ନୂଆଦିଲ୍ଲୀ: ଲୋକମାନେ ବିଭିନ୍ନ କାମ ଲାଗି ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ଭିନ୍ନ ଭିନ୍ନ ଆପ୍ ଡାଉନ୍‌ଲୋଡ୍ କରୁଛନ୍ତି। ଅଜଣା ଆପ୍ ଡାଉନ୍‌ଲୋଡ୍ କରିବା ଦ୍ବାରା ଫୋନ୍‌ରେ ଭାଇରସ୍‌ ପ୍ରବେଶ କରୁଥିବା କଥା ହୁଏତ ଅଧିକାଂଶ ଲୋକ ଜାଣିନାହାନ୍ତି। ଭାରତ ସରକାରଙ୍କ ସଂସ୍ଥା ସିଇଆର୍‌ଟି-ଇନ୍ ପକ୍ଷରୁ କୁହାଯାଇଛି ଯେ ଦେଶର ପ୍ରାୟ ୪୨ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ସ୍ପାଏୱେର୍‌ ରହିଛି। ସ୍ପାଏୱେର ହେଉଛି ଲୁଚିଛପି ଫୋନ୍‌ରୁ ତଥ୍ୟ ଚୋରି କରୁଥିବା ଭାଇରସ୍‌। ୧୦୫ ଆପ୍ ଜରିଆରେ ସେହି ସ୍ପାଏୱେର ବ୍ୟାପିଛି।

Advertisment

ସ୍ପାଏୱେର୍‌ ଫୋନ୍‌କୁ ନିଜ ନିୟନ୍ତ୍ରଣକୁ ନେବା ସହ ଲୋକମାନଙ୍କ ଅଜାଣତରେ ତାହା ସେମାନଙ୍କ କଥା ଶୁଣିବା ଓ ଅନ୍ୟାନ୍ୟ ତଥ୍ୟ ଚୋରି କରିବା କାମ କରୁଛି। ସେହି ସ୍ପାଏୱେର୍‌ର ନାମ ହେଉଛି ‘ସ୍ପିନ୍‌ ଓକେ’ ଯାହା ପ୍ଲେ ଷ୍ଟୋର୍‌ରେ ଥିବା କିଛି ଆପ୍ ଜରିଆରେ ଫୋନ୍‌ରେ ପ୍ରବେଶ କରୁଛି। ଏହି ସ୍ପାଏୱେର ବିଷୟରେ ଜଣାପଡ଼ିବା ପରେ ସରକାର ସତର୍କ ହୋଇପଡ଼ିଛନ୍ତି। ନିଜ ଫୋନ୍‌ରୁ ସମସ୍ତ ସନ୍ଦେହଜନକ ଆପ୍‌ଗୁଡ଼ିକୁ ଅନ୍‌ଇନଷ୍ଟଲ୍‌ କରିବା ଲାଗି ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟରେ କାମ କରୁଥିବା କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ର ହିତ ସମ୍ପର୍କିତ ଗୋପନ ତଥ୍ୟ ଚୋରିକୁ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି।

ବ୍ୟାଙ୍କ ବିଙ୍ଗୋ ସ୍ଲଟ୍‌, ଜ୍ୟାକ୍‌ପଟ୍ କିଙ୍ଗ୍‌, ଲକି ଜ୍ୟାକ୍‌ପଟ୍‌, ବବଲ କନେକ୍ଟ, ପିକ୍‌ ପ୍ରୋ, ଇନଷ୍ଟାକ୍ୟାସ୍, ଗୋଲ୍ଡ ମାଇନର କଏନ୍ସ, ମ୍ୟାଚ୍‌ ଫନ୍ ୩ଡି, ଷ୍ଟେପ୍ କାଉଣ୍ଟର୍‌, କିପ୍ ଫିଟ୍‌, ଟିଟି ଟ୍ୟୁବ୍ ସର୍ଟ ଭିଡିଓ, କଏନ୍ ଭାଇଭ୍, କ୍ୟାସିନୋ ରୟାଲ୍, ଲକି ୱାର୍ଲଡ୍‌ କପ୍, ଓହ କ୍ୟାସ୍, କ୍ୟାଣ୍ଡି ଗେମ୍‌ସ, ମିମ୍ ଗୁରୁ, ପିକ୍ସ ମାନିଆ ଭଳି ୧୦୫ ପ୍ରକାର ଆପ୍ ମାଧ୍ୟମରେ ସ୍ପାଏୱେର ଆଣ୍ଡ୍ରଏଡ୍‌ ଫୋନ୍‌ରେ ପ୍ରବେଶ କରୁଛି ବୋଲି ସିଇଆର୍‌ଟି-ଇନ୍ ପକ୍ଷରୁ କୁହାଯାଇଛି। ନଗଦ ରାଶି ପୁରସ୍କାର, ଗେମ୍‌, ଫିଟ୍‌ନେସ୍, ଭିଡିଓ ଏଡିଟର, ଭିଡିଓ ପ୍ରସ୍ତୁତି ଓ ନିବେଶ ଆଦି ବର୍ଗର ଆପ୍‌ଗୁଡ଼ିକ ଜରିଆରେ ସ୍ପାଏୱେର ବ୍ୟାପୁଛି। ସିଇଆର୍‌ଟି-ଇନ୍ ମତରେ ‘ସ୍ପିନ୍‌ ଓକେ’ ସ୍ପାଏୱେର ଅତ୍ୟନ୍ତ ଭୟଙ୍କର। ବହୁତ କମ୍ ସମୟ ଭିତରେ ତାହା ୪୨ କୋଟି ଫୋନ୍‌ରେ ପ୍ରବେଶ କରିଛି। ଏହା ଆପ୍ ଜରିଆରେ ଫୋନ୍‌ରେ ପ୍ରବେଶ କରିବା ପରେ ଜାଭା ସ୍କ୍ରିପ୍ଟ କୋଡ୍ ଜରିଆରେ ଧୀରେ ଧୀରେ ନିଜର କ୍ଷମତା ବଢ଼ାଇଥାଏ। ଫୋନ୍‌ର ତଥ୍ୟ ନକଲ କରି ତାହାକୁ ଅଜ୍ଞାତ ସର୍ଭରକୁ ପଠାଇଦିଏ। କେବଳ ସେତିକି ନୁହେଁ, ଫୋନ୍‌ରୁ ଡିଲିଟ୍ କରାଯାଇଥିବା ଫାଇଲ୍‌କୁ ବି ତାହା ହାସଲ କରିପାରୁଛି। ଫୋନ୍‌ରେ ଥିବା ଫାଇଲ୍‌ରେ ତାହା ପରିବର୍ତ୍ତନ କରିପାରୁଥିବା ବେଳେ ଲୁଚାଛପାରେ କ୍ୟାମେରାକୁ ବ୍ୟବହାର କରିପାରୁଛି।