୪୦୦ କୋଟି ହଡ଼ପ ଅଭିଯୋଗ:ପ୍ରତିଷ୍ଠାତାଙ୍କୁ ଜେଲ୍ ପଠାଇବ ଫୋର୍ଟିସ୍‌

କାର୍ଯ୍ୟାନୁଷ୍ଠାନ ପାଇଁ ସେବି, ଏସ୍‌ଏଫ୍‌ଆଇଓର ଅନୁମତି ଲୋଡ଼ିଲା କଂପାନି

ନୂଆଦିଲ୍ଲୀ: ଫୋର୍ଟିସ୍‌ ହେଲ୍‌ଥକେୟାରରେ ‌ହୋଇଥିବା ୪୭୨ କୋଟି ଟଙ୍କାର ଜାଲିଆତିକୁ ବର୍ତ୍ତମାନର ବୋର୍ଡ ଗମ୍ଭୀରତାର ସହ ନେଇଛି। ଯେଉଁ ଦୁଇ ଭାଇ କଠିନ ପରିଶ୍ରମ କରି ଫୋର୍ଟିସ୍‌କୁ ଗଢ଼ିଥିଲେ ସେମା‌ନେ ଏହି ଜାଲିଆତି କରିଥିବା କଂପାନି ସନ୍ଦେହ କରୁଛି। ସେମାନଙ୍କୁ ଜେଲ୍‌ ପଠାଇବାକୁ କଂପାନି ଉଦ୍ୟମ ଆରମ୍ଭ କରିଛି।
ଦୁଇ ଭାଇ ମାଲ୍‌ବିନ୍ଦର ସିଂହ ଏବଂ ଶିବିନ୍ଦର ସିଂହ ଫୋର୍ଟିସ୍‌କୁ ପ୍ରତିଷ୍ଠା କରିଥିଲେ। ଏହି ଦୁଇ ଭାଇଙ୍କ ଝଗଡ଼ା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ପରିସ୍ଥିତି ସେମାନେ ଗଠନ କରିଥିବା କଂପାନି ଯେ ତାଙ୍କ ପାଇଁ ଏତେ ବଡ଼ ସମସ୍ୟା ସୃଷ୍ଟି କରିବ ତାହା ସେମାନେ ‌ସ୍ବପ୍ନରେ ସୁଦ୍ଧା ଭାବିନଥିବେ।
ସିଂହ ଭ୍ରାତାଙ୍କ ଠାରୁ ନିଜର ୪୭୨ କୋଟି ଟଙ୍କା ଫେରିପାଇବାକୁ ଫୋର୍ଟିସ୍‌ ଚାହୁଁଛି। ଏଥି ସହିତ ନିଜ ନାମରୁ ସେମାନଙ୍କ ନାମକୁ ସବୁ ଦିନ ପାଇଁ ଏହା ଦୂରେଇ ଦେଇ ଏକ ସ୍ବଚ୍ଛ ଭାବମୂର୍ତି ଗଠନ କରିବାକୁ କଂପାନି ପ୍ରୟାସ କରୁଛି। ଫୋର୍ଟିସ୍‌ ଏବେ ନୂଆ ବୋର୍ଡ ଦ୍ବାରା ପରିଚାଳିତ ହେଉଛି। ଏହା ପୂର୍ବରୁ ଯେଉଁ ବୋର୍ଡ ଥିଲା, ତାହାର ସମ୍ପର୍କ ସିଂହ ଭ୍ରାତାଙ୍କ ସହ ରହିଥିଲା। ସେହି ସମୟରେ ଦୁଇ ଭାଇ ମିଶି ଫୋର୍ଟିସ୍‌ର ଅନେକ ପାଣ୍ଠିକୁ ଅନ୍ୟତ୍ର ବ୍ୟବହାର କରିଥିଲେ। ନୂଆ ବୋର୍ଡ କାର୍ଯ୍ୟଭାର ସମ୍ଭାଳିବା ପରେ ସେହି କାରବାରର ତଦନ୍ତ କରିବାକୁ ଏକ ସ୍ବାଧୀନ ସଂସ୍ଥାକୁ ଦାୟିତ୍ବ ଦେଇଥିଲା। ସିଂହ ଭ୍ରାତା ଅର୍ଥ ଆତ୍ମସାତ କରିଥିବା ରିପୋର୍ଟରୁ ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ ଫୋର୍ଟିସ୍‌ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ସିଂହ ଭ୍ରାତାଙ୍କୁ ଗିରଫ କରିବା ଅନୁମତି ପ୍ରଦାନ କରିବାକୁ ସେବିକୁ ଚିଠି ଲେଖାଯାଇଛି। ଏଥି ସହିତ ସେମାନଙ୍କ ଠାରୁ କଂପାନିର ପ୍ରମୋଟର ପରିଚୟ ପ୍ରତ୍ୟାହାର କରିବାକୁ ମଧ୍ୟ ଫୋର୍ଟିସ୍‌ ଚାହୁଁଛି। କଂପାନି ପକ୍ଷରୁ ସିଂହ ଭ୍ରାତାଙ୍କ ବିରୋଧରେ ସେବି, ଏସ୍‌ଏଫ୍‌ଆଇଓ ନିକଟରେ ଅଭିଯୋଗ ଦାଖଲ କରାଯାଇଛି। ଏହି ଏଜେନ୍ସିଗୁଡ଼ିକୁ କଂପାନି ସ୍ବାଧୀନ ଭାବେ କରାଯାଇଥିବା ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଛି।
‌ଫୋର୍ଟିସ୍‌ର ଏହି ତଦନ୍ତ ରିପୋର୍ଟ ସମ୍ପର୍କିତ ଖବର ପ୍ରଚାରିତ ହେବା ପରେ ଶିବିନ୍ଦର ସିଂହ ସଫେଇ ଦେଇ କହିଛନ୍ତି ଯେ, ସେ ଅବସର ଗ୍ରହଣ କରିବା ପରେ ଏହି କାରବାର ହୋଇଛି। ଏଥିରେ ମୋର କୌଣସି ଭୂମିକା ନାହିଁ। ଯେଉଁ କାରବାର କଥା କୁହାଯାଉଛି, ସେବିଷୟରେ ମୋ ପାଖରେ କିଛି ବି ସୂଚନା ନାହିଁ। ମୋତେ ଅନ୍ଧାରରେ ରଖି ଏହି କାରବାର କରାଯାଇଛି।
ସିଂହ ଭ୍ରାତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫୋର୍ଟିସ୍‌ ସଜବାଜ ହେଉଛି। କଂପାନି ଠାରୁ ଯେତେ‌ ସବୁ ସମ୍ପତ୍ତି ଏହି ଦୁଇ ଭାଇ ନେଇଥିଲେ ତାହାକୁ ଫେରାଇ ଅଣାଯିବ ବୋଲି ଏହାର ଅଧ୍ୟକ୍ଷ ରବି ରାଜଗୋପାଳ କହିଛନ୍ତି।

ସମ୍ବନ୍ଧିତ ଖବର