ବ୍ୟାଙ୍କ ଠକେଇକୁ ନେଇ ଚର୍ଚା ଥମି ନଥିବା ବେଳେ ଏବେ ଟିକସ ପଇଠରେ ବ୍ୟାପକ ଜାଲିଆତି ଧରାପଡ଼ିଛି। ଏଭଳି ଦୁଇଟି ବଡ଼ ଧରଣର ମାମଲା ସାମ୍ନାକୁ ଆସିଛି। ଟିଡିଏସ୍କୁ ନେଇ ୩୨୦୦ କୋଟି ଟଙ୍କାର ଜାଲିଆତି ଧରାପଡ଼ିଥିବା ବେଳେ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା କରାଯାଇଥିବା ୧୦୦୦ କୋଟି ଟଙ୍କାର ଟିକସ ରିଫଣ୍ଡ କାରସାଦିର ମଧ୍ୟ ପର୍ଦାଫାଶ ହୋଇଛି
ରିଫଣ୍ଡ୍ରେ ହଜାରେ କୋଟି ସରକାରୀ
ପିଏସ୍ୟୁ କର୍ମଚାରୀଙ୍କ କାରସାଦି
ନୂଆଦିଲ୍ଲୀ : ଟିଡିଏସ୍ ଜାଲିଆତିର ପର୍ଦାଫାଶ ହେବାର ଦିନକ ପରେ ଆୟକର ବିଭାଗ ପକ୍ଷରୁ ଟିକସ ରିଫଣ୍ଡ୍ରେ ବ୍ୟାପକ ଜାଲିଆତି ହୋଇଥିବା କୁହାଯାଇଛି। ସରକାରୀ କର୍ମଚାରୀ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ କାମ କରୁଥିବା କର୍ମଚାରୀମାନେ କାରସାଦି କରି ଏହି ଜାଲିଆତି କରିଛନ୍ତି। ବିଭିନ୍ନ ସହରରେ ଏହି ଜାଲିଆତି କରାଯାଇଛି। କର୍ମଚାରୀମାନେ ଜାଲ କାଗଜପତ୍ର ଦେଇ, ଖର୍ଚକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରି ଏବଂ ଅସମ୍ପୂର୍ଣ୍ଣ ତଥ୍ୟ ଦେଇ ଟିକସ ରିଫଣ୍ଡ୍ ପାଇଁ ଆବେଦନ କରିଛନ୍ତି। ଏହା ଦ୍ୱାରା ଆୟକର ବିଭାଗର ୧୦୦୦ କୋଟି ଟଙ୍କା ପାଖାପାଖି କ୍ଷତି ହୋଇଥିବ ବୋଲି ପ୍ରାଥମିକ ପର୍ଯ୍ୟାୟରେ ଆକଳନ କରାଯାଇଛି।
ଆୟକର ବିଭାଗ ପକ୍ଷରୁ ଏହି ମାମଲାର ତଦନ୍ତ ଜାରି ରହିଛି। କେବଳ ମୁମ୍ବାଇ ସହରରେ ୧୭ ହଜାର ସଂଶୋଧିତ ରିଟର୍ଣ୍ଣ ଦାଖଲ କରାଯାଇଛି। ବେଙ୍ଗାଲୁରୁରେ ୧୦୦୦ ରିଟର୍ଣ୍ଣ ଦାଖଲ କରାଯାଇଛି ଯେଉଁଥିରେ ଖର୍ଚକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇଛି। ଗୃହ ଋଣ ବାବଦରେ ବିପୁଳ ପରିମାଣର ପେମେଣ୍ଟ୍ କରାଯାଉଛି ବୋଲି କର୍ମଚାରୀମାନେ ଟିକସ ରିଟର୍ଣ୍ଣ ଫାଇଲ୍ କରିବା ବେଳେ ଦର୍ଶାଇଥିବା ଜଣାପଡ଼ିଛି।
ପୂର୍ବରୁ ଏହି କର୍ମଚାରୀମାନେ ଯେଉଁ ରିଟର୍ଣ୍ଣ ଫାଇଲ୍ କରିଥିଲେ ତାହାକୁ ଆୟକର ବିଭାଗର କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ରରେ ପ୍ରକ୍ରିୟାକରଣ କରାଯାଉଥିବା ବେଳେ ସେମାନେ ପୁନର୍ବାର ସଂଶୋଧିତ ରିଟର୍ଣ୍ଣ ଦାଖଲ କରିଛନ୍ତି। ଯେଉଁଥିରେ ସେମାନେ ଆବଶ୍ୟକ କାଗଜପତ୍ର ଦେଇ ଟିକସ ରିଫଣ୍ଡ୍ ଦାବି କରୁଛନ୍ତି। ବିଗତ ତିନି ବର୍ଷ ଭିତରେ ଏଭଳି ମାମଲା ସଂଖ୍ୟା ବହୁତ ବଢ଼ିଯାଇଛି। ଏହା ଜାଣିବା ପରେ ଆୟକର ବିଭାଗ ପକ୍ଷରୁ ଏହାକୁ ନେଇ ସତର୍କ ସଙ୍କେତ ଜାରି କରାଯାଇଛି।
ଆୟକର ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଆମର ଡାଟା ମାଇନିଂ ସିଷ୍ଟମ୍ରୁ ଆମେ ଏହି ଜାଲିଆତି ବିଷୟରେ ସୂଚନା ପାଇଛୁ। ଟିକସଦାତାମାନେ କିଭଳି ଜାଲ କାଗଜପତ୍ର ଦେଇ ରିଫଣ୍ଡ ଦାବି କରୁଛନ୍ତି ତାହା ଏଥିରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଟିକସ ରିଫଣ୍ଡ୍ ମାମଲାଗୁଡ଼ିକରେ ଆୟକର ବିଭାଗ ସବୁ ବେଳେ କ୍ଷୁଦ୍ର ଟିକସଦାତା ଏବଂ ବେତନଭୋଗୀଙ୍କୁ ଗୁରୁତ୍ୱ ଦେଇଥାଏ। ଚଳିତ ବର୍ଷ ପ୍ରଦାନ କରାଯାଇଥିବା ଟିକସ ରିଫଣ୍ଡ୍ର ୯୦% କ୍ଷୁଦ୍ର ଟିକସଦାତାମାନଙ୍କୁ ପ୍ରଦାନ କରାଯାଇଛି।
କିଭଳି ହୋଇଛି ଜାଲିଆତି?
ଆୟକର ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, କେତେକ ଟିକସଦାତା ନିଜର ଅସଲି ଟିକସ ରିଟର୍ଣ୍ଣ ଦାଖଲ ବେଳେ ‘ଘର ସମ୍ପତ୍ତିରୁ’ ଆୟକୁ ‘କିଛି ନାହିଁ’ ବୋଲି ଦର୍ଶାଇଥିଲେ। ସେମାନେ ସଂଶୋଧିତ ରିଟର୍ଣ୍ଣ ଦାଖଲ କରି ତାହାକୁ ‘କ୍ଷତି’ରେ ବଦଳାଇ ଦେଇଛନ୍ତି। ଆୟକର ନିୟମର ଧାରା ୨୪ ଅନୁଯାୟୀ ଗୃହ ଋଣ ସୁଧକୁ ରିହାତି ଭାବେ ବିଚାର କରାଯାଏ। ଯଦି ଘର ସମ୍ପତ୍ତିରୁ ଆୟ ହେଉନାହିଁ ତେବେ ତାହାକୁ କ୍ଷତି ଭାବେ ଗଣାଯାଏ ଏବଂ ଏଭଳି କ୍ଷତି ପାଇଁ ଟିକସ ରିଫଣ୍ଡ୍ ମିଳିଥାଏ। ଟିକସଦାତାମାନେ ଜାଲ କାଗଜପତ୍ର ଦେଇ ଏବଂ ଖର୍ଚକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରି ଏଭଳି ଦାବି ଉପସ୍ଥାପନ କରୁଛନ୍ତି। ଯେହେତୁ ସରକାରୀ କର୍ମଚାରୀ ଏବଂ ପିଏସ୍ୟୁ କର୍ମଚାରୀମାନେ ଏଭଳି ରିଟର୍ଣ୍ଣ ଦାଖଲ କରୁଛନ୍ତି, ସେମାନଙ୍କର ଆୟ ବର୍ହିଭୂତ ସମ୍ପତ୍ତି ରହିିଥିବା ଆୟକର ବିଭାଗ ସନ୍ଦେହ କରୁଛି। ଆୟକର ବିଭାଗ ପକ୍ଷରୁ ଏଭଳି କର୍ମଚାରୀଙ୍କ ସମ୍ପର୍କିତ ସବୁ ତଥ୍ୟ ସିବିଆଇକୁ ପ୍ରଦାନ କରାଯାଇଛି। ଟିକସ ପରାମର୍ଶଦାତା ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ୍ଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।