ନୂଆଦିଲ୍ଲୀ: ଟ୍ରାକ୍ ଉପରେ ଗୋରୁଗାଈ ଓ ମଇଁଷି ପଲ ଆଦିର ବିଚରଣ ରେଳବାଇ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିୟମିତ ବ୍ୟବଧାନରେ ଟ୍ରେନ୍ ସହ ଗୋରୁ ଧକ୍କା ଭଳି ଘଟଣା ଘଟୁଛି। ସେଥିପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍‌ର ଚଳାଚଳ ପ୍ରଭାବିତ ହେବା ସହ ବିଳମ୍ବିତ ମଧ୍ୟ ହେଉଛି। ଚଳିତ ଅକ୍ଟୋବର ମାସର ପ୍ରଥମ ୯ ଦିନରେ ଗୋରୁ ଯୋଗୁ ୨୦୦ ଟ୍ରେନ୍‌ ପ୍ରଭାବିତ ହୋଇଥିଲା। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା‌ ପ୍ରାୟ ୪୪୩୩ ଟ୍ରେନ୍‌ର ଚଳାଚଳ ପ୍ରଭାବିତ ହୋଇଛି। ଏହି ସମସ୍ୟାର ସମାଧାନ ଲାଗି ରେଳବାଇ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି।

Advertisment

ନିକଟରେ ଏକ ବନ୍ଦେ ଭାରତ ଟ୍ରେନ୍ ସହ ଗୋରୁ ଧକ୍କା ହେବାରୁ ତାହାର ଚଳାଚଳ ୧୫ ମିନିଟ୍ ବିଳମ୍ବ ହୋଇଥିଲା। ମୁମ୍ବାଇ ସେଣ୍ଟ୍ରାଲ୍ ଡିଭିଜନ୍‌ରେ ଏହି ଘଟଣା ଘଟିଥିଲା। ଟ୍ରାକ୍‌ ଉପରେ ଗୋରୁଙ୍କ ବିଚରଣକୁ ରୋକିବା ଲାଗି ରେଳବାଇ ପକ୍ଷରୁ କିଛି ସ୍ଥାନରେ ଟ୍ରାକ୍ ପାର୍ଶ୍ବରେ ବାଡ଼ ଦିଆଯାଉଛି। କିନ୍ତୁ ରେଳବାଇର ସୁଦୀର୍ଘ ଟ୍ରାକ୍‌ର ଦୁଇ ପାର୍ଶ୍ବରେ ବାଡ଼ ଦେବା ଏକ ସହଜ କାର୍ଯ୍ୟ ନୁହେଁ। ବହୁ ଅଞ୍ଚଳରେ ଜନବସତି ଏବଂ ଚାଷ ଜମି ଦେଇ ରେଳ ଲାଇନ୍ ଗତି କରିଛି। କେଉଁ ସ୍ଥାନଗୁଡ଼ିକରେ ଏଭଳି ଘଟଣା ବାରମ୍ବାର ଘଟୁଛି ତାହା ଜାଣିବା ଲାଗି ରେଳବାଇ ପ୍ରୟାସ କରୁଛି ଏବଂ ସେହି ସ୍ଥାନଗୁଡ଼ିକ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ରେଳବାଇର ନର୍ଦନ ସେଣ୍ଟ୍ରାଲ ରେଲ୍‌ୱେ ଏବଂ ନର୍ଦନ ରେଲ୍‌ୱେରେ ଏଭଳି ଘଟଣା ଅଧିକ ଘଟୁଥିବା ଜଣାପଡ଼ିଛି।
୨୦୨୦-୨୧ରେ ଟ୍ରେନ୍ ସହ ଗୋରୁ ଧକ୍କାର ୨୬,୦୦୦ ଘଟଣା ଘଟିଥିଲି। ସେଥିରେୁ ୬୫୦୦ ଘଟଣା ନର୍ଦନ ସେଣ୍ଟ୍ରାଲ ରେଲ୍‌ୱେରେ ଘଟିଥିଲା।

ଉତ୍ତରପ୍ରଦେଶର ମୋରାଦାବାଦ ଓ ଲକ୍ଷ୍ନୌ, ପଞ୍ଜାବର ଫିରୋଜପୁର, ହରିୟାଣାର ଅମ୍ବାଲଳା ଭଳି ସ୍ଥାନରେ ଏଭଳି ଘଟଣା ଅଧିକ ଘଟୁଛି। ‌ପାଞ୍ଚଟି ବନ୍ଦେ ଭାରତ ଟ୍ରେନ୍ ଏହି ସ୍ଥାନଗୁଡ଼ିକ ଦେଇ ଗତି କରୁଛି। ଗୋରୁ ସହ ଟ୍ରେନ୍‌ ଧକ୍କା ଯୋଗୁ ହେଉଥିବା କ୍ଷତିକୁ ରୋକିବା ଲାଗି ଏହି ଟ୍ରେନ୍‌ରେ କୋନ୍ ଆକାରର ବଦଳାଇ ହେଉଥିବା କଭର ଲଗାଯାଇଛି। ତାହାକୁ ଫାଇବର-ପ୍ଲା‌ଷ୍ଟିକ୍‌ରେ ତିଆରି କରାଯାଇଛି। ଗୋଟିଏ କଭରର ଦାମ୍ ୧୦-୧୫ ହଜାର ଟଙ୍କା ରହୁଛି। ଦୁର୍ଘଟଣାର କିଛି ଘଣ୍ଟା ଭିତରେ ତାହା ବଦଳାଇ ‌ଦିଆଯାଇପାରୁଛି। ଗୋରୁଙ୍କ ସହ ଧକ୍କା ଯୋଗୁ ଦୈନିକ ୨୨ଟି ଟ୍ରେନର ଚଳାଚଳ ପ୍ରଭାବିତ ହେଉଛି। ଚଳିତ ବର୍ଷ ଜାନୁଆରିରେ ଏଭଳି ମାମଲା ସଂଖ୍ୟା ୩୬୦ ଥିଲା। ସେପ୍ଟେମ୍ବରରେ ତାହା ୬୩୫କୁ ବୃଦ୍ଧି ପାଇଛି। ରେଳ ଲାଇନ୍ ପାଖାପାଖି ଅଞ୍ଚଳକୁ ଗୋରୁଗାଈ, ମଇଁଷି ଆଦି ନଛାଡ଼ିବାକୁ ରେଳବାଇ ପକ୍ଷରୁ ଲୋକମାନଙ୍କୁ ନିବେଦନ କରାଯାଇଛି।