ଭୁବନେଶ୍ବର: ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ୯ଟି କ୍ଷେତ୍ରରେ ନିବେଶ ହେବାକୁ ଥିବା ୪,୧୮୩ କୋଟି ଟଙ୍କାର ୧୬ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏଥି ସହିତ ୧.୬୭ ଲକ୍ଷ କୋଟି ଟଙ୍କା ନିବେଶ ହେବାକୁ ଥିବା ୧୦ଟି ବଡ଼ ପ୍ରକଳ୍ପକୁ ଅନୁମୋଦନ ପାଇଁ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ)ଙ୍କ ନିକଟକୁ ପଠାଯାଇଛି।
ସିଙ୍ଗଲ୍ ୱିଣ୍ଡୋରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, କଟକ, କୋରାପୁଟ, ଭଦ୍ରକ, ଧାମରା, ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାରେ ସ୍ଥାପନ କରାଯିବ। କାଗଜ, କାଠ ଓ ଜଙ୍ଗଲ ଭିତ୍ତିକ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ, ପୋଷାକ ଓ ଟେକ୍ନିକାଲ ଟେକ୍ସଟାଇଲ୍, ଧାତବ ଆନୁଷଙ୍ଗିକ, ପଲିମର ଓ ପ୍ଲାଷ୍ଟିକ୍ ଉତ୍ପାଦ, ବର୍ଜ୍ୟ ପରିଚାଳନା, ସର୍କୁଲାର ଅର୍ଥନୀତି, ରସାୟନ, ପର୍ଯ୍ୟଟନ ଓ ସିମେଣ୍ଟ୍ ଶିଳ୍ପରେ ପ୍ରକଳ୍ପଗୁଡ଼ିକୁ ସ୍ଥାପନ କରାଯିବ।
ଜିନ୍ଦଲ ପାନ୍ଥର ସିମେଣ୍ଟ୍ ପକ୍ଷରୁ ଅନୁଗୁଳରେ ୯୫୦ କୋଟି ଟଙ୍କା ବିନିଯୋଗରେ ଏକ ସିମେଣ୍ଟ୍ କାରଖାନା ସ୍ଥାପନ କରାଯିବ। ଗ୍ରିନ୍ପ୍ଲାଏ୍ ସ୍ପେସାଲିଟି ପ୍ୟାନେଲ୍ସ ଓ ଗ୍ରିନ୍ପ୍ଲାଏ ସାଣ୍ଡିଲା ପକ୍ଷରୁ କୋରାପୁଟରେ ୬୦୬ କୋଟି ଟଙ୍କା ନିବେଶ କରାଯିବ। ବରୁଣ ବେଭରେଜେସ୍ ୬୨୪.୩୦ କୋଟି ଟଙ୍କା, ଟିଆର୍ଏଲ୍ କ୍ରୋସାକି ରିଫ୍ରାକ୍ଟରିଜ୍ ୬୫୦ କୋଟି ଟଙ୍କା, ଶ୍ରୀ ମା’ପଲିଫିଲ୍ମସ ଲିମିଟେଡ୍ ୫୧୬.୫୮ କୋଟି ଟଙ୍କା, ଶ୍ରୀଚକ୍ର ପଲି ପ୍ଲାଷ୍ଟ୍ ୨୦୦ କୋଟି ଟଙ୍କା, ୱାଇଲ୍ଡ ଲୋଟସ୍ ଟେକ୍ସଟାଇଲ୍ ୧୭୧.୪୭ କୋଟି ଟଙ୍କା, ସୁଦିସା ଫାଉଣ୍ଡ୍ରି ୯୮.୦୫ କୋଟି ଟଙ୍କା, ଏସ୍ଏପିଏଲ୍ ଇଣ୍ଡଷ୍ଟ୍ରିଜ୍ ୫୩ କୋଟି ଟଙ୍କା, ଗୋଡ୍ଲେନ୍ ସିମ୍ସ ଇଣ୍ଡଷ୍ଟ୍ରିଜ୍ ୫୦.୧୦ କୋଟି ଟଙ୍କା, କଟନ ୱାର୍ଲଡ୍ ୫୦ କୋଟି ଟଙ୍କା, ସିସ୍କଲ୍ ଇନ୍ଫ୍ରା ୫୫.୦୬ କୋଟି ଟଙ୍କା, ଏମ୍ଟିସି ବିଜ୍ନେସ୍ ୫୨ କୋଟି ଟଙ୍କା, ଚଲାହ୍ ଇନ୍ଫ୍ରାଟେକ୍ ୫୦.୭୬ କୋଟି ଟଙ୍କା ଓ ପ୍ରଭୁକୃପା ଇଷ୍ଟେଟ୍ସ ଆଣ୍ଡ୍ ପ୍ରପର୍ଟିଜ୍ ୫୦.୮୪ କୋଟି ଟଙ୍କା ନିବେଶ କରିବ। ପ୍ରଭୁକୃପା ଇଷ୍ଟେଟ୍ସ ଆଣ୍ଡ୍ ପ୍ରପର୍ଟିଜ୍ ପକ୍ଷରୁ ପୁରୀର ସିପସରୁବାଲିରେ ‘ଅନନ୍ୟା ବିଚ୍ ରିସୋର୍ଟସ୍’ ନାମରେ ଏକ ଚାରି ତାରକା ହୋଟେଲ୍ ଓ କନ୍ଭେନ୍ସନ୍ ସେଣ୍ଟର ସ୍ଥାପନ କରାଯିବ।