍‌ଡାଉନ୍ ପରଠାରୁ ସେମାନେ ସେମାନଙ୍କ ରୋଜଗାର ହରାଇଛନ୍ତିଏପରିକି ଅନେକ ଶ୍ରମିକ ଗାଁକୁ ପଳାଇଛନ୍ତି। କରୋନା ସଂକ୍ରମଣ ନକମିବା ଏବଂ ଲକ୍‌ଡାଉନ୍ ନଉଠିବା ପର୍ଯ୍ୟନ୍ତ ଏହି ଶ୍ରମିକମାନେ ସହରକୁ ଫେରିବା ସମ୍ଭାବନା ନାହିଁ। ଏତଦ୍‌ବ୍ୟତୀତ ଲକ୍‌ଡାଉନ୍ ଯୋଗୁଁ ଲୋକଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତ ଆୟ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଲୋକଙ୍କ ଭବିଷ୍ୟତ ‌ଆୟ ଉପରେ ରିଅଲ ଇଷ୍ଟେଟ ଶିଳ୍ପର ଆୟ ଅଧିକ ମାତ୍ରାରେ ନିର୍ଭର କରିଥାଏ। ଚାକିରି କରୁଥିବା ଲୋକଙ୍କ ନିକଟରେ ବର୍ତ୍ତମାନ କେତେ ଅର୍ଥ ଅଛି କେବଳ ସେତିକି ନୁହେଁ ଭବିଷ୍ୟତରେ ସେମାନଙ୍କ ଆୟ କେତେ ରହିବ ତାହାକୁ ଦେଖି ସେମାନେ ଘର କିଣିବାକୁ ଆଗଭର ହୋଇଥାନ୍ତି। କିନ୍ତୁ ଏସବୁ ଅନିଶ୍ଚିତତା ଭିତରକୁ ଏବେ ଚାଲିଯାଇଛି। ଘରୋଇ କମ୍ପାନି ଗୁଡ଼ିକର ସ୍ଥିତି କ’ଣ ରହିବ। ସେଥିରେ କାମ କରୁଥିବା କର୍ମଚାରୀମାନଙ୍କ ଦରମା ଉପରେ କରୋନା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ର ପ୍ରଭାବ କ’ଣ ରହିବ ସେସବୁ ବିଷୟ ଉପରେ ରିଅଲ ଇଷ୍ଟେଟ ବ୍ୟବସାୟର ବର୍ତ୍ତମାନ ଓ ଭବିଷ୍ୟତ ନିର୍ଭର କରୁଛି। ସେହିଭଳି ବ୍ୟବସାୟ କରୁଥିବା ଆୟ ମଧ୍ୟ ଲକ୍‌ଡାଉନ୍ ଯୋଗୁଁ ପ୍ରଭାବିତ ହୋଇଛି। ସେମାନଙ୍କ ଆୟ ସ୍ବାଭାବିକ ହେବାକୁ କେତେଦିନ ଲାଗିବ ତାହା ଏବେଠାରୁ କହିବା ସମ୍ଭବ ନୁହେଁ। ଏସବୁ କାହାରି ହାତରେ ମଧ୍ୟ ନାହିଁ। ସମସ୍ତଙ୍କ ପାର୍ଇ ଏବେ ଏକ ଖରାପ ସମୟ ଆସିଛି। ତେବେ ସମସ୍ତେ ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ। ଏହା ହେଲେ ଏହି ଖରାପ ସମୟକୁ ଆମେ ସାମ୍ନା କରିବା ସହିତ ସମସ୍ୟାର ସମାଧାନ କରି ପାରିବା ବୋଲି କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଡି. ଏସ୍‌. ତ୍ରିପାଠୀ କହିଛନ୍ତି। ରାଜ୍ୟର ବିଭିନ୍ନ ସହରରେ ପ୍ରାୟ ୧୨୦୦ ବିଲଡର ଘର ନିର୍ମାଣ ସହିତ ଜଡ଼ିତ ଅଛନ୍ତି ବୋଲି ସେ କହିଛନ୍ତି। ଏଥିସହିତ ସରକାର ମଧ୍ୟ ରିଅଲ ଇଷ୍ଟେଟ କ୍ଷେତ୍ରକୁ ସହାୟତା ଏବଂ ରିହାତି ପ୍ରଦାନ କରିବା ଆବଶ୍ୟକ। ରେରା ଅଧୀନରେ ପଞ୍ଜୀକୃତ ହୋଇଥିବା ପ୍ରକଳ୍ପ ଗୁଡ଼ିକର ଅବଧି ବଢ଼ାଇବା ଆବଶ୍ୟକ। କାରଣ ଯେଉଁସବୁ ପ୍ରକଳ୍ପ ନିକଟ ଭବିଷ୍ୟତରେ ଶେଷ ହେବାର ଥିଲା ସେସବୁ ମଧ୍ୟ ବିଳମ୍ବ ହୋଇଯିବ।

ସମ୍ବନ୍ଧିତ ଖବର