୪୧ ଲକ୍ଷ ଶିଳ୍ପ ଶ୍ରମିକ ପାଇବେ ବେକାରି ଭତ୍ତା

ତିନି ମାସ ଦରମାର ୫୦% ରାଶି ଭତ୍ତା ଆକାରରେ ମିଳିବ

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ନିଯୁକ୍ତି ହରାଇଥିବା ଶିଳ୍ପ କ୍ଷେତ୍ରର ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ବେକାରି ଭତ୍ତା‌ ଦେବେ। କର୍ମଚାରୀଙ୍କ ହାରାହାରି ତିନି ମାସ ଦରମାର ୫୦ ପ୍ରତିଶତ ଅର୍ଥରାଶିକୁ ଭତ୍ତା ଆକାରରେ ଦିଆଯିବ। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି)ର ବୋର୍ଡ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ପ୍ରସ୍ତାବ ଅନୁସ‌ାରେ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଆସନ୍ତା ଡିସେମ୍ବର ୩୧ ମଧ୍ୟରେ ଯେଉଁ ଶିଳ୍ପ ଶ୍ରମିକମାନେ ନିଯୁକ୍ତି ହରାଇଛନ୍ତି ଏବଂ ହରାଇବାର ଆଶଙ୍କା ରହିଛି ସେମାନଙ୍କୁ ଏହି ଭତ୍ତା ଦିଆଯିବ। ଇଏସ୍‌ଆଇସି ଆକଳନ କରିଛି ଯେ ପ୍ରାୟ ୪୧ ଲକ୍ଷ ଶ୍ରମିକ ଏହି ଭତ୍ତା ପାଇବେ।

ଇଏସ୍‌ଆଇସିର ସଦସ୍ୟ ଅମରଜିତ କୌର କହିଛନ୍ତି, ଇଏସ୍‌ଆଇସିରେ ବୀମାଭୁକ୍ତ ଥିବା ଯେଉଁ ଶ୍ରମିକ ଏହି ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହେବେ ତାଙ୍କୁ ତିନି ମାସ ଦରମାର ୫୦ ପ୍ରତିଶତ ଅର୍ଥ ଭତ୍ତା ଆକାରରେ ଦିଆଯିବ। ଏହି ସୁବିଧା ପାଇବା ଲାଗି ଯେଉଁ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି ତାହା ଯଦି ଆଉ ଟିକେ କୋହଳ କରାଯାଇଥାନ୍ତା ତେବେ ୭୫ ଲକ୍ଷ ପାଖାପାଖି ଶ୍ରମିକ ଉପକୃତ ହୋଇଥାନ୍ତେ ବୋଲି ସେ କହିଛନ୍ତି। ଶିଳ୍ପ ସଂସ୍ଥା ୨୧ ହଜାର ଟଙ୍କାରୁ କମ୍ ଦରମା ପାଉଥିବା ଶ୍ରମିକମାନଙ୍କୁ ଇଏସ୍‌ଆଇସି ସ୍କିମ୍‌ରେ ସାମିଲ କରାଯାଉଛି। ପ୍ରତି ମାସରେ ଶ୍ରମିକଙ୍କ ଦରମାରୁ ଏକ ନିର୍ଦିଷ୍ଟ ଭାଗ କାଟି ଇଏସ୍‌ଆଇସିରେ ଜମା କରାଯାଉଛି ଯାହା ତାଙ୍କୁ ଆବଶ୍ୟକ ମେଡିକାଲ୍ ସୁବିଧା ହାସଲ କରିବାରେ ସହାୟକ ହେବ। ସେଭଳି ଶ୍ରମିକମାନଙ୍କୁ ୍ରଆଇପି କୁହାଯାଉଛି। ପ୍ରଚଳିତ ନିୟମ ଅନୁସ‌ାରେ ଆଇପି ନିଜ ମୂଳ ଦରମାର ୦.୭୫% ଅର୍ଥ ଦେଉଥିବା ବେଳେ ନିଯୁକ୍ତିଦାତା ୩.୨୫% ଅର୍ଥ ଇଏସ୍‌ଆଇସିଙ୍କ ନିକଟରେ ଜମା କରୁଛନ୍ତି।

ଇଏସ୍‌ଆଇସି ବୋର୍ଡ ନେଇଥିବା ନିଷ୍ପତ୍ତି ଅନୁସ‌ାରେ, ଶ୍ରମିକଙ୍କ ଦାବି ନିଯୁକ୍ତିଦାତାଙ୍କ ମାଧ୍ୟମରେ ଆସିବା ଜରୁରୀ ନୁହେଁ। ସେମାନେ ଇଏସ୍‌ଆଇସିର ଶାଖା କାର୍ଯ୍ୟାଳୟରେ ନିଜର ଦାବି ଦାଖଲ କରିପାରିବେ ଏବଂ ଶାଖା କାର୍ଯ୍ୟାଳୟ ସ୍ତରରେ ନିଯୁକ୍ତିଦାତାଙ୍କ ପାଖରେ ଦରକାର ହେଉଥିବା ଯାଞ୍ଚ କରାଯିବ। ଭତ୍ତାକୁ ସିଧାସଳଖ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ନିଯୁକ୍ତି ହରାଇବାର ୩୦ ଦିନ ପରେ କର୍ମଚାରୀ ଜଣକ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଦାବି ଚିହ୍ନଟ ଲାଗି ଆଧାର ନମ୍ବରକୁ ବ୍ୟବହାର କରାଯିବ। ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ଅଧୀନରେ ଏହି ସୁବିଧା ଦିଆଯିବ। ୨୦୧୮ରୁ ପ୍ରଚଳନରେ ଥିବା ଏହି ସ୍କିମ୍‌ରେ ୨୫ ପ୍ରତିଶତ ବେକାରି ଭତ୍ତା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ବୈଷୟିକ ପ୍ରତିବନ୍ଧକ ଯୋଗୁଁ ଏହାର ଲାଭ ମିଳିପାରୁନାହିଁ। ଏକ ହିସାବରୁ ଜଣାପଡ଼ିଛି ଯେ କରୋନା ମହାମାରୀ ପ୍ରଭାବରୁ ବିଗତ କିିଛି ମାସ ଭିତରେ ପ୍ରାୟ ୮୦ ଲକ୍ଷ ଶ୍ରମିକ ଇଏସ୍‌ଆଇସି ସ୍କିମ୍‌ରୁ ବାଦ ପଡ଼ିଛନ୍ତି। ପ୍ରାରମ୍ଭିକ ଆକଳନ କହୁଛି ଇଏସ୍‌ଆଇସି ବୋର୍ଡ ଯେଉଁ ପ୍ରସ୍ତାବକୁ ମଞ୍ଜୁର କରିଛି ତାହା ଦ୍ବାରା ପ୍ରାୟ ୪୧ ଲକ୍ଷ ଶ୍ରମିକ ଉପକୃତ ହେବେ। ଏଥିପାଇଁ ସରକାରଙ୍କୁ ୬୭୦୦ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଭାରତୀୟ ମଜଦୁର ସଂଘର ଜାତୀୟ କାର୍ଯ୍ୟକାରୀ କମିଟିର ସଦସ୍ୟ ଭି ରାଧାକ୍ରିଷ୍ଣନ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର