ବେଲ୍‌ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍‌ ଫାଶ: ଚୀନ ଋଣ ଯନ୍ତାରେ ୪୨ ଦେଶ

ଆମେରିକାଠାରୁ ଅଧିକ ନିବେଶ କରୁଛି ଚୀନ

ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ସହିତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ପ୍ରାଧାନ୍ୟ ବସ୍ତାର କରିବା ପାଇଁ ଚୀନ ପକ୍ଷରୁ ବେଲ୍‌ଟ୍ ଆଣ୍ଡ୍ ରୋଡ୍ ଇନିସିଏଟିଭ୍‌ (ବିଆର୍‌ଆଇ) ଅନ୍ତର୍ଜାତୀୟ ବିକାଶ ଆର୍ଥିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ଚୀନ ବର୍ଷକୁ ପାଖାପାଖି ୮୫ ବିଲିଅନ ଆମେରିକୀୟ ଡଲାର ନିବେଶ କରୁଛି। ଆମେରିକା ଏବଂ ଅନ୍ୟ ବିକଶିତ ଦେଶ ତୁଳନାରେ ଚୀନର ଏହି ନିବେଶ ଅନୁପାତ ୨:୧ ରହିଛି। ଏଥିଯୋଗୁ ଅନେକ ଦେଶ ଚୀନର ଋଣ ଯନ୍ତାରେ ପଡ଼ିଯାଇଛନ୍ତି। ୪୨ଟି ଦେଶ ଚୀନଠାରୁ ଯେତିକି ଋଣ ନେଇଛନ୍ତି ତାହା ସେମାନଙ୍କର ଜିଡିପିର ୧୦ ପ୍ରତିଶତରୁ ଅଧିକ ରହିଥିବା ଜଣାଯାଇଛି।

ଚୀନର ୧୩୪୨୭ଟି ପ୍ରକଳ୍ପକୁ ନେଇ ଏଡ୍‌ଡାଟା ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ତେବେ ୩୫ ପ୍ରତିଶତ ବିଆର୍‌ଆଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇଛି। ଦୁର୍ନୀତି, ଶ୍ରମ ଆଇନ ଉଲ୍ଲଂଘନ, ପରିବେଶ ପ୍ରତି ବିପଦ ଏବଂ ଜନ ଆନ୍ଦୋଳନ ଆଦି ସମସ୍ୟାରେ ପ୍ରକଳ୍ପ ଗୁଡ଼ିକ ଫସିଛି। ରିପୋର୍ଟ ଅନୁଯାୟୀ ବିଆର୍‌ଆଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ହାରାହାରି ୧୦୪୭ ଦିନ ଲାଗୁଛି। କିନ୍ତୁ ବିଆର୍‌ଆଇ ପ୍ରକଳ୍ପ ବାହାରେ ଚୀନ ସରକାର ଅନ୍ୟ ଯେଉଁ ପ୍ରକଳ୍ପକୁ ଋଣ ଯୋଗାଇ ଦେଉଛନ୍ତି ତାହା ଅପେକ୍ଷାକୃତ କମ୍‌ଦିନରେ କାର୍ଯ୍ୟକାରୀ ହେଉଛି।‌ ତେବେ ବିଆର୍‌ଆଇ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଚୀନ ଆର୍ଥିକ ସହାୟତା ବଦଳରେ ଋଣ ଦେବାକୁ ଅଧିକ ପସନ୍ଦ କରୁଛନ୍ତି। ଚୀନ୍ ବିଆର୍‌ଆଇ ପ୍ରକଳ୍ପ ପାଇଁ ଦେଇଥିବା ଋଣ ଏବଂ ସହାୟତାର ଅନୁପାତ ୩୧: ୧ ରହିଛି। ‌

ଏଡ୍‌ଡାଟାର ଏହି ତଥ୍ୟ ନି‌କଟରେ ଆମେରିକାରେ ଅନୁଷ୍ଠିତ କ୍ବାଡ୍‌ ସମ୍ମିଳନୀ ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ ମନେହୁଏ। ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ କ୍ବାଡ୍ ଗଠିତ। ଏହି ଦେଶଗୁଡ଼ିକ ଏବେ ବିଦେଶରେ ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ଚିନ୍ତା କରୁଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅବସ୍ଥିତ ଦେଶଗୁଡ଼ିକରେ ଉତ୍ତମ ଭିତ୍ତିଭୂମି ନିର୍ମାଣ ପାଇଁ କ୍ବାଡ୍‌ କେବଳ ଯୋଜନା କରୁନାହିଁ, ସ୍ବଚ୍ଛତାର ସହିତ ପାଣ୍ଠି ଯୋଗାଣ ଉପରେ ବି ଗୁରୁତ୍ବ ଦେଉଛି।

ବିଶେଷଜ୍ଞଙ୍କ କହିବାନୁଯାୟୀ ଏକବିଂଶ ଶତାବ୍ଦୀରେ ଭିତ୍ତିଭୂମି ବିକାଶକୁ ଅଧିକରୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏବେଠାରୁ ୨୦୪୦ ମସିହା ସୁଦ୍ଧା ବିଶ୍ବରେ ଭିତ୍ତିଭୂମି ବିକାଶ ବାବଦରେ ୯୪ ଲକ୍ଷ କୋଟି ଡଲାର ଭଳି ବିପୁଳ ରାଶି ବ୍ୟୟ ହେବ ବୋଲି ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ ଆକଳନ କରାଯାଇଛି।

ତେବେ ଚୀନ ପକ୍ଷରୁ ଦିଆଯାଇଥିବା ଋଣ ସଂପର୍କରେ କୁହାଯାଇଛି ବିଆର୍‌ଆଇ ପ୍ରକଳ୍ପ ଆରମ୍ଭ ପୂର୍ବରୁ ଚୀନ ମୁଖ୍ୟତଃ ବିଭିନ୍ନ ଦେଶର କେନ୍ଦ୍ରୀୟ ସରକାରଙ୍କୁ ଋଣ ଦେଉଥିଲା। କିନ୍ତୁ ଏବେ ଏହାର ମୋଟ ଋଣର ୭୦ ପ୍ରତିଶତ ରାଷ୍ଟ୍ରାୟତ୍ତ କମ୍ପାନି, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ସ୍ପେସାଲ ପର୍ପୋଜ୍ ଭେଇକିଲ (ଏସ୍‌ପିଭି), ‌ଯୌଥ ଉଦ୍ୟୋଗ, ଘରୋଇ ‌ଉଦ୍ୟୋଗଗୁଡ଼ିକୁ ଚୀନ ପ୍ରଦାନ କରୁଛି। ଅନେକ ଅନୁନ୍ନତ ଓ ମଧ୍ୟମ ଆୟବର୍ଗର ଦେଶ ‌ଏସବୁ ଋଣକୁ ସେମାନଙ୍କ ଆୟବ୍ୟୟ ହିସାବରେ ଦର୍ଶାଉନାହାନ୍ତି। ତେଣୁ ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ହେଉଥିବା ଋଣ ରିପୋର୍ଟିଂ ବ୍ୟବସ୍ଥାରେ ଏହା ପ୍ରତିଫଳିତ ହେଉନାହିଁ।

ସମ୍ବନ୍ଧିତ ଖବର