କ୍ୟାବିନେଟ୍ ଦେଲା ମଞ୍ଜୁରି, ଇଲେ୍‌କ୍‌ଟ୍ରୋନିକ୍ସ କମ୍ପାନିଙ୍କ ପାଇଁ ୪୦,୯୯୫ କୋଟିର ପ୍ରୋତ୍ସାହନ

ନୂଆଦିଲ୍ଲୀ: ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ନିର୍ମାତାଙ୍କ ପାଇଁ କେନ୍ଦ୍ର ସରକାର ଆଜି ବଡ଼ ଧରଣର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସେମାନଙ୍କ ପାଇଁ ୪୦,୯୯୫ କୋଟି ଟଙ୍କାର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଦେଶରେ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନକୁ ବଢ଼ାଇବା ପାଇଁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଭାରତକୁ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ଏକ ନିର୍ମାଣ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ନୀତି ଦୃଷ୍ଟିରୁ ଦୁଇଟି ଦୀର୍ଘମିଆଦି ନିଷ୍ପତ୍ତି ନେଇଛନ୍ତି। ଏଥିରେ ଚିକିତ୍ସାରେ ବ୍ୟବହୃତ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ରହିଛି। ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ରାଶି କମ୍ପାନି ଗୁଡ଼ିକୁ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରଦାନ କରାଯିବ। ବର୍ଦ୍ଧିତ ବିକ୍ରି ଏବଂ ପୁଞ୍ଜି ନିବେଶକୁ ଦେଖି ଏହି ପ୍ରୋତ୍ସାହନ ରାଶି ଦିଆଯିବ। ଏହି ସ୍କିମ୍ ଦ୍ବାରା ୨୦୨୫ ମସିହା ସୁଦ୍ଧା ଦେଶରେ ଉତ୍ପାଦନ କ୍ଷେତ୍ରରୁ ୧୦ ଲକ୍ଷ କୋଟି ଟଙ୍କାର ରାଜସ୍ବ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି। ପୁଞ୍ଜି ନିବେଶ କ୍ଷେତ୍ରରେ ୨୫ ପ୍ରତିଶତ ପ୍ରୋତ୍ସାହନ ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର