ବିମୁଦ୍ରୀକରଣକୁ ୪ ବର୍ଷ, କେତେ ସଫଳ?

କଳାଧନ ହ୍ରାସ ପାଇଛି: ପ୍ରଧାନମନ୍ତ୍ରୀ, କଂଗ୍ରେସ କହିଲା ଜାତୀୟ ବିପର୍ଯ୍ୟୟ

ନୂଆଦିଲ୍ଲୀ: ବିମୁଦ୍ରୀକରଣର ତିନିଟି ପ୍ରମୁଖ ଲକ୍ଷ୍ୟ ଥିଲା। ତାହା ହେଉଛି କଳାଧନ ଓ ଜାଲ୍‌ ନୋଟ୍ ବିରୋଧରେ ଲଢ଼େଇ ଓ ନଗଦ ରାଶିର ବ୍ୟବହାର କମ୍ କରି ଏକ ନଗଦବିହୀନ ଡିଜିଟାଲ୍‌ ଅର୍ଥନୀତି ସୃଷ୍ଟି କରିବା। ବିଗତ ଚାରି ବର୍ଷରେ ସେଥିରୁ କ’ଣ ହାସଲ ହୋଇଛି ତାହାକୁ ନେଇ ଆମର ଏହି ଉପସ୍ଥାପନା।

କଳାଧନ ବିରୋଧ ଲଢ଼େଇ
ଏହା ଥିଲା ବିମୁଦ୍ରୀକରଣର ପ୍ରମୁଖ ଉଦ୍ଦେଶ୍ୟ। ଯେଉଁ ନଗଦ ରାଶିର କୌଣସି ନିର୍ଦିଷ୍ଟ ଉତ୍ସ ନାହିଁ ତାହା ବ୍ୟାଙ୍କକୁ ଫେରିବ ନାହିଁ। ସେଗୁଡ଼ିକୁ କଳାଧନ ଭାବେ ବିଚାର କରାଯିବ ବୋଲି ସରକାର ଭାବିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ବିମୁଦ୍ରୀକରଣ ସମୟରେ ୧୫.୩୧ ଲକ୍ଷ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଥିଲା। ସେଥି ମଧ୍ୟରୁ ୧୫.୩୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଫେରିଆସିଛି। ବିମୁଦ୍ରୀକରଣ ଯୋଗୁଁ ୩-୪ ଲକ୍ଷ କୋଟି ଟଙ୍କାର କଳାଧନ ବାହାରିବ ବୋଲି ସରକାର ଭାବିଥିଲେ। କିନ୍ତୁ ବାସ୍ତବ ସତ୍ୟ ତାହାର ପାଖାପାଖି ମଧ୍ୟ ପହଞ୍ଚିନାହିଁ। ଏଥିରୁ ଏହା ବୁଝିବାକୁ ହେବ ଯେ ହୁଏତ ଲୋକମାନେ ଚତୁରତାର ସହିତ ନିଜର କଳାଟଙ୍କାକୁ ଧଳା କରିବାରେ ସଫଳ ହୋଇଛନ୍ତି। ଅନ୍ୟଥା ଲୋକମାନଙ୍କ ପାଖରେ କଳାଟଙ୍କା ନଥିଲା। ଏହି ଦୁଇଟି ବିଷୟ ମଧ୍ୟରୁ ଯେକୌଣସି ଗୋଟିଏ ସତ ବୋଲି କୁହାଯାଇପାରିବ।

ଜାଲ୍ ନୋଟ୍ ବିରୋଧ ଲଢ଼େଇ
ବିମୁଦ୍ରୀକରଣର ଦ୍ବିତୀୟ ବଡ଼ ଉଦ୍ଦେଶ୍ୟ ଥିଲା ଜାଲ୍ ନୋଟ୍ ସମସ୍ୟାର ସମାଧାନ। ୨୦୧୫-୧୬ରେ ଦେଶରେ ୬,୩୨,୯୨୬ ଖଣ୍ଡ ଜାଲ୍‌ ନୋଟ୍ ଚିହ୍ନଟ ହୋଇଥିଲା। ୨୦୧୬-୧୭ରେ ୭,୬୨,୦୭୨ ଖଣ୍ଡ, ୨୦୧୭-୧୮ରେ ୫,୨୨,୭୮୩ ଖଣ୍ଡ, ୨୦୧୮-୧୯ରେ ୩,୧୭,୩୮୪ ଖଣ୍ଡ ଓ ୨୦୧୯-୨୦ରେ ୨,୯୬,୬୯୫ ଖଣ୍ଡ ଜାଲ୍‌ ନୋଟ୍ ଚିହ୍ନଟ ହୋଇଥିଲା। ବିମୁଦ୍ରୀକରଣ ଘୋଷଣା ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଚାରି ବର୍ଷ ଭିତରେ ସାରା ଦେଶରେ ୧୮.୮୭ ଲକ୍ଷ ଖଣ୍ଡ ଜାଲ୍ ନୋଟ୍ ଜବତ ହୋଇଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି। ସେଥି ମଧ୍ୟରୁ ୪.୬ ପ୍ରତିଶତ ରିଜର୍ଭ ବ୍ୟାଙ୍କ ସ୍ତରରେ ଓ ୯୫.୪ ପ୍ରତିଶତ ବ୍ୟାଙ୍କ ସ୍ତରରେ ଚିହ୍ନଟ ହୋଇଛି।

ନଗଦବିହୀନ ଅର୍ଥନୀତି
ବିମୁଦ୍ରୀକରଣର ତୃତୀୟ ଲକ୍ଷ୍ୟ ଥିଲା ନଗଦ ରାଶିର ବ୍ୟବହାର କମ୍ କରି ଡିଜିଟାଲ୍ କାରବାର ବଢ଼ାଇବା ଏବଂ ଏକ ନଗଦବିହୀନ ଅର୍ଥନୀତି ସୃଷ୍ଟି କରିବା। ବିମୁଦ୍ରୀକରଣ ପରବର୍ତୀ ବର୍ଷଗୁଡ଼ିକରେ ନଗଦ ରାଶିର ବ୍ୟବହାର କମିନଥିଲା। ୨୦୧୬ରେ ଦେଶରେ ୧୬.୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ନଗଦ ରାଶି ପ୍ରଚଳନରେ ଥିଲା। ୨୦୨୦ ମାର୍ଚ୍ଚ ସୁଦ୍ଧା ସେହି ସଂଖ୍ୟା ୨୪.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୬ରେ ବଜ‌ାରରେ ୯ ଲକ୍ଷ ଖଣ୍ଡ ନଗଦ ନୋଟ୍ ପ୍ରଚଳନରେ ଥିବା ବେଳେ ୨୦୨୦ରେ ସେହି ସଂଖ୍ୟା ବୃଦ୍ଧି ପାଇ ୧୧.୬ ଲକ୍ଷ ଖଣ୍ଡରେ ପହଞ୍ଚିଛି। ଡିଜିଟାଲ୍ କାରବରେ ଅବଶ୍ୟ ଏହି ସମୟରେ ବୃଦ୍ଧି ଘଟିଛି। କିନ୍ତୁ କରୋନା ମହାମାରୀ ପରେ ତାହା ଅଧିକ ତ୍ବରାନ୍ବିତ ହୋଇଛି। ୨୦୧୭-୧୮ରେ ୟୁପିଆଇ ପେମେଣ୍ଟ୍‌ ପରିମାଣ ୯୧.୫୨ କୋଟି ଟଙ୍କା ଥିଲା। ୨୦୧୯-୨୦ରେ ତାହା ୧୨୫୧.୮୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସବୁ ପ୍ରକାର ଡିଜିଟାଲ୍ କାରବାର ମଧ୍ୟ ୟୁପିଆଇ ଆଗରେ ରହିଛି। ୨୦୧୬ରେ ୭୦,୪୬୬ ଥର ଡିଜିଟାଲ୍ କାରବାର ହୋଇଥିଲା। ୨୦୨୦ରେ ସେହି ସଂଖ୍ୟା ବହୁଗୁଣିତ ହୋଇ ୩.୪ ଲକ୍ଷରେ ପହଞ୍ଚିଛି।

କଳାଧନ ହ୍ରାସ ପାଇଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ବିମୁଦ୍ରୀକରଣର ଚତୁର୍ଥ ବର୍ଷ ପୂର୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ବହୁତ ଲାଭଦାୟକ ହୋଇଛି। ବିମୁଦ୍ରୀକରଣ ଯୋଗୁଁ କଳାଧନ ହ୍ରାସ ପାଇଥିବା ବେଳେ ଟିକସ ନିୟମ ପାଳନରେ ବୃଦ୍ଧି ଘଟିଛି, ଅନେକ ‌କିଛି ସଂଗଠିତ ହୋଇଛି ଏବଂ ସ୍ବଚ୍ଛତାକୁ ଏହା ବଡ଼ ଶକ୍ତି ପ୍ରଦାନ କରିଛି ବୋଲି ସେ କହିଛନ୍ତି। ଦେଶର ପ୍ରଗତି ପାଇଁ ତାହା ବହୁତ ଲା‌ଭଦାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ମୋଦୀ ରାତି ୮ଟାରେ ଦେଶବାସୀଙ୍କୁ ଟିଭିରେ ସମ୍ବୋଧିତ କରି ବିମୁଦ୍ରୀକରଣ ଘୋଷଣା କରିବା ସହ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରିଦେଇଥିଲେ। ଫଳରେ ସେହି ସମୟରେ ବଜାରରେ ପ୍ରଚଳନରେ ଥିବା ୮୬ ପ୍ରତିଶତ ନୋଟ୍ ଅଚଳ ହୋଇଯାଇଥିଲା। ଏଥି ସହିତ ଦେଶରେ ପ୍ରଥମ ଥର ଲାଗି ନୂଆ ଦୁଇ ହଜାର ‌ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ଅଚଳ ନୋଟ୍‌ଗୁଡ଼ିକୁ ଫେରସ୍ତ କରିବା ଲାଗି ଲୋକମାନଙ୍କୁ କିଛି ଦିନର ସମୟ ଦିଆଯାଇଥିଲା। ନୂଆ ନୋଟ୍ ଉଠାଇବା ଲାଗି ଦୀର୍ଘ ଦିନ ପର୍ଯ୍ୟନ୍ତ ଏଟିଏମ୍ ସାମ୍ନାରେ ଲମ୍ବା ଧାଡ଼ି ଲାଗି ରହିଥିଲା। ପଚାଶ ଦିନର ଯନ୍ତ୍ରଣା ସହିବାକୁ ‌ବିମୁଦ୍ରୀକରଣ ଦିନର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ। ଯଦି ଏହାର କୌଣସି ଲାଭ ନମିଳିବ ତେବେ ଯେକୌଣସି ପ୍ରକାର ଦଣ୍ଡ ପାଇବାକୁ ମୁଁ ପ୍ରସ୍ତୁତ ବୋଲି ସେ ସେଦିନ କହିଥିଲେ।

କଂଗ୍ରେସ କହିଲା ଜାତୀୟ ବିପର୍ଯ୍ୟୟ
ନୂଆଦିଲ୍ଲୀ: ବିମୁଦ୍ରୀକରଣର ଚତୁର୍ଥ ବର୍ଷ ପୂର୍ତି ଅବସରରେ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ଏହାକୁ ବହୁତ ବଡ଼ ସଫଳତା ଭାବେ ବର୍ଣ୍ଣନା କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ଏହାକୁ ଜାତୀୟ ବିପର୍ଯ୍ୟୟ ବୋଲି କୁହାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟର୍‌ରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ବହୁତ ଭାବିଚିନ୍ତି ବିମୁଦ୍ରୀକରଣ ଘୋଷଣା କରିଥିଲେ ଯଦ୍ବାରା ସାଧାରଣ ଲୋକମାନଙ୍କ ଟଙ୍କାରେ ମୋଦୀଙ୍କ କିଛି ହାତଗଣତି ପୁଞ୍ଜିପତି ବନ୍ଧୁଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରାଯାଇପାରିବ। ଭ୍ରମରେ ରୁହନ୍ତୁ ନାହିଁ। ଭୁଲ ହୋଇନାହିଁ। ଜାଣିଶୁଣି ଏହି ପଦକ୍ଷେପ ନିଆଯାଇଛି। ଏହି ରାଷ୍ଟ୍ରୀୟ ବିପର୍ଯ୍ୟୟର ଚାରି ବର୍ଷ ପୂର୍ତୀ ଅବସରରେ ନିଜର ସ୍ବର ଉଚ୍ଚ କରିବାକୁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସେ ଏକ ଭିଡିଓ ବାର୍ତା ଜାରି କରି ବାଲାଂଦେଶ କିଭଳି ଭାରତ ଠାରୁ ଆଗକୁ ବଢ଼ିଗଲା ବୋଲି ପ୍ରଶ୍ନ କରିଛନ୍ତି। ବିମୁଦ୍ରୀକରଣ ଯୋଗୁଁ ଚାଷୀ, ଶ୍ରମିକ ଓ ବ୍ୟବସାୟୀମାନେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଗ୍ରାମୀଣ ଅର୍ଥନୀତି ଧ୍ବସ୍ତବିଧ୍ବସ୍ତ ହୋଇଛି ବୋଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି। ବିଜେପି ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା। କଂଗ୍ରେସ ନେତୃତ୍ବାଧୀନ ଉପା ସରକାରଙ୍କ ଶାସନ କାଳରେ ବ୍ୟାପକ ସ୍ତରରେ ପହଞ୍ଚିଥିବା ଦୁର୍ନୀତି ଓ କଳାଧନ ଉପରେ ଏହା ଏକ ଆକ୍ରମଣ ଥିଲା ‌ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। ବିଜେପିର ଜାତୀୟ ପ୍ରବକ୍ତା ରାଜୀବ ଚନ୍ଦ୍ରଶେଖର ଏସଂକ୍ରାନ୍ତରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି।

ସମ୍ବନ୍ଧିତ ଖବର