ଭୁବନେଶ୍ବର: ନ୍ୟାସନାଲ୍ ଆଲୁମିନିୟମ୍ କଂପାନି (ନାଲ୍କୋ)ର ୪୨ତମ ପ୍ରତିଷ୍ଠା ଦିବସ ହାଇବ୍ରିଡ୍ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। କଂପାନିର ସିଏମ୍ଡି ଶ୍ରୀଧର ପାତ୍ର, ନିର୍ଦେଶକ (ପିଆଣ୍ଡ୍ଟି ଓ ଅର୍ଥ) ମନସା ପ୍ରସାଦ ମିଶ୍ର, ନିର୍ଦେଶକ (ଉତ୍ପାଦନ ଓ ବାଣିଜ୍ୟ) ବିଜୟ କୁମାର ଦାସ ଓ ମୁଖ୍ୟ ସତର୍କତା ଅଧିକାରୀ ସୋମନାଥ ହାଂସଦା ଏହି ଅବସରରେ ଅଭିଭାଷଣ ପ୍ରଦାନ କରିଛନ୍ତି।
ପ୍ରତିଷ୍ଠା ଦିବସ ପାଳନ ସମାରୋହରେ କଂପାନି ପକ୍ଷରୁ ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ ତଥା ଲେଖକ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କୁ ନାଲ୍କୋ କାଳିଦାସ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ପ୍ରସିଦ୍ଧ ନୃତ୍ୟୁଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନାଲ୍କୋ ଖାରବେଳ ସମ୍ମାନ (ଗୁରୁ) ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ମମତା ଓଝା ଓ ହରେକୃଷ୍ଣ ଧଳଙ୍କୁ ନାଲ୍କୋ ଖାରବେଳ ସମ୍ମାନ (ନୃତ୍ୟଶିଳ୍ପୀ) ପ୍ରଦାନ କରାଯାଇଛି। ପୁରସ୍କୃତ ବ୍ୟକ୍ତିମାନଙ୍କ ନିରାପତ୍ତା ପାଇଁ ପୁରସ୍କାରଗୁଡ଼ିକୁ ସ୍ପର୍ଶରହିତ ଭାବେ ପ୍ରଦାନ କରାଯାଇଛି।
ଏହି ଅବସରରେ କଂପାନିର ସିଏମ୍ଡି ଶ୍ରୀ ପାତ୍ର କହିଛନ୍ତି ଯେ କୋଭିଡ୍-୧୯ ମହାମାରୀ ସମୟରେ କର୍ମଚାରୀମାନଙ୍କ ନିଷ୍ଠାପର ପରିଶ୍ରମ ଓ ହିତାଧିକାରୀମାନଙ୍କ ନିରବଚ୍ଛିନ୍ନ ସହଯୋଗ କଂପାନିର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବାରେ ସହାୟକ ହୋଇପାରିଛି। ପ୍ରତିକୂଳ ପରିସ୍ଥିତି ଓ ଆହ୍ବାନପୂର୍ଣ୍ଣ ସମୟରେ ଏକ ସୁସ୍ଥ କାର୍ଯ୍ୟ ଓ ଜୀବନଶୈଳୀ ମଧ୍ୟରେ ସନ୍ତୁଳନ ସହିତ ସକାରାତ୍ମକ ମାନସିକତା ବଜାୟ ରଖିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।
ପରିବେଶ, ପ୍ରାଣୀ, ଉତ୍ପାଦନ, ଉତ୍ପାଦକତା ଓ ଲାଭ (୫-ପି) ମୂଳମନ୍ତ୍ର ହୋଇରହିଛି। ଚଳିତ ଅଭିବୃଦ୍ଧି ଯୋଜନା ଓ ରଣନୀତିପୂର୍ଣ୍ଣ ପଦକ୍ଷେପ ସହିତ ଉତ୍ସର୍ଗୀକୃତ ମନୋଭାବ, ଅନୁଶାସନ ଓ କର୍ମଚାରୀମାନଙ୍କ ନିଷ୍ଠା ନିଶ୍ଚିତ ଭାବେ ନାଲ୍କୋକୁ ବ୍ୟାବସାୟିକ ଉତ୍କର୍ଷର ନୂତନ ସ୍ତରରେ ପହଞ୍ଚାଇବ ବୋଲି ସେ କହିଛନ୍ତି। କୋଭିଡ୍ ଗାଇଡ୍ଲାଇନ୍ ଓ ସାମାଜିକ ଦୂରତ୍ବ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି ବୋଲି କଂପାନି ପକ୍ଷରୁ କୁହାଯାଇଛି।
ପ୍ରାଣୀ, ପ୍ରକୃତି ଓ ଆବେଗ ଉପରେ ଗୁରୁତ୍ବ ଦେବାକୁ ହେବ: ରାଜ୍ୟପାଳ
ଭୁବନେଶ୍ୱର: ମଣିଷ, ବିଜ୍ଞାନ, ପ୍ରକୃତି ଏବଂ ଈଶ୍ୱରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ପ୍ରାଣୀ, ପ୍ରକୃତି ଏବଂ ଆବେଗ ଆଦି ତିନି ଗୁଣକୁ ବିଶେଷ ଭାବେ ଅନୁସରଣ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆହ୍ବାନ ଦେଇଛନ୍ତି। ନାଲ୍କୋର ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଏନ୍ଆର୍ଟିସି) ଠାରେ ନାଲ୍କୋ ପ୍ରତିଷ୍ଠା ଦିବସ ଅଭିଭାଷଣ ଶୃଙ୍ଖଳାର ୨୦ତମ ସଂସ୍କରଣରେ ଅଭିଭାଷଣ ପ୍ରଦାନ କରି ସେ ଏହା କହିଛନ୍ତି। ପରିବେଶ ଓ ଲୋକଙ୍କ ପ୍ରତି ନାଲ୍କୋର ଥିବା ଅଙ୍ଗୀକାରବଦ୍ଧତାକୁ ସେ ପ୍ରଶଂସା କରିଛନ୍ତି। ସେଥିପାଇଁ କଂପାନି ସାରା ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି।
ଏହି ଅବସରରେ ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ ନାଲ୍କୋର ଏହି ଅଭିଭାଷଣ ଶୃଙ୍ଖଳାରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ ପି ଜେ ଅବଦୁଲ କଲାମ ଓ ପ୍ରଣବ ମୁଖାର୍ଜୀ, ନାଗାଲାଣ୍ଡ୍ର ପୂର୍ବତନ ରାଜ୍ୟପାଳ ରବିନ୍ଦ୍ର ନାରାୟଣ ରବି ଏବଂ ରାଜ୍ୟସଭା ସାଂସଦ ଡକ୍ଟର ସୁବ୍ରମଣ୍ୟମ ସ୍ୱାମୀ ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।