ଭଣ୍ଡାର‌ରେ ରଖାଯିବ ୪୦ ଲକ୍ଷ ଟନ୍ ଚିନି

୧୬୭୪ କୋଟି ଖର୍ଚ ହେବ

ନୂଆଦିଲ୍ଲୀ: ଦେଶରେ ରେକର୍ଡ ପରିମାଣର ଚିନି ଉତ୍ପାଦନ ହୋଇଥିବାରୁ ୪୦ ଲକ୍ଷ ଟନ୍‌ର ଏକ ଚିନି ଭଣ୍ଡାର ସୃଷ୍ଟି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ତେବେ ଆଖୁଚାଷୀଙ୍କୁ ଚିନି କଳଗୁଡ଼ିକ ପ୍ରଦାନ କରୁଥିବା ପ୍ରାପ୍ୟରେ ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି। ଏହି ପ୍ରାପ୍ୟକୁ କ୍ବିଣ୍ଟାଲ୍ ପିଛା ୨୭୫ ଟଙ୍କାରେ ଅପରିବର୍ତିତ ରଖାଯାଇଛି। ଚିନି ଭଣ୍ଡାର ସୃଷ୍ଟି କରିବା ବାବଦରେ ୧୬୭୪ କୋଟି ଟଙ୍କା ଖର୍ଚ ହେବ। ଯେତେବେଳେ ବଜାରରେ ଚିନି ଦରରେ ଅସ୍ଥିରତା ଦେଖାଦେବ ସେହି ସମୟରେ ଦର ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଏହି ଭଣ୍ଡାରରେ ଥିବା ଚିନିକୁ ବ୍ୟବହାର କରାଯିବ। ୨୦୧୮ ଅଗଷ୍ଟରେ ୧୧୭୫ କୋଟି ଟଙ୍କା ବ୍ୟୟରେ ୩୦ ଲକ୍ଷ ଟନ୍‌ର ଚିନି ଭଣ୍ଡାର ସୃଷ୍ଟି କରାଯାଇଥିଲା। ଚିନି ଭଣ୍ଡାର ସୃଷ୍ଟି କରିବାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଚିନି କଳଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଓ ଆଖୁଚାଷୀଙ୍କୁ ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ଲାଗି ଚିନି କଳଗୁଡ଼ିକୁ ପାଖରେ ଟଙ୍କା ପହଞ୍ଚାଇବା। ଏବେ ଦେଶର ବିଭିନ୍ନ ସ୍ଥାନରେ ଥିବା ଚିନି କଳଗୁଡ଼ିକ ଉପରେ ଆଖୁଚାଷୀଙ୍କ ୧୫ ହଜାର କୋଟି ଟଙ୍କା ବାକି ପଡ଼ିଛି। ଚିନି ଭଣ୍ଡାର ପାଇଁ ଚିନି ଯୋଗାଇବାକୁ ଥିବା ଚିନି କଳଗୁଡ଼ିକୁ ସେମାନଙ୍କ ପ୍ରାପ୍ୟ ମିଳିବ। ଫଳରେ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ହୋଇପାରିବ ବୋଲି ଆଶା କରାଯାଉଛି। ୨୦୧୮-୧୯ ମାର୍କେଟିଂ ବର୍ଷ (ଅକ୍ଟୋବର-ସେପ୍ଟେମ୍ବର)ରେ ୩୨.୯୫ ନିୟୁତ ଟନ୍ ଚିନି ଉତ୍ପାଦନ ହୋଇଥିବା ଅନୁମାନ କରାଯାଉଛି। ଦେଶର ଚିନି ଆବଶ୍ୟକତା ହେଉଛି ୨୬ ନିୟୁତ ଟନ୍।

ଆଧାର ସଂଶୋଧନ ବିଲ୍‌ରେ ମୋହର
ଆଧାର ସଂଶୋଧନ ବିଲ୍‌ ୨୦୧୯କୁ  କ୍ୟାବିନେଟ୍ କମିଟିରେ ମଞ୍ଜୁରି ପ୍ରଦାନ କରାଯାଇଛି। ଆଧାରକୁ ଲୋକମାନେ ନିଜ ଇଚ୍ଛାରେ ପରିଚୟ ପ୍ରମାଣପତ୍ର ଭାବେ ବ୍ୟବହାର କରିପାରିବେ। ଅଫ୍‌ଲାଇନ୍‌ ଯାଞ୍ଚ ବେଳେ ମଧ୍ୟ ସେମା‌ନେ ଆଧାରକୁ ବ୍ୟବହାର କରିପାରିବେ। ସରକାରଙ୍କ ସବ୍‌ସିଡି ସ୍କିମ୍‌ର ଲାଭ ପାଇବା ପାଇଁ ଆଧାରକୁ ବ୍ୟବହାର କରିବାର ଅନୁମତି ଏହି ବିଲ୍‌ରେ ପ୍ରଦାନ କରାଯାଇଛି। ସାରା ଦେଶରେ ୧୨୮ କୋଟି ଲୋକଙ୍କ ପାଇଁ ଆଧାର ଜାରି କରାଯାଇଛି। ଏହି ନୂଆ ବିଲ୍ ଆଇନରେ ପରିଣତ ହେଲେ ଅଧିକ ଯୋଗ୍ୟ ଲୋକଙ୍କ ପାଖରେ ସରକାରୀ ସ୍କିମ୍‌ର ଲାଭ ପହଞ୍ଚିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର