ଫେସ୍‌ବୁକ୍‌ ବ୍ୟବହାର କରୁଥିବା ୪୨ କୋଟି ଲୋକଙ୍କ ଫୋନ୍ ନମ୍ବର ଲିକ୍

ନୂଆଦିଲ୍ଲୀ: ଫେସ୍‌ବୁକ୍ ୟୁଜରଙ୍କ ପାଇଁ ପୁଣି ଏକ ଖରାପ ଖବର। ପୁଣି ଫେସବୁକ୍ ୟୁଜରଙ୍କ ତଥ୍ୟ ସୁରକ୍ଷା ଉଲ୍ଲଂଘନ ହୋଇଛି। ୪୧କୋଟି ୯୦ ଲକ୍ଷ ୟୁଜରଙ୍କ ମୋବାଇଲ ଫୋନ୍ ଅନଲାଇନ୍‌ରେ ପଦାରେ ପଡ଼ିଯାଇଛି। ଟେକ୍‌କ୍ରଞ୍ଚ୍‌ ନାମକ ସଂସ୍ଥା ପକ୍ଷରୁ ପ୍ରଥମେ ଏହି ଲିକ୍‌ ବିଷୟରେ ସୂଚନା ଦିଆଯାଇଛି। ବିଶ୍ବର ବିଭିନ୍ନ ଭାଗର ବ୍ୟକ୍ତିମାନେ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକାର ୧୩.୩ କୋଟି, ବ୍ରିଟେନର ୧.୮ କୋଟି ଏବଂ ଭିଏତ୍‌ନାମର ୫ କୋଟିରୁ ଅଧିକ ୟୁଜର ରହିଛନ୍ତି। ଏଥିରୁ ଯାହା ଜଣାପଡ଼ୁଛି ଭାରତୀୟଙ୍କ ଡାଟା ଲିକ୍ ହୋଇନାହିଁ। ତେବେ ଲିକ୍ ହୋଇଥିବା ସର୍ଭରରେ ୟୁଜରଙ୍କ ଫେସବୁକ୍ ଆଇଡି ଏବଂ ସେମାନଙ୍କ ଫୋନ୍ ନମ୍ବର ରହିଥିଲା। ସର୍ଭରଟି ଅସୁରକ୍ଷିତ ରହିଥିଲା ଏବଂ ଯେକୌଣସି ବ୍ୟକ୍ତି ବିନା ପାସୱାର୍ଡରେ ଉକ୍ତ ସର୍ଭରରେ ପହଞ୍ଚି ପାରୁଥିଲା ବୋଲି କୁହାଯାଇଛି। ତେବେ ଲିକ୍ ହୋଇଥିବା ତଥ୍ୟ ପୁରୁଣା ଏବଂ ଏହାକୁ ହଟାଇ ନିଆଯାଇଛି ବୋଲି ଫେସ୍‌ବୁକ୍‌ର ପ୍ରବକ୍ତା କହିଛନ୍ତି। ପୂର୍ବରୁ ଫେସ୍‌ବୁକ୍ ମାଲିକାନାରେ ଥିବା ଇନଷ୍ଟାଗ୍ରାମର ଲକ୍ଷାଧିକ ଗ୍ରାହକଙ୍କର ପାସ୍‌ୱାର୍ଡ ଅନ୍‌ଲାଇନରେ ଲିକ୍ ହୋଇଥିଲା। ତାହା ପୂର୍ବରୁ ମଧ୍ୟରୁ ଫେସବୁକ୍ ୧.୫ ନିୟୁତ ନୂଆ ୟୁଜରଙ୍କ ଇ-ମେଲ୍ ଠିକଣାକୁ ଅନିଚ୍ଛାକୃତଭାବେ ଅପଲୋଡ଼୍ କରିଦେଇଥିବା ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର