୫ଜି ଯୁଗରେ ୪୦ କୋଟି ୨ଜି ଗ୍ରାହକ: ବର୍ଷକୁ ୪ କୋଟି ଲୋକ ୨ଜି ଛାଡ଼ୁଛନ୍ତି

ସମସ୍ତେ ୪ଜି କିମ୍ବା ୫ଜି ‌ପର୍ଯ୍ୟନ୍ତ ପହଞ୍ଚିବା ଲାଗି ୧୦ ବର୍ଷ ଲାଗିବ

ନୂଆଦିଲ୍ଲୀ: ଦେଶରେ ୫ଜି ମୋବାଇଲ୍ ସେବା ଆରମ୍ଭ ହୋଇଯାଇଛି। ଚାରିଟି କଂପାନି ରିଲାଏନ୍ସ ଜିଓ, ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ଓ ଆଦାନି ଡାଟା ନେଟ୍‌ୱର୍କସ୍‌ ୫ଜି ସେବା ପ୍ରଦାନ କରିବା ଲାଗି ସ୍ପେକ୍ଟ୍ରମ୍ କିଣିଛନ୍ତି। ଜିଓ ଏବଂ ଏୟାରଟେଲ୍‌ ୫ଜି ସେବା ଆରମ୍ଭ କରିସାରିଲେଣି। ଭାରତ ୫ଜି ଯୁଗରେ ପ୍ରବେଶ କରିଥିବା ବେଳେ ଏବେବି ୪୦ କୋଟି ଲୋକ ରହିଛନ୍ତି ଯେଉଁମାନେ ୨ଜି ମୋବାଇଲ୍‌ ସେବା ବ୍ୟବହାର କରୁଛନ୍ତି। ସେମାନେ କିଭଳି ୪ଜି କିମ୍ବା ୫ଜି ସେବା ବ୍ୟବହାର କରିବେ ତାହା ସବୁଠୁ ବଡ଼ ଆହ୍ବାନ ହୋଇରହିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟ ଅନୁସାରେ ଭାରତରେ ୧୧୫ କୋଟିରୁ ଅଧିକ ମୋବାଇଲ୍‌ ଗ୍ରାହକ ରହିଛନ୍ତି।

୨୦୨୧ରେ ୨ଜି ବ୍ୟବହାର କରୁଥିବା ପ୍ରାୟ ୪ କୋଟି ଲୋକ ୪ଜି ସେବାକୁ ଆପଣାଇଥିଲେ। ଯଦି ସେହି ହାରରେ କାମ ଆଗକୁ ବଢ଼ିବ ତେବେ ଏବେ ଯେତିକି ୨ଜି ବ୍ୟବହାରକାରୀ ରହିଛନ୍ତି ସେମାନଙ୍କୁ ୪ଜି କିମ୍ବା ୫ଜି ପର୍ଯ୍ୟନ୍ତ ଆଣିବା ଲାଗି ୯-୧୦ ବର୍ଷ ସମୟ ଲାଗିବ। ୨ଜି ବ୍ୟବହାରକାରୀମାନେ ଫିଚର ଫୋନ୍ କିଣନ୍ତି। ସେମାନେ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ନାହିଁ। ୨ଜି ଗ୍ରାହକମାନେ ହାରହାରି ଭାବେ ତିନି ବର୍ଷରେ ଫୋନ୍ ପରିବର୍ତ୍ତନ କରନ୍ତି। ପ୍ରତି ବର୍ଷ ଦେଶରେ ୬-୭ କୋଟି ଫିଚର ଫୋନ୍ ବିକ୍ରି ହେଉଛି। ସେଗୁଡ଼ିକର ମୂଲ୍ୟ ୮୦୦ ଟଙ୍କାରୁ ଆରମ୍ଭ ହୋଇଛି। ସେହି ଗ୍ରାହକମାନଙ୍କୁ ୪ଜି ସେବା ବ୍ୟବହାର କରିବାକୁ ହେଲେ ସ୍ମାର୍ଟଫୋନ୍ କିଣିବା ପାଇଁ ଅତିକମ୍‌ରେ ୪୦୦୦-୫୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ହୁଏତ ଏହି କାରଣ ଯୋଗୁଁ ଅଧିକାଂଶ ୨ଜି ଗ୍ରାହକ ୪ଜି ପର୍ଯ୍ୟନ୍ତ ଆସିବାକୁ ଚାହୁନାହାନ୍ତି। ୱାର୍ଲଡ୍‌ ୱାଇଡ୍‌ ୱେବ୍ ଫାଉଣ୍ଡେସନ ପକ୍ଷରୁ ୧୮୭ଟି ଦେଶକୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଏସିଆରେ ଏକ ସ୍ମାର୍ଟଫୋନ୍‌ର ଦାମ୍ ଲୋକମାନଙ୍କ ମାସିକ ଆୟର ୪୦ ପ୍ରତିଶତ ପାଖାପାଖି ରଯହିଛି। ବିଶ୍ବ ସ୍ତରରେ ଏହି ହାର ୨୬ ପ୍ରତିଶତ ଥିବା ବେଳେ ଉତ୍ତର ଆମେରିକାରୋ ସବୁଠୁ କମ୍ ମାତ୍ର ୨ ପ୍ରତିଶତ ରହିଛି।

ଭାରତକୁ ୨ଜି ମୁକ୍ତ କରିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଘୋଷଣା କରିଥିଲେ। ତାଙ୍କ କଂପାନି ରିଲାଏନ୍ସ ଜିଓ ସ୍ବତନ୍ତ୍ର ୪ଜି ଫିଚର ଫୋନ୍‌ ମଧ୍ୟ ଆଣିଥିଲା। ମାତ୍ର ୨ଜି ଗ୍ରାହକଙ୍କୁ ୪ଜି ପର୍ଯ୍ୟନ୍ତ ନେବାରେ ତାହା ବିଶେଷ ସହାୟକ ହୋଇପାରିନଥିଲା। ଅନ୍ୟ ପକ୍ଷରେ ଏକ୍ଷେତ୍ରରେ ରହିଥିବା ଆଉ ଏକ ପ୍ରତିବନ୍ଧକ ହେଉଛି ମାସିକ ରିଚାର୍ଜ ଦାମ୍। ୪ଜି ସେବା ଲାଗି ମାସକୁ ଅତିକମ୍‌ରେ ୨୫୦ ଟଙ୍କା ଖର୍ଚ କରିବାକୁ ପଡ଼ୁଛି। ସେହି ସମୟରେ ମାସିକ ୧୫୦ ଟଙ୍କାରେ ୨ଜି ସେବା ଉପଲବ୍ଧ ହେଉଛି। ଦେଶରେ ଥିବା ବୟସ୍କ ଲୋକ ଯେଉଁମାନେ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଜାଣିନାହାନ୍ତି କିମ୍ବା ବ୍ୟବହାର କରିବାରେ ସହଜ ମନେ କରୁନାହାନ୍ତି ସେମାନେ ୨ଜି ଫିଚର ଫୋନ୍ ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର