ଭୁବନେଶ୍ବର: ରାଜ୍ୟର ୬୯୭୮ ପଞ୍ଚାୟତ ମଧ୍ୟରୁ ୪୩୭୩ ପଞ୍ଚାୟତରେ କୌଣସି ବ୍ୟାଙ୍କର ଶାଖା ନାହିଁ। ‌ସମସ୍ତଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ଏହି ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ପହଞ୍ଚିବା ଜରୁରୀ ହୋଇପଡ଼ିଛି। ସବୁ ପଞ୍ଚାୟତରେ ବ୍ୟାଙ୍କ ପହଞ୍ଚାଇବା ଲାଗି ଓଡ଼ିଶା ସରକାର ସିଏସ୍‌ପି ପ୍ଲସ୍ ବ୍ୟାଙ୍କି ଆଉଟ୍‌ଲେଟ୍‌ ଖୋଲିବେ। ଏଥିପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ରାଜ୍ୟ ସରକାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍‌ ବରୋଦା।

Advertisment

ସିଏସ୍‌ପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌ ସ୍କିମ୍‌କୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ। ସରକାର ୫ ବର୍ଷ ପାଇଁ ବ୍ୟାଙ୍କକୁ ଭଡ଼ା ଦେବାକୁ ପଡ଼ୁନଥିବା ସ୍ଥାନ ପ୍ରଦାନ କରିବେ। ତିନି ବର୍ଷ ପାଇଁ ସ୍ଥାୟୀ ଖର୍ଚ୍ଚ ଓ ରିକରିଂ ଖର୍ଚ୍ଚକୁ ସରକାର ବହନ କରିବେ। ଏହି ସ୍କିମ୍ ପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ଅନୁସାରେ ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଦଳାଇବା ଲାଗି ଏହି ଅଭିଯାନ ଆରମ୍ଭ କରାଯାଇଛି। ବ୍ୟାଙ୍କ ନଥିବା ପଞ୍ଚାୟତର ଲୋକମାନେ ବିନା ଖର୍ଚ୍ଚରେ ସବୁ ପ୍ରକାର ବ୍ୟାଙ୍କ ସେବା ପାଇପାରିବେ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳା ଘରେ ବ୍ୟାଙ୍କ ସେବା ପାଇପାରିବେ। ସରକାରୀ ସ୍କିମ୍‌ର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ସଠିକ୍ ସମୟରେ ହୋଇପାରିବ।